ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳକୁ ନେଇ ସପ୍ତମ ଘରେ ମମତାଙ୍କ ରାଗ, କହିଲେ ‘ମୁଁ ଇସ୍ତଫା ଦେବିନି, ବହିଷ୍କାର କର
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳକୁ ନେଇ ସପ୍ତମ ଘରେ ମମତାଙ୍କ ରାଗ
Mamata Banerjee: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳକୁ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ରାଗ ବର୍ତ୍ତମାନ ଚରମ ସୀମାରେ । ନିର୍ବାଚନ ଫଳାଫଳ ବାହାରିବାର ୨ ଦିନ ବିତିଯାଇଥିଲେ ମଧ୍ୟ ନିଜ ପରାଜୟକୁ ଗ୍ରହଣ କରିପାରୁନାହାଁନ୍ତି ମମତା । ପ୍ରବଳ ଅସନ୍ତୋଷ ପ୍ରକାଶ କରି ଦିଦି ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦଳର ପରାଜିତ ପ୍ରାର୍ଥୀମାନଙ୍କୁ ଏକ ଷଡ଼ଯନ୍ତ୍ର ମାଧ୍ୟମରେ ଜବରଦସ୍ତି ହରାଇ ଦିଆଯାଇଛି। ଏଥିପାଇଁ ସେ ନିର୍ବାଚନ କମିଶନ, ପଶ୍ଚିମବଙ୍ଗ ପୋଲିସ, CRPF ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦଳର ୧୫୦୦ରୁ ଅଧିକ କାର୍ଯ୍ୟାଳୟକୁ ଜବରଦଖଲ କରାଯାଇଛି।
ବରଖାସ୍ତ କରନ୍ତୁ, ଇସ୍ତଫା ଦେବିନି
ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ, ନବ ନିର୍ବାଚିତ ବିଧାୟକମାନଙ୍କ ସହ ହୋଇଥିବା ଏକ ବୈଠକରେ ମମତା କହିଛନ୍ତି, “ବଙ୍ଗଳା ପରେ ଏବେ INDIA ମେଣ୍ଟ ଏକଜୁଟ ଅଛି। ମୁଁ ଇସ୍ତଫା ଦେବି ନାହିଁ, ଚାହିଁଲେ ସେମାନେ ମୋତେ ବରଖାସ୍ତ କରିପାରନ୍ତି। ମୁଁ ଚାହୁଁଛି ଏହା ଏକ କଳା ଦିବସ ହେଉ। ଆମକୁ ଶକ୍ତ ରହିବାକୁ ହେବ। ବିଧାନସଭାର ପ୍ରଥମ ଦିନରେ ଟିଏମସିର ସମସ୍ତ ବିଧାୟକ କଳା ପୋଷାକ ପିନ୍ଧିବେ। ଯେଉଁମାନେ ଦଳ ସହ ବିଶ୍ୱାସଘାତକତା କରିଛନ୍ତି, ସେମାନଙ୍କୁ ବାହାର କରିଦିଆଯିବ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନୈତିକ ଭାବେ ବିଜୟୀ ହୋଇଛନ୍ତି ଏବଂ ଜଣେ ମୁକ୍ତ ପକ୍ଷୀ ପରି ସମସ୍ତଙ୍କ ପାଇଁ କାମ କରିଛନ୍ତି।
ହିଂସା ପାଇଁ ନିର୍ବାଚନ କମିଶନ ଦାୟୀ
ସେହିପରି ଟିଏମସି ମୁଖପାତ୍ର ତଥା ବିଧାୟକ କୁନାଲ ଘୋଷ କହିଛନ୍ତି ଯେ, ହିଂସା ରୋକିବା ନିର୍ବାଚନ କମିଶନଙ୍କ ଦାୟିତ୍ୱ। ବିଜେପି ଯାହା କହିଥିଲା ଏବଂ ବାସ୍ତବରେ ଯାହା ଘଟୁଛି, ତାହା ସମ୍ପୂର୍ଣ୍ଣ ଓଲଟା। ମମତା ବାନାର୍ଜୀଙ୍କ ଇସ୍ତଫା ନଦେବା ନିଷ୍ପତ୍ତି ହେଉଛି ବିଜେପି ଦ୍ୱାରା ହୋଇଥିବା ‘ଭୋଟ୍ ଚୋରି’ ବିରୋଧରେ ଏକ ପ୍ରତୀକାତ୍ମକ ପ୍ରତିବାଦ। ବିଧାନସଭାରେ ବିରୋଧୀ ଦଳ ନେତା କିଏ ହେବେ ଏବଂ ଦଳର ରଣନୀତି କଣ ରହିବ, ସେ ନେଇ ‘ଦିଦି’ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣୀୟ ହେବ।
ସରକାର ଗଠନ ପ୍ରକ୍ରିୟା ଆରମ୍ଭ
ତେବେ କହିରଖୁଛୁ ଯେ, ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ସରକାର ଗଠନ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିବା ସହ ଜନାଦେଶ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଅଗ୍ରୱାଲ ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ କମିଶନଙ୍କ ଭୂମିକା କେବଳ ନିର୍ବାଚନ ପରିଚାଳନା ଏବଂ ଫଳାଫଳ ଘୋଷଣା କରିବା ପର୍ଯ୍ୟନ୍ତ ସୀମିତ, ଏହା ପରବର୍ତ୍ତୀ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ ଅନୁଯାୟୀ କରାଯିବ।
