ଏୟାରପୋର୍ଟରେ ସାଧୁ ବେଶରେ ଭିକ୍ଷା ମାଗୁଥିଲେ, ବାନ୍ଧିଲା ପୋଲିସ
ଗିରଫ ଦୁଇ ଜଣ ହେଲେ ଭେଙ୍କଟ ଦିନେଶ କୁମାର ଓ ପ୍ରତୀକ ଭାଟିଆ। ସେମାନେ ବିମାନବନ୍ଦରର ଟର୍ମିନାଲ-୨ରେ ଗେରୁଆ ବସ୍ତ୍ର ପିନ୍ଧି ଓ ହାତରେ ମାଳା ଧରି ଯାତ୍ରୀଙ୍କୁ ଟଙ୍କା ମାଗୁଥିଲେ।
ବେଙ୍ଗାଲୁରୁ: ଦେହରେ ଗେରୁଆ ବସ୍ତ୍ର, ହାତରେ ମାଳା। ବେଶଭୂଷା ଦେଖିଲେ ଲୋକେ ଭାବିବେ, ସେମାନେ କୌଣସି ସାଧୁ-ସନ୍ଥ ହୋଇଥିବେ। କିନ୍ତୁ ଅଭିଯୋଗ ହେଉଛି, ଏହି ବେଶ ଆଢ଼ୁଆଳରେ ଏମାନେ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କଠାରୁ ଟଙ୍କା ମାଗୁଥିଲେ। ସାଧୁ ବେଶରେ ଭିକ୍ଷା ମାଗିବା ଅଭିଯୋଗରେ ଏବେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ଦୁଇ ଜଣ ହେଲେ ଭେଙ୍କଟ ଦିନେଶ କୁମାର ଓ ପ୍ରତୀକ ଭାଟିଆ। ସେମାନେ ବିମାନବନ୍ଦରର ଟର୍ମିନାଲ-୨ରେ ଗେରୁଆ ବସ୍ତ୍ର ପିନ୍ଧି ଓ ହାତରେ ମାଳା ଧରି ଯାତ୍ରୀଙ୍କୁ ଟଙ୍କା ମାଗୁଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିଛି।
ପୋଲିସର କହିବା ଅନୁଯାୟୀ, ଦୁହେଁ ପ୍ରତିଦିନ ପାଳି କରି ଏହି କାମ କରୁଥିଲେ। କେତେବେଳେ ପର୍ସ ହଜି ଯାଇଛି ଓ ପରୀକ୍ଷା ଦେବା ବାହାନାରେ ଯାଇ ଟଙ୍କା ମାଗୁଥିଲେ, ତ ଆଉ କେତେବେଳେ ଗେରୁଆ ବସ୍ତ୍ର ଏବଂ ମାଳା ପିନ୍ଧି ସାଧୁଙ୍କ ଭଳି ବେଶ ଧାରଣ କରୁଥିଲେ। ଏହି ଉପାୟରେ ସେମାନେ ଯାତ୍ରୀଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି।
ଏହା ପୂର୍ବରୁ ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀର ଅମିନ ନାମକ ଜଣେ ବ୍ୟକ୍ତି ପର୍ସ ହଜି ଯାଇଥିବା କହି କ୍ୟୁଆର କୋଡ ଦେଖାଇ ଟଙ୍କା ମାଗୁଥିବାରୁ ପୋଲିସ ଚେତାବନୀ ଦେଇ ଛାଡ଼ିଥିଲା। ଏହା ସତ୍ତ୍ୱେ ଦୁଇ ଅଭିଯୁକ୍ତ ନିଜ କାର୍ଯ୍ୟ ଜାରି ରଖିଥିବା ପୋଲିସ କହିଛି।
ଗତ ଦୁଇ ଦିନ ଧରି ସେମାନଙ୍କୁ ବିମାନବନ୍ଦରର ଟର୍ମିନାଲ-୨ରେ ଏଭଳି କାର୍ଯ୍ୟକଳାପ କରୁଥିବା ଦେଖାଯାଇଥିଲା। ସେମାନଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ପୋଲିସ ଉଭୟଙ୍କୁ ଧରିଥିଲା। ଏହି ଘଟଣାରେ କେମ୍ପେଗୌଡ଼ା ବିମାନବନ୍ଦର ଥାନାରେ ମାମଲା ରୁଜୁ ହୋଇଛି। ଆଗକୁ ଆଇନଗତ କାର୍ୟ୍ୟାନୁଷ୍ଠାନ ଜାରି ରହିଛି।
ସାଧୁ ବେଶ ଦେଖି ସହଜରେ ବିଶ୍ୱାସ କରିବା ଉଚିତ କି? ଏହି ଘଟଣା ଯାତ୍ରୀଙ୍କୁ ସତର୍କ ରହିବାର ବାର୍ତ୍ତା ଦେଉଛି। ତେବେ ଅଭିଯୁକ୍ତଙ୍କ ବିରୋଧରେ ଥିବା ଅଭିଯୋଗର ଆଇନଗତ ବିଚାର ଏବେ ବାକି ରହିଛି।


