fbpx

ଚୀନ୍ ର ଚିତ୍କାର: ଆମ ଇଚ୍ଛାନୁସାରେ ହିଁ ଚୟନ କରାଯିବ ଦଲାଇ ଲାମାଙ୍କ ଉତ୍ତରାଧିକାରୀ

ଏନେଇ ଶୁକ୍ରମାର ବେଜିଂରେ ଜାରି ହୋଇଛି ଏକ ଶ୍ୱେତପତ୍ର

ନୂଆଦିଲ୍ଲୀ: ଚୀନ ପୁଣି ନିଜର ଦାବି ଦୋହରାଇଛି । ଶୁକ୍ରବାର ଚୀନ୍ ସରକାର କହିଛନ୍ତି ଯେ ୧୪ଶ ଦଳାଇ ଲାମାଙ୍କ ଉତ୍ତରାଧିକାରୀ ସେମାନେ ହିଁ ଚୟନ କରିବେ । ଖାଲି ସେତିକି ନୁହେଁ, ଏଥିସହ ଚୀନ ଚେତାବନୀ ଦେଇଛି ଯେ ଯଦି ସ୍ୱଂୟ ଦଲାଇ ଲାମା କିମ୍ବା ତାଙ୍କ ଅନୁସରଣକାରୀ କେହି ଉତ୍ତରାଧିକାରୀ ଚୟନ କରନ୍ତି, ତେବେ ତାହା ବେଜିଂ ଦ୍ୱାରା ମାନ୍ୟତା ପାଇବ ନାହିଁ । ଏଥିପାଇଁ ଏକ ଶ୍ୱେତପତ୍ର ଜାରି କରି ଚୀନ୍ ସରକାର ଦାବି କରିଛନ୍ତି ଯେ ଦଲାଇ ଲାମାଙ୍କ ପୁନର୍ଜନ୍ମ ଓ ଅନ୍ୟ ଜୀବୀତ ବୌଦ୍ଧ ସନ୍ନ୍ୟାସୀଙ୍କୁ ଚିଙ୍ଗ୍ ରାଜବଂଶ ସମୟରୁ ହିଁ ସେମାନେ ମଞ୍ଜୁରୀ ପ୍ରଦାନ କରିଆସୁଛନ୍ତି । ତେଣୁ ଏହା ଚୀନ୍ ସରକାରଙ୍କ ଅଧିକାର ।

ଏଥିସହ ସରକାରୀ ଶ୍ୱେତପତ୍ରରେ କୁହାଯାଇଛି କି ତିବତ ପ୍ରାଚୀନ କାଳରୁ ଚୀନର ଅବିଭାଜ୍ୟ ଅଙ୍ଗ ଭାବେ ରହିଆସିଛି । ୧୭୯୩ରେ ଗୋରଖାମାନେ ଅନୁପ୍ରବେଶ କରିବା ସହ ଆକ୍ରମଣ କରିବା ପରେ ଚିଙ୍ଗ୍ ସରକାର ତିବତରେ ଏକ ସମୃଦ୍ଧ ଓ ଶକ୍ତିଶାଳୀ ଶାସନ ବ୍ୟବସ୍ଥା ପାଇଁ ଅଧ୍ୟାଦେଶ ଜାରି କରିଥିଲେ । ଅନ୍ୟପକ୍ଷରେ ଚୀନରେ ୧୬୪୪ରୁ ୧୯୧୧ ପର୍ଯ୍ୟନ୍ତ ଚିଙ୍ଗ୍ ରାଜବଂଶ ରହିଥିଲେ । ତେବେ ୧୪ଶ ତଥା ବର୍ତ୍ତମାନର ଦଲାଇ ଲାମା ୮୫ବର୍ଷ ବୟସ୍କ ହୋଇଗଲେଣି । ତିବତ ଉପରେ ଚୀନର କାର୍ଯ୍ୟାନୁଷ୍ଠାନ ପରେ ସେ ୧୯୫୯ ମସିହାରେ ଭାରତ ପଳାୟନ କରିଥିଲେ ବୋଲି ଚୀନ୍ ଶ୍ୱେତପତ୍ରରେ ଉଲ୍ଲେଖ କରିଛି । ଭାରତ ସରକାର ତାଙ୍କୁ ରାଜନୀତି ଶରଣ ଦେବା ପରେ ସେ ହିମାଚଳ ପ୍ରଦେଶର ଏକ ଧର୍ମଶାଳାରେ ରହିଆସୁଛନ୍ତି ବୋଲି ଦର୍ଶାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ନେଇ ବିଗତ କିଛି ବର୍ଷ ଧରି ବିବାଦ ଲାଗି ରହିଛି । ଏପରିକି ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଛି । ଆମେରିକା ସ୍ପଷ୍ଟ କରିଛି ଯେ ଉତ୍ତରାଧିକାରୀ ଚୟନ ପାଇଁ ଦଲାଇ ଲାମା, ତିବତୀ ବୌଦ୍ଧ ନେତା ଏବଂ ତିବତବାସୀଙ୍କ ଅଧିକାର ରହିଛି । ଏଥିସହ ଆମେରିକା କଂଗ୍ରେସ ତିବେତାନ ପଲିସି ଆଣ୍ଡ୍ ସପୋର୍ଟ ଆକ୍ଟ ଅଫ୍ ୨୦୨୦ (TPSA) ମଧ୍ୟ ପାରିତ କରିଥିଲା । ଏତେ ସବୁ ପରେ ମଧ୍ୟ ଚୀନର ବୈଦେଶିକ ମନ୍ତ୍ରଣାଳୟ କହିଆସୁଛି ଯେ ୧୪ଶ ଦଲାଇ ଲାମାଙ୍କୁ ଧାର୍ମିକ ଓ ଐତିହାସିକ ପରମ୍ପରା ପାଳନ କରୁଥିବା ହିସାବରେ ଚୟନ କରାଯାଇଥିଲା କିନ୍ତୁ ଏଥର ତାଙ୍କ ଉତ୍ତରାଧିକାରୀ କେବଳ ଚୀନ୍ ସରକାରଙ୍କ ହିଁ ଚୟନ କରିବେ ।

Get real time updates directly on you device, subscribe now.