ହଠାତ୍ ରାସ୍ତାରେ ସାଇକେଲ୍ ଚାଳକଙ୍କ ଉପରକୁ ଝାମ୍ପ ମାରିଲା ଭାଲୁ, ସାମ୍ନାକୁ ଆସିଲା ଭୟଙ୍କର CCTV ଭିଡିଓ
ବାଲେଶ୍ୱର ନୀଳଗିରିରେ ସକାଳୁ ସକାଳୁ ଭାଲୁର ଆତଙ୍କ। ରାସ୍ତାରେ ସାଇକେଲ୍ରେ ଯାଉଥିବା ବ୍ୟକ୍ତିଙ୍କ ଆଡ଼କୁ ହଠାତ୍ ଝାମ୍ପିଲା ଭାଲୁ।
ବାଲେଶ୍ୱର: ସକାଳୁ ସକାଳୁ ରାସ୍ତାରେ ଯାଉଥିଲେ ଜଣେ ସାଇକେଲ୍ ଚାଳକ। ହଠାତ୍ ସାମ୍ନାରେ ଆସିଗଲା ଏକ ଭାଲୁ। କିଛି ବୁଝିବା ଆଗରୁ ସାଇକେଲ୍ ଚାଳକଙ୍କ ଆଡ଼କୁ ଝାମ୍ପ ମାରିଲାଲ ବଣୁଆ ଭାଲୁ। ଭୟରେ ସନ୍ତୁଳନ ହରାଇ ତଳେ ପଡ଼ିଗଲେ ବ୍ୟକ୍ତି ଜଣକ।
ତା’ପରେ ଯାହା ଘଟିଲା, ତାହା ଦେଖିଲେ ଆପଣଙ୍କ ଦେହ ମଧ୍ୟ ସିତେଇ ଉଠିବ। ସୌଭାଗ୍ୟବଶତଃ ଏହି ଭୟଙ୍କର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଗଲା ବ୍ୟାଙ୍କିଙ୍କ ତାଙ୍କ ଜୀବନ।
ଘଟଣାଟି ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସି ଅଞ୍ଚଳରେ ଘଟିଛି। ବୁଧବାର ସକାଳେ ନୀଳଗିରି ଏନ୍ଏସିର ୨ ନମ୍ବର ୱାର୍ଡ ଘାଟଘର ସାହି ଅଞ୍ଚଳରେ ଏଭଳି ଭୟାନକ ଘଟଣା ଘଟିଥିବା ଜଣାପଡ଼ିଛି।
CCTVରେ କଏଦ୍ ଭୟାନକ ଦୃଶ୍ୟ: ଘଟଣାର ପୂରା ଦୃଶ୍ୟ ନିକଟରେ ଲାଗିଥିବା CCTV କ୍ୟାମେରାରେ କଏଦ୍ ହୋଇଛି। ଭିଡିଓରେ ଭାଲୁଟି ରାସ୍ତା ଉପରେ ଆସିବା ଏବଂ ସାଇକେଲ୍ ଚାଳକଙ୍କ ଆଡ଼କୁ ହଠାତ୍ ଝାମ୍ପିବା ଦେଖିବାକୁ ମିଳୁଛି।
CCTV ଫୁଟେଜ୍ ସାମ୍ନାକୁ ଆସିବା ପରେ ଘଟଣାଟିକୁ ନେଇ ଅଞ୍ଚଳରେ ଭୟ ଆହୁରି ବଢ଼ିଯାଇଛି। ବିଶେଷକରି ସକାଳୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଏବେ ଚିନ୍ତାରେ ପଡ଼ିଛନ୍ତି।
ଭାଲୁ ଆତଙ୍କ ସତର୍କ ଲୋକେ: ଭାଲୁର ହଠାତ୍ ଆଗମନ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଲୋକମାନେ ଭାଲୁକୁ ଅଞ୍ଚଳରୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ପରେ ଭାଲୁଟି ଜଙ୍ଗଲ ଆଡ଼କୁ ଚାଲିଯାଇଥିବା ଜଣାପଡ଼ିଛି।
ସ୍ଥାନୀୟ ବାସିନ୍ଦାମାନେ ଏନେଇ ବନ ବିଭାଗକୁ ସତର୍କ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ବନ ବିଭାଗ ପକ୍ଷରୁ ମଧ୍ୟ ଅଞ୍ଚଳ ଉପରେ ନଜର ରଖାଯିବା ନେଇ ଆଶ୍ୱାସନ ଦିଆଯାଇଛି।
ସକାଳୁ ସକାଳୁ ରାସ୍ତାରେ ଭାଲୁର ଏଭଳି ଅଚାନକ ଆକ୍ରମଣ ଏବେ ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। CCTVର ଏହି ଦୃଶ୍ୟ ଦେଖିବା ପରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ- ପୁଣି କେବେ ରାସ୍ତାକୁ ଆସିଯିବନି ତ ଭାଲୁ?


