ସୁନା କିଣୁଥିଲେ ସାବଧାନ! ମାପରେ ଗ୍ରାହକଙ୍କୁ ଠକୁଛନ୍ତି ଦୋକାନୀ, 7 ଜୁଏଲାରୀ ଦୋକାନ ଉପରେ ଆକ୍ସନ

ସୁନା କିଣୁଥିଲେ ସାବଧାନ! ମାପରେ ଗ୍ରାହକଙ୍କୁ ଠକୁଛନ୍ତି ଦୋକାନୀ

ଭୁବନେଶ୍ବର: ସାବଧାନ, ମାପରେ ଠକୁଛନ୍ତି ସୁନା ଦୋକାନୀ! ମାପରେ ତ୍ରୁଟି ପାଇଁ ଗୋଟିଏ ବର୍ଷରେ ୭ ଜୁଏଲାରୀ ଦୋକାନ ଉପରେ ହୋଇଛି ଆକ୍ସନ । ଆଦାୟ ହୋଇଛି ୮୦ ହଜାର ଟଙ୍କା ଜରିମାନା । ଏଥିରେ ବହୁ ବଡ଼ ବଡ଼ ଜୁଏଲାରୀ ବ୍ରାଣ୍ଡର ନାଁ ବି ରହିଛି ।

ତେବେ ରେଡ୍ ହୋଇଥିବା ୭ ଜୁଏଲାରୀ ଦୋକାନ ମଧ୍ୟରେ କେନ୍ଦୁଝରର 3, ସମ୍ବଲପୂରର 2 ଏବଂ ସୁନ୍ଦରଗଡ଼ ଓ ପୁରୀରେ ଗୋଟିଏ ଦୋକାନ ରହିଛି । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ବିଧାନସଭାରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଗତ 4 ବର୍ଷରେ  23ଟି ଗହଣା ଦୋକାନ ବା ପ୍ରତିଷ୍ଠାନ ମାପରେ ତ୍ରୁଟି କରୁଥିବା ଧରା ପଡିଛନ୍ତି । ସେମାନଙ୍କ ଠାରୁ 5 ଲକ୍ଷ 18 ହଜାର ଟଙ୍କାର ଜରିମାନା ମଧ୍ୟ ଆଦାୟ ହୋଇଛି ।

ପ୍ରକାଶଥାଉକି, ମୋହନ ସରକାରଙ୍କ (ଷୋଡ଼ଶ ବିଧାନସଭା)ର ଷଷ୍ଠ ଅଧିବେଶନ ଆରମ୍ଭ ହେଇଯାଇଛି । ଗତକାଲି ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ଦିବଂଗତ ଓ ସହିଦ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଆରମ୍ଭ ହୋଇଥିଲା ବିଧାନସଭା ।

ତେବେ ବୁଧବାର ଦିନ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଧାନ କିଣାରେ ଅନିୟମିତତା ଅଭିଯୋଗ ନେଇ ବିରୋଧୀ ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିବା ସହିତ ବାରମ୍ବାର ବାଧା ସୃଷ୍ଟି ହୋଇଥିଲା। ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢୀଙ୍କୁ ଦୁଇଥର ଗୃହକୁ ମୁଲତବୀ ରଖିବାକୁ ପଡିଥିଲା, ପ୍ରଥମେ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଏବଂ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ।