କସରତ ଆରମ୍ଭ; ୯ରେ ଶପଥ ଗ୍ରହଣ, ତା’ପୂର୍ବରୁ ବିଧାୟକ ଦଳ ବୈଠକ

ଶପଥ ଗ୍ରହଣ ଉତ୍ସବ ପୂର୍ବ ଦିନ ଅର୍ଥାତ ୮ ତାରିଖରେ ବିଧାୟକ ଦଳ ବୈଠକ ବସିବ। ସେଥିରେ ନେତା ଚୟନ କରାଯିବ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ପରାସ୍ତ ହୋଇଛି। ବହୁ ମତ ପାଇଁ ନୂଆ ସରକାର ଗଠନ ପାଇଁ ବିଜେପି ଆଗରେ ରହିଛି। ଆସନ୍ତା ୯ ତାରିଖରେ ନୂଆ ସରକାରର ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଶପଥଗ୍ରହଣ ଉତ୍ସବ ବ୍ରିଗେଡ ପେରେଡ୍ ଗ୍ରାଉଣ୍ଡରେ ହେବ। ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ଶାମୀକ ଭଟ୍ଟାଚାର୍ଯ୍ୟ।

ସେ କହିଛନ୍ତି, ଶପଥ ଗ୍ରହଣ ଉତ୍ସବ ପୂର୍ବ ଦିନ ଅର୍ଥାତ ୮ ତାରିଖରେ ବିଧାୟକ ଦଳ ବୈଠକ ବସିବ। ସେଥିରେ ନେତା ଚୟନ କରାଯିବ।

ତେବେ ଏଠି ପ୍ରଶ୍ନ ଉଠୁଛି, ନିର୍ବାଚନ ଫଳାଫଳ ପ୍ରକାଶ ପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ? ଚର୍ଚ୍ଚାରେ ଅଛନ୍ତି ସୁଭେନ୍ଦୁ ଅଧିକାରୀ, ଦିଲ୍ଲୀପ ଘୋଷ, ସୁକାନ୍ତ ମଜୁମ୍‌ଦାର, ରୂପା ଗାଙ୍ଗୁଲି, ଅଗ୍ନିମିତ୍ର ପାଲ ଓ ଶାମୀକ ଭଟ୍ଟାଚାର୍ଯ୍ୟ। ତେବେ ଏମାନଙ୍କ ଭିତରୁ ସବୁଠାରୁ ଆଗରେ ମମତାଙ୍କ କଟ୍ଟର ବିରୋଧୀ ତଥା ପଶ୍ଚିମବଙ୍ଗର ଫାୟାର ବ୍ରାଣ୍ଡ ନେତା ସୁଭେନ୍ଦୁ ଅଧିକାରୀ। ମିଳିଥିବା ସୂଚନା ଅନୁସାରେ ସେ(ସୁଭେନ୍ଦୁ) ଦିଲ୍ଲୀ ଯାଇଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ; ପଶ୍ଚିମବଙ୍ଗରେ ଟିଏମ୍‌ସିକୁ ହରାଇ ପ୍ରଥମ କରି ବିଜେପି କ୍ଷମତା ଆସିଛି। ଗତ ୧୦ ବର୍ଷ ଭିତରେ ବିଜେପି ୩ଟି ଆସନରୁ ଆଜି ୨୦୭ରେ ପହଞ୍ଚିଛି। ତେବେ ନିର୍ବାଚନରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା ଭବାନୀପୁର। ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଗଡ଼ ଭାବେ ପରିଚିତ ଏହି ନିର୍ବାଚନମଣ୍ଡଳୀରେ ବିଜେପିରୁ ସୁଭେନ୍ଦୁ ଅଧିକାରୀ କଡ଼ା ଟକ୍କର ଦେଇଥିଲେ। ଆଉ ଶେଷରେ ମମତାଙ୍କୁ ୧୫ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ଏହା ପୂର୍ବରୁ ଅର୍ଥାତ ୨୦୨୧ ନିର୍ବାଚନରେ ମମତାଙ୍କୁ ସୁଭେନ୍ଦୁ ନନ୍ଦିଗ୍ରାମରେ ହରାଇଥିଲେ। ଏହା ହେଉଛି ମମତାଙ୍କ ଦ୍ୱିତୀୟ ପରାଜୟ।