fbpx

ଓଏସଡିରେ ମୋର କେହିବି ସମ୍ପର୍କୀୟ ନାହାନ୍ତି: ଜଗଦୀପ ଧନଖଡ଼

କୋଲକାତା: ଓଏସଡି ପଦକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ରଣଦୀପ ଧନଖଡ଼ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା କଥା କଟାକଟି ହୋଇଛନ୍ତି । ରାଜ୍ୟପାଳ ନିଜର ତିନି ଜଣ ସଂପର୍କୀଙ୍କୁ ରାଜଭବନରେ ଚାକିରି ଦେଇଛନ୍ତି ବୋଲି ମହୁଆ ଅଭିଯୋଗ କରିଥିଲେ । ଏହାକୁ ଖଣ୍ଡନ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ । ସେ ଏକ ଟ୍ୱିଟ କରି କହିଛନ୍ତି ଯେ ଏହି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ । ତାଙ୍କର କୌଣସି ବି ପରିବାର ଲୋକଙ୍କୁ ରାଜଭବନରେ ଚାକିରି ଦିଆଯାଇନାହିଁ । ସେହିପରି ସଂପୃକ୍ତ ୪ ଜଣ ତାଙ୍କ ଜାତିର ବି ନୁହନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।

ରବିବାର ମହୁଆ ଅଭିଯୋଗ କରିଥିଲେ ଯେ ରାଜ୍ୟପାଳ ତାଙ୍କର ୩ଜଣ ସଂପର୍କୀୟଙ୍କୁ ରାଜଭବନରେ ଓଏସଡି ପଦବୀରେ ନିଯୁକ୍ତ କରିଛନ୍ତି । ଏହା ସହ ରାଜଭବନରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ୩ଜଣ ସଂପର୍କୀୟଙ୍କୁ ମଧ୍ୟ ରାଜଭବନରେ ନିଯୁକ୍ତି ଦିଆଯାଇଛି । ମୋଇତ୍ରାଙ୍କ ଅଭିଯୋଗ ପରେ ରାଜ୍ୟପାଳ କହିଛନ୍ତି ଯେ ଟିଏମସି ସାଂସଦ ରାଜ୍ୟରେ ବିଗିଡ଼ିଥିବା ଆଇନଶୃଙ୍ଗଳା ଉପରୁ ଧ୍ୟାନ ହଟାଇବାକୁ ଏଭଳି ବୟାନ ଦେଇଛନ୍ତି । ସେ ଟ୍ୱିଟ କରିଛନ୍ତି ଯେ ମମତା ବାନାର୍ଜୀଙ୍କ ଶାସନରେ ବିଗିଡିଥିବା ଆଇନ ବ୍ୟବସ୍ଥା ଉପରୁ ଧ୍ୟାନ ହଟାଇବା ପାଇଁ ଏହା ଏକ ରଣନୀତି ।

ମୋଇତ୍ରା ଆହୁରି କହିଥିଲେ ରାଜ୍ୟପାଳ ତାଙ୍କର ବଡ଼ ପରିବାର ସହ ପଶ୍ଚିମବଙ୍ଗରୁ ଚାଲିଗଲେ ରାଜ୍ୟର ସ୍ଥିତି ସୁଧୁରିଯିବ । ଜଗଦୀପ ଧନଖଡ଼ ଜୁଲାଇ ୨୦୧୯ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ସେବେଠାରୁ ହିଁ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସହ ତାଙ୍କର ତିକ୍ତତା ଦେଖାଦେଇଛି । ଟିଏସି ନେତାଙ୍କ ତରଫରୁ ଅନେକ ଥର ରାଜ୍ୟପାଳଙ୍କୁ ବିଜେପିର ଏଜେଣ୍ଟ ବୋଲି ଅଭିଯୋଗ ଲଗାଯାଇଛି । ସେହିଭଳି ରାଜ୍ୟପାଳ ପଶ୍ଚିମବଙ୍ଗରେ ଆଇନ ବ୍ୟବସ୍ଥା ଉପରେ ଏବଂ ନିର୍ବାଚନୀ ହିଂସାକୁ ନେଇ ମମତା ବାନାର୍ଜୀଙ୍କ ସରକାର ଉପରେ ଅନେକ ଥର ସମାଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ନିର୍ବାଚନ ପରେ ହୋଇଥିବା ହିଂସାକୁ ରୋକିବାରେ ମମତା ସରକାର ଅସଫଳ ହୋଇଛନ୍ତି ବୋଲି ନିକଟରେ ରାଜ୍ୟପାଳ ଜଗଦୀପ ଧନଖଡ଼ ମତ ଦେଇଥିଲେ । ଏଥିସହ ରାଜନୈତିକ ହିଂସା ଯୋଗୁଁ ଉପୁଜୁଥିବା ସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ ସୋମବାର ମମତାଙ୍କୁ ଡାକିଥିଲେ ।

Get real time updates directly on you device, subscribe now.