ଘୋଷଣା ହେଲା ୨୦୨ ୬-୨୭ ଘରୋଇ ସିଜନ୍ ସୂଚୀ, ୨୩ ଅଗଷ୍ଟରୁ ମହାସମର, ଖେଳାଯିବ ୧୭୮୮ ମ୍ୟାଚ୍

ଘୋଷଣା ହେଲା ୨୦୨ ୬-୨୭ ଘରୋଇ ସିଜନ୍ ସୂଚୀ, ୨୩ ଅଗଷ୍ଟରୁ ମହାସମର

BCCI Domestic Schedule: ଭାରତୀୟ ଘରୋଇ କ୍ରିକେଟ୍‌କୁ ଅଧିକ ରୋମାଞ୍ଚକର କରିବା ପାଇଁ ବିସିସିଆଇ (BCCI) ପକ୍ଷରୁ ୨୦୨ ୬-୨୭ ସିଜନ୍‌ର ଆଧିକାରିକ ସୂଚୀ ପ୍ରକାଶ ପାଇଛି। ଏହି ଆଗାମୀ ସିଜନ୍‌ରେ ପୁରୁଷ ଏବଂ ମହିଳା ବର୍ଗର ବିଭିନ୍ନ ବୟସ ସୀମାରେ ମୋଟ ୧,୭୮୮ ଟି ମ୍ୟାଚ୍ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି। ଆସନ୍ତା ୨୩ ଅଗଷ୍ଟ ୨୦୨ ୬ରୁ ‘ଦଲୀପ ଟ୍ରଫି’ ମାଧ୍ୟମରେ ଏହି ବଡ଼ ଘରୋଇ ସିଜନ୍‌ର ଶୁଭାରମ୍ଭ ହେବ, ଯେଉଁଥିରେ ୬ଟି ଜୋନାଲ୍ ଟିମ୍ ଦୀର୍ଘ ଫର୍ମାଟ୍‌ରେ ପରସ୍ପରର ସାମ୍ନା କରିବେ। ଏହାପରେ ୧ ଅକ୍ଟୋବରରୁ ପ୍ରତିଷ୍ଠିତ ‘ଇରାନୀ କପ୍’ ଖେଳାଯିବ।

ରଣଜୀ ଟ୍ରଫିରେ ବଡ଼ ବଦଳ

ବିସିସିଆଇ ଚଳିତ ସିଜନ୍‌ରେ ମଲ୍ଟି-ଡେ କ୍ରିକେଟ୍‌କୁ ଅଧିକ ପ୍ରାଧାନ୍ୟ ଦେଇଛି। ଖେଳାଳିମାନଙ୍କ କାର୍ଯ୍ୟଭାରକୁ ହ୍ରାସ କରିବା ଏବଂ ସେମାନଙ୍କୁ ଫିଟ୍‌ନେସ୍ ରିକଭରି ପାଇଁ ଅଧିକ ସମୟ ଦେବା ଉଦ୍ଦେଶ୍ୟରେ ରଣଜୀ ଟ୍ରଫି ଏବଂ କଲୋନେଲ ସି.କେ. ନାଇଡୁ ଟ୍ରଫିକୁ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ। ଚଳିତ ବର୍ଷ ରଣଜୀ ଟ୍ରଫିର ଏଲିଟ୍ ଗ୍ରୁପ୍‌ରେ ୩୨ଟି ଦଳ ୪ଟି ଗ୍ରୁପ୍‌ରେ ବିଭକ୍ତ ହୋଇ ଖେଳିବାକୁ ଥିବାବେଳେ ପ୍ଲେଟ୍ ଗ୍ରୁପ୍‌ରେ ୬ଟି ଦଳ ସାମିଲ ରହିଛନ୍ତି।

ସିଡ୍ୟୁଲ୍‌ରେ କରାଯାଇଥିବା ଅନ୍ୟାନ୍ୟ ପ୍ରମୁଖ ପରିବର୍ତ୍ତନ

କଲୋନେଲ ସି.କେ. ନାଇଡୁ ଟ୍ରଫି: ଏହି ଟ୍ରଫିର ବିଜେତା ଏବଂ ‘ରେଷ୍ଟ ଅଫ୍ ଇଣ୍ଡିଆ’ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌କୁ ସୂଚୀରେ ପୁନଃ ସାମିଲ କରାଯାଇଛି। ଏହା ୧ ରୁ ୪ ଅକ୍ଟୋବର ୨୦୨ ୬ ମଧ୍ୟରେ ଖେଳାଯିବ, ଯାହା U23 ଖେଳାଳିଙ୍କୁ ଏକ ବଡ଼ ମଞ୍ଚ ପ୍ରଦାନ କରିବ।

ଫର୍ମାଟ୍ ବଦଳିଲା: ପୁରୁଷ U23 ଷ୍ଟେଟ୍ ଏ ଟ୍ରଫି ଏବଂ ବିଜୟ ଟ୍ରଫିକୁ ଏବେ ଦିନିକିଆ ବଦଳରେ T20 ଫର୍ମାଟରେ ଖେଳାଯିବ।

କୁଚ୍ ବିହାର ଟ୍ରଫି: ଏଲିଟ୍ ଗ୍ରୁପ୍‌ର ନକଆଉଟ୍ ମ୍ୟାଚ୍‌ଗୁଡ଼ିକ ଏଥର ବେଙ୍ଗାଲୁରୁ ଏବଂ ମୈସୁରୁରେ ଆୟୋଜିତ ହେବ।

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି (U16): ଏହି ଟୁର୍ଣ୍ଣାମେଣ୍ଟର ତାରିଖରେ ପରିବର୍ତ୍ତନ କରାଯାଇଛି, ଏବେ ଏହା ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଖେଳାଯିବ।

ରଣଜୀ ଟ୍ରଫି ପାଇଁ ଧାର୍ଯ୍ୟ ହୋଇଥିବା ଗ୍ରୁପ୍:

  • Elite A: ଜମ୍ମୁ ଏବଂ କାଶ୍ମୀର, ମଧ୍ୟପ୍ରଦେଶ, ବିଦର୍ଭ, ବରୋଦା, ଉତ୍ତରପ୍ରଦେଶ, ପୁଡୁଚେରୀ, ଗୋଆ।
  • Elite B: କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ସୌରାଷ୍ଟ୍ର, ଛତିଶଗଡ଼, ହାଇଦ୍ରାବାଦ, ତ୍ରିପୁରା, ପଞ୍ଜାବ, ଆସାମ।
  • Elite C: ଓଡ଼ିଶା, ବେଙ୍ଗାଲ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ସର୍ଭିସେସ୍, ଗୁଜରାଟ, କେରଳ, ଦିଲ୍ଲୀ।
  • Elite D: ଉତ୍ତରାଖଣ୍ଡ, ମୁମ୍ବାଇ, ହରିୟାଣା, ରେଲୱେ, ରାଜସ୍ଥାନ, ତାମିଲନାଡୁ, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼।
  • Plate Group: ନାଗାଲାଣ୍ଡ, ମଣିପୁର, ମେଘାଳୟ, ସିକିମ୍, ମିଜୋରାମ, ଅରୁଣାଚଳ ପ୍ରଦେଶ।