fbpx

BCCI Central Contract: ସଙ୍କଟରେ ଏହି ଖେଳାଳିଙ୍କ ଦରମା, ଟାର୍ଗେଟରେ ବରିଷ୍ଠ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ପ୍ରତି ବର୍ଷ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଥାଏ । ଏଥର ମଧ୍ୟ କେନ୍ଦ୍ରୀୟ ଅନୁବନ୍ଧର ଘୋଷଣା ହେବାକୁ ଯାଉଛି । ତେବେ ଏଥର ଭାରତୀୟ ଦଳର ବରିଷ୍ଠ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେଙ୍କୁ ନିରାଶ ହେବାକୁ ପଡିପାରେ । ଦୁଇ ଖେଳାଳି ବର୍ତ୍ତମାନ ବିସିସିଆଇର ଗ୍ରୁପ ଏରେ ସାମିଲ୍ ଅଛନ୍ତି । ମାତ୍ର ଉଭୟଙ୍କ ପ୍ରଦର୍ଶନକୁ ଦେଖି ବୋର୍ଡ ଗ୍ରୁପ ଏରୁ କାଢି ତଳ ଗ୍ରୁପରେ ରଖିପାରେ । ଏହା ବ୍ୟତୀତ ଦୁଇଟି ଏମିତି ନାମ ରହିଛି, ଯାହାଙ୍କୁ ଏ ପ୍ଲସ କାଟାଗୋରୀରେ ସାମିଲ୍ କରାଯାଇପାରେ ।

ବିସିସିଆଇ ନିଜର କେନ୍ଦ୍ରୀୟ ଅନୁବନ୍ଧକୁ ଚାରୋଟି ଗ୍ରୁପରେ ବିଭକ୍ତ କରିଛି । ଏଥିରେ ଏ ପ୍ଲସ୍, ଏ, ବି ଏବଂ ସି କାଟାଗୋରୀ ସାମିଲ୍ । କାଟାଗୋରୀ ଏ ପ୍ଲସରେ ବର୍ତ୍ତମାନ ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମରା ସାମିଲ୍ । ମାତ୍ର ବୋର୍ଡ ଏଥର ଏହି ବର୍ଗରେ ଭବିଷ୍ୟତର ଅଧିନାୟକ କୁହାଯାଉଥିବା କେଏଲ ରାହୁଲ ଏବଂ ଋଷଭ ପନ୍ତଙ୍କୁ ସାମିଲ୍ କରିପାରେ । ବିସିସିଆଇ ବାର୍ଷିକ ଏ ପ୍ଲସ କାଟାଗୋରୀର ଖେଳାଳିଙ୍କୁ ୭ କୋଟି, ଏ ଗ୍ରୁପର ଖେଳାଳିଙ୍କୁ ୫ କୋଟି, ବି ଗ୍ରୁପର ଖେଳାଳିଙ୍କୁ ୩ ଏବଂ ସି କାଟାଗୋରୀର ଖେଳାଳିଙ୍କୁ ଏକ କୋଟି ଟଙ୍କା ଦେଇଥାଏ ।

ସଂପ୍ରତି ବିସିସିଆଇ ୨୮ ଖେଳାଳିଙ୍କ ସହ ଚୁକ୍ତି କରିଛି । ଏଥର ପୁରୁଣା ତାଲିକାରେ ବିଶେଷ ପରିବର୍ତ୍ତନ ହେବା ପରି ଲାଗୁନାହିଁ । କିନ୍ତୁ କିଛି ଖେଳାଳିଙ୍କ ପଦୋନ୍ନତି ଏବଂ ତଳ ଗ୍ରୁପକୁ ଖସିବାର ଯଥେଷ୍ଟ ସମ୍ଭାବନା ରହିଛି । ବିସିସିଆଇ ସୂତ୍ର ଅନୁଯାୟୀ, ରୋହିତ, କୋହଲି ଏବଂ ବୁମରା ଏ ପ୍ଲସ କାଟାଗୋରୀରେ ରହିବେ । ଏହାବାଦ୍ ରାହୁଲ ଏବଂ ପନ୍ତ ଧିରେ ଧିରେ ସବୁ ଫର୍ମାଟରେ ଭଲ ପ୍ରଦର୍ଶଣ କରିବାରେ ଲାଗିଛନ୍ତି । ତେଣୁ ଦେଖିବା ବାକି ରହିଲା ଏହି ଦୁଇ ଖେଳାଳିଙ୍କୁ କେଉଁ କାଟାଗୋରୀରେ ସାମିଲ୍ କରାଯାଉଛି ।

ଚେତେଶ୍ୱର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେଙ୍କ ପରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଇଶାନ୍ତ ଶର୍ମାଙ୍କ ସହ ଏମିତି ହୋଇପାରେ । ଦୁଇ ଖେଳାଳି ଆହତଜନିତ ସମସ୍ୟା କାରଣରୁ ଦଳରେ ନିୟମିତ ସ୍ଥାନ ବଜାୟ ରଖି ପାରୁ ନାହାନ୍ତି ଏବଂ ଫର୍ମରେ ମଧ୍ୟ ନାହାନ୍ତି । ଅନ୍ୟପଟେ ପ୍ରମୋସନ ବିଷୟରେ ନଜର ପକାଇଲେ ଏକମାତ୍ର ଖେଳାଳି ଶାର୍ଦ୍ଦୁଳ ଠାକୁର ଯିଏ ଗ୍ରୁପ ଏରେ ସାମିଲ୍ ହେବାକୁ ହକଦାର । କାରଣ ସେ ଭଲ ପ୍ରଦର୍ଶନ କରିଛନ୍ତି । ଏହା ବ୍ୟତୀତ ମହମ୍ମଦ ସିରାଜ ବର୍ତ୍ତମାନ ଗ୍ରୁପ ସିରେ ଅଛନ୍ତି, ତାଙ୍କୁକ ବି କିମ୍ବା ଏ କାଟାଗୋରୀରେ ସାମିଲ୍ କରାଯାଇପାରେ । ଶୁଭମାନ ଗିଲ୍ ଏବଂ ହନୁମା ବିହାରୀଙ୍କୁ ଗ୍ରୁପ ସିରୁ ବିରେ ସ୍ଥାନ ମିଳିପାରେ । ଅନ୍ୟପଟେ ଭେଙ୍କଟେଶ ଆୟର ଏବଂ ହର୍ଷଲ ପଟେଲଙ୍କୁ ଗ୍ରୁପ ସିରେ ଅନ୍ତର୍ଭୁକ୍ତ କରାଯାଇପାରେ ।

Get real time updates directly on you device, subscribe now.