କିଏ ହେବେ ଅଗରକରଙ୍କ ସ୍ଥାନରେ ନୂଆ ଚୟନକର୍ତ୍ତା?

ବିସିସିଆଇ ପକ୍ଷରୁ ଜାରି ନୂଆ ଭ୍ୟାକାନ୍ସି ଅନୁସାରେ, ଚୟନ କମିଟିର ନୂଆ ସଦସ୍ୟ ଟେଷ୍ଟ, ଦିନିକିଆ ଓ ଟି-୨୦ ସମେତ ସମସ୍ତ ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ଖେଳାଳି ଚୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଚିଫ୍ ସିଲେକ୍ଟର ଭାବେ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ତେଣୁ ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଯିବ। ସେଥିପାଇଁ ବିସିସିଆଇ ଚୟନ କମିଟିର ଚିଫ୍ ସିଲେକ୍ଟର ପଦ ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଅର୍ଥାତ୍, ଏବେ ଟିମ୍ ଇଣ୍ଡିଆର ଚୟନ ପ୍ରକ୍ରିୟାରେ ନୂଆ ମୁହଁ ପ୍ରବେଶ କରିବାକୁ ମିଳିବ।

ବର୍ତ୍ତମାନ ଚୟନ କମିଟିରେ ପ୍ରଜ୍ଞାନ ଓଝା, ଆରପି ସିଂହ, ଶିବସୁନ୍ଦର ଦାସ ଓ ଅଜୟ ରାତ୍ରା ଅଛନ୍ତି। ଅଗରକରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପ୍ରଜ୍ଞାନ ଓଝା ଅନ୍ତରୀଣ ଚିଫ ସିଲେକ୍ଟର ଭାବେ ଦାୟିତ୍ୱରେ ରହିଛନ୍ତି।

ବିସିସିଆଇ ପକ୍ଷରୁ ଜାରି ନୂଆ ଭ୍ୟାକାନ୍ସି ଅନୁସାରେ, ଚୟନ କମିଟିର ନୂଆ ସଦସ୍ୟ ଟେଷ୍ଟ, ଦିନିକିଆ ଓ ଟି-୨୦ ସମେତ ସମସ୍ତ ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ଖେଳାଳି ଚୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ।

ଅଜିତ ଅଗରକର ଜୁଲାଇ ୨୦୨୩ ମସିହାରେ ଚିଫ୍ ସିଲେକ୍ଟର ପଦ ଗ୍ରହଣ କରିଥିଲେ। ରିପୋର୍ଟ ଅନୁସାରେ, ଅକ୍ଟୋବର ୪, ୨୦୨୬ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ତାଙ୍କ କାର‌୍ୟ୍ୟକାଳର ଶେଷ ପର୍ଯ୍ୟାୟରେ ରୋହିତ ଶର୍ମାଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ୍ ପ୍ଲାନ୍‌ରୁ ବାହାର କରାଯିବା ନେଇ ଚର୍ଚ୍ଚିତ ଖବର ମଧ୍ୟ ସାମ୍ନାକୁ ଆସିଥିଲା।

ନୂଆ ଚୟନକର୍ତ୍ତାଙ୍କ ଉପରେ ମଧ୍ୟ ବଡ଼ ଦାୟିତ୍ୱ ରହିବ। କାରଣ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଆଗାମୀ ଏକ ବର୍ଷରେ ଦଳରେ କେଉଁ ଖେଳାଳି ରହିବେ, କାହାକୁ ସୁଯୋଗ ମିଳିବ ଓ କେଉଁ କମ୍ବିନେସନ୍‌ରେ ଭାରତ ମଇଦାନକୁ ଓହ୍ଲାଇବ, ଏସବୁ ନିଷ୍ପତ୍ତିରେ ଚୟନ କମିଟିର ଭୂମିକା ରହିବ।

ବିସିସିଆଇର ନିୟମ ଅନୁସାରେ, ନୂଆ ଚୟନ କମିଟି ସଦସ୍ୟ ପଦ ପାଇଁ ଆବେଦନକାରୀଙ୍କ ପାଖରେ ଅତିକମରେ ୭ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଅନୁଭବ ଥିବା ଦରକାର। ବିକଳ୍ପ ଭାବେ ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ କିମ୍ବା ୧୦ଟି ଦିନିକିଆ ସହ ୨୦ଟି ଫାର୍ଷ୍ଟ କ୍ଲାସ୍ ମ୍ୟାଚ୍ ଖେଳିଥିବା ଅନୁଭବ ଥିବା ଦରକାର। ଏଥିସହ ଆବେଦନକାରୀ କ୍ରିକେଟରୁ ଅବସର ନେବାର ଅତିକମରେ ୫ ବର୍ଷ ପୂରଣ କରିଥିବା ଦରକାର।

ନୂଆ ପଦ ପାଇଁ ବିସିସିଆଇ ଅକ୍ଟୋବର ୧୪ ତାରିଖ ସନ୍ଧ୍ୟା ୫ଟା ପର‌୍ୟ୍ୟନ୍ତ ଆବେଦନ ଗ୍ରହଣ କରିବ। ଏହାପରେ ସ୍କ୍ରିନିଂ ଓ ସର୍ଟଲିଷ୍ଟିଂ ହେବ ଏବଂ ଚୟନିତ ପ୍ରାର୍ଥୀଙ୍କୁ ପର୍ସନାଲ୍ ଇଣ୍ଟରଭ୍ୟୁ ପାଇଁ ଡକାଯିବ।