fbpx

ବିଦେଶ ପାଠ ପଢ଼ିବାକୁ ଯାଉଥିଲେ ସାବଧାନ ହୁଅନ୍ତୁ: ସାମାନ୍ୟ ଭୁଲ୍ ପାଇଁ ଭାରତ ଫେରିବେ ୭୦୦ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ବିଦେଶରେ ପିଲାମାନଙ୍କୁ ପାଠ ପଢ଼ାଇବା ଓ ସେମାନଙ୍କର ଭବିଷ୍ୟତ ନିର୍ମାଣ କରିବା ସବୁ ପିତାମାତାଙ୍କର ସ୍ୱପ୍ନ ରହିଥାଏ । ଦେଶର ବିଭିନ୍ନ ରାଜ୍ୟରୁ ବହୁ ମେଧାବୀ ପିଲା ବିଦେଶରେ ମେଡିକାଲ ସହିତ ଅନ୍ୟ ଶିକ୍ଷା ଗ୍ରହଣ କରିବାକୁ ଯାଇ ଭଲ ଦରମାରେ ଚାକିରି କରିଥାନ୍ତି । ତେବେ ଏନେଇ ଆସିଛି ଏକ ବଡ଼ ଅପଡେଟ୍ । ବିଦେଶକୁ ପାଠ ପଢ଼ିବାକୁ ଯାଇଥିବା ୭୦୦ ଛାତ୍ରଛାତ୍ରୀଙ୍କୁ ଭାରତ ଫେରିବାକୁ ପଡ଼ିଛି । ଏ କ୍ଷେତ୍ରରେ ସାମାନ୍ୟ ଭୁଲ୍ ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ଚୁରମାର କରିଦେଉଛି ।

ସୂଚନା ମୁତାବକ, କାନାଡ଼ାକୁ ପାଠ ପଢ଼ିବାକୁ ଯାଇଥିବା ୭୦୦ ଛାତ୍ରଛାତ୍ରୀ ଭାରତ ଫେରିବେ । ଯାଞ୍ଚ ସମୟରେ ସେମାନଙ୍କର ନକଲି ଡକ୍ୟୁମେଣ୍ଟ କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଛାତ୍ରଛାତ୍ରୀ ଏଜେଣ୍ଟଙ୍କ ଜରିଆରେ କାନାଡ଼ା ଯାଇଥିଲେ । କାନାଡ଼ାର ଟପ୍ ୟୁନିଭରସିଟିରେ ଆଡମିଶନ କରାଇଦେବାର ଲୋଭ ଦେଖାଇ ଏଜେଣ୍ଟ ଛାତ୍ରଛାତ୍ରୀଙ୍କୁ ପ୍ରଲୋଭିତ କରି ନେଇଥାନ୍ତି । ତେବେ ଶିକ୍ଷାନୁଷ୍ଠାନରେ ଜମା କରାଯାଇଥିବା ଡକ୍ୟୁମେଣ୍ଟ ଫେକ୍ ବୋଲି ଯାଞ୍ଚ ସମୟରେ ଜଣାପଡ଼ିଥିଲା । ଅଧିକାଂଶ ଛାତ୍ରଛାତ୍ରୀ ପୂର୍ବରୁ ହିଁ ନିଜର ପାଠପଢ଼ା ସମାପ୍ତ କରିଦେଇଥିଲେ । ଏଥିସହ ୱାର୍କ ପରମିଟ ପ୍ରାପ୍ତ କରିବା ସହ କାର୍ଯ୍ୟ ଅନୁଭବ ମଧ୍ୟ ପ୍ରାପ୍ତ କରିନେଇଥିଲେ । ତେଣୁ ଏବେ ସେମାନଙ୍କ ପାଇଁ ସ୍ଥାୟୀ ନିବାସ ପାଇଁ ଆବେଦନ କରିବା ମୁସ୍କିଲ ହୋଇପଡ଼ିଥିଲା ।

ପ୍ରତିବର୍ଷ ଭାରତରୁ ହଜାର ହଜାର ଛାତ୍ରଛାତ୍ରୀ, ବ୍ରିଟେନ, କାନାଡ଼ା, ଋଷ, ୟୁକ୍ରେନ, ଚୀନ ଆଦି ରାଷ୍ଟ୍ରକୁ ପାଠ ପଢ଼ିବା ପାଇଁ ଯାଇଥାନ୍ତି । ତେବେ ଏ କ୍ଷେତ୍ରରେ ସତର୍କ ନହେଲେ ଛାତ୍ରଛାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବୃଜେଶ ମିଶ୍ରଙ୍କ ନେତୃତ୍ୱରେ ଜଳନ୍ଧର ସ୍ଥିତ ପ୍ରବାସୀ ଶିକ୍ଷା ସେବା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆବେଦନ କରିଥିଲେ । ସମସ୍ତ ଖର୍ଚ୍ଚ ପାଇଁ ପ୍ରତି ପିଲାଠାରୁ ୧୬ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ନିଆଯାଇଥିଲା । ଛାତ୍ରଛାତ୍ରୀମାନେ ୨୦୧୮-୧୯ରେ କାନାଡ଼ା ଯାଇଥିଲେ । ଏହା ପଛରେ ଏକ ବଡ଼ଧରଣର ଧୋକ୍କାବାଜୀ ହୋଇଥିବା ହୋଇଥିବା କୁହାଯାଉଛି । ତେବେ କଳେଜ ଓ ଏଜେଣ୍ଟଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନେକ ଛାତ୍ରଛାତ୍ରୀ ।

Get real time updates directly on you device, subscribe now.