Heavy Rain Alert: ବଦଳିଲା ପାଗର ମିଜାଜ୍, 5 ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଆଲର୍ଟ ଜାରି…

ବଦଳିଲା ପାଗର ମିଜାଜ୍, 5 ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟରୁ ଗାଏବ ହେବାରେ ଲାଗିଛି ଶୀତ। ଆଉ ଧିରେ ଧିରେ ବଦଳୁଛି ପାଗର ମିଜାଜ୍ । କେଉଂଠି ଖରା ତ କେଉଁଠି ଶୀତ, ଆଉ କେଉଁଠି ବର୍ଷା । ଗତ ସପ୍ତାହରେ ବିଭିନ୍ନ ଜିଲ୍ଲାରେ ଶୀତ କମିଥିବା ବେଳେ ଏବେ ଧିରେ ଧିରେ ଆହୁରୀ କମିବ ।

ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ତଥା ଶୀତର ସହର କନ୍ଧମାଳ ଜିଲ୍ଲା ଫୁଲବାଣିରେ ଶୀତ ଲହରୀ ଜାରି ରହିଛି। ସେହିପରି କୋରାପୁଟ, ଝାରସୁଗୁଡ଼ା ଓ ରାଉରକେଲାରେ ମଧ୍ୟ ହାଲୁକା ଶୀତ ଲହରୀ ଜାରି ରହିଛି।

ମାତ୍ର ଜଗତସିଂହପୁର, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଅଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବା ନେଇ ଆସନ୍ତା ୨ ଦିନ ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ, ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।

ଆଜି ଅର୍ଥାତ ଗୁରୁବାରରେ ଫୁଲବାଣୀରେ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରହିଛି। ଝାରସୁଗୁଡ଼ା, କୋରାପୁଟ ଓ ରାଉରକେଲାରେ ୧୨ ଡିଗ୍ରୀ, ସୁନ୍ଦରଗଡ଼, କେନ୍ଦୁଝର, ନବରଙ୍ଗପୁରରେ ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗିର ଓ ଭବାନିପାଟଣାରେ ୧୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

ମାଲକାନାଗିରି, ସୋନପୁରରେ ୧୫ ଡିଗ୍ରୀ ଓ ସମ୍ବଲପୁର, ଜଗତସିଂହପୁର, ଯାଜପୁର, ବାରିପଦା, ନୁଆପଡ଼ା, କେନ୍ଦ୍ରାପଡ଼ା ଓ ଢେଙ୍କାନାଳରେ ୧୬ ଡିଗ୍ରୀ, ବୌଦ୍ଧ, ଅନଗୁଳ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ପାରଳାଖେମୁଣ୍ଡି ଓ ରାଜଧାନୀ ଭୁବନେଶ୍ୱରରେ ୧୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ।

ସେହିପରି ବରଗଡ଼, ଗୋପାଳପୁର, ଚାନ୍ଦବାଲି, ପାରାଦୀପ ଓ ନୟାଗଡ଼ରେ ୧୮ ଡିଗ୍ରୀ ସେଲସିୟସ ରାତି ଓ ଭୋର୍ ସମୟର ତାପମାତ୍ରା ରହିଛି। ପୁରୀରେ ସର୍ବାଧିକ ୨୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ସେପଟେ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ଆଗାମୀ କିଛି ଘଣ୍ଟା ମଧ୍ୟରେ ଉତ୍ତର ଭାରତରେ ଏକ ଦୁର୍ବଳ ପଶ୍ଚିମା ବାୟୁ ସକ୍ରିୟ ହେବାର ସମ୍ଭାବନା ରହିଛି, ଯାହା କାଶ୍ମୀରରୁ ବିହାର ପର୍ଯ୍ୟନ୍ତ ଅନେକ ଅଞ୍ଚଳକୁ ପ୍ରଭାବିତ କରିବ। ପାଣିପାଗ ବିଭାଗ ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏହି ସମୟ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଏହି ମୌସୁମୀ ପରିବର୍ତ୍ତନ ସର୍ବନିମ୍ନ ତାପମାତ୍ରା ବୃଦ୍ଧିକୁ ସୂଚିତ କରୁଥିବା ବେଳେ, ପାହାଡିଆ ରାଜ୍ୟଗୁଡ଼ିକରେ ତୁଷାରପାତ ଏବଂ ତଳିଆ ଅଞ୍ଚଳରେ ପ୍ରବଳ ପବନ ପ୍ରବଳ ଶୀତ ବଢ଼ିବାର ସମ୍ଭାବନା ରହିଛି।