ସରିନି ସପନ, ଉଠିଲା କୋକେଇ; ସନ୍ଦେହ ନିଆଁରେ ଜଳିଲା ଜୁଈ!

ବାପ ଘରୁ ସ୍କର୍ପିଓ ଓ ଟଙ୍କା ଆଣିବାକୁ କହୁଥିଲେ। ହେଲେ ସୁକୁର୍ତ୍ତି ରାଜି ହୋଇନଥିଲେ। ଯେଉଁଥିପାଇଁ ସୁକୁର୍ତ୍ତିଙ୍କୁ ତାଙ୍କ ସ୍ୱାମୀ, ଶାଶୂ ଓ ଶ୍ୱଶୁର ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ

ଜୟପୁର: ୧୦ ମାସର ବୈବାହିକ ଜୀବନ। ଅନେକ ସପନ ଦେଖି ବାପା-ମାଆଙ୍କ ପଣତକୁ ଛାଡ଼ି ସ୍ୱାମୀଙ୍କ ହାତ ଧରି ଆସିଥିଲେ। ଭାବିଥିଲେ ନୂଆକରି ଆଉ ଥରେ ଜୀବନ ଗଢ଼ିବେ। ହେଲେ ଭାଗ୍ୟର ବିଡ଼ମ୍ବନା, ସପନ ପୂରଣ ହେବା ପୂର୍ବରୁ ଯୌତୁକ ଯନ୍ତ୍ରଣାରେ ଲିଭିଗଲା। ଅଧୁରା ସ୍ୱପ୍ନ ଧରି କୋକେଇରେ ବାହୁଡ଼ିଗଲେ ଆଉ ଏକ ଦୁନିଆକୁ। ହେଲେ ଛାଡ଼ିଗଲେ ଦୁଇ ପୃଷ୍ଠାର ଚିଠି। ଯାହାକୁ ଧରି ରାଜସ୍ଥାନ ପୋଲିସ ଘଟଣାର ତଦନ୍ତ ଚଳାଇଛି।

ରାକେଶ କୁମାରଙ୍କ ଦୁଇ ଝିଅ ସୁକୁର୍ତ୍ତି ଓ ଅଞ୍ଜଳି ଯାଦବ ଭରତପୁରର ମଥୁରା ଗେଟ୍ ଥାନା ଅଞ୍ଚଳର ଲକ୍ଷ୍ମୀ ନଗର କଲୋନୀରେ ଗୋଟିଏ ପରିବାରରେ ଦୁଇ ଭାଇଙ୍କୁ ବିବାହ କରିଥିଲେ। ଆଜକୁ ୧୦ ମାସ ତଳେ ବୈଦିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ବାହାଘରର କିଛି ଦିନ ପାରିବାରିକ ସମ୍ପର୍କ ଠିକ୍ ଥିଲା। ହେଲେ ପରବର୍ତ୍ତୀ ସମୟରେ ବିଗିଡ଼ି ଯାଇଥିଲା। ସୁକୁର୍ତ୍ତିଙ୍କୁ ଦିଆଯାଉଥିଲା ନାନା ନିର୍ଯାତନା।

ବାପ ଘରୁ ସ୍କର୍ପିଓ ଓ ଟଙ୍କା ଆଣିବାକୁ କହୁଥିଲେ। ହେଲେ ସୁକୁର୍ତ୍ତି ରାଜି ହୋଇନଥିଲେ। ଯେଉଁଥିପାଇଁ ସୁକୁର୍ତ୍ତିଙ୍କୁ ତାଙ୍କ ସ୍ୱାମୀ, ଶାଶୂ ଓ ଶ୍ୱଶୁର ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ଦିନକୁ ଦିନ ନିର୍ଯାତନା ବଢ଼ିବାରୁ ଆତ୍ମହତ୍ୟାର ରାସ୍ତା ବାଛି ଥିଲେ। ହେଲେ ସୁକୁର୍ତ୍ତିଙ୍କ ଆତ୍ମହତ୍ୟାକୁ ଗ୍ରହଣ କରିପାରୁନାହାନ୍ତି ତାଙ୍କ ବାପା। ତାଙ୍କୁ ଶାଶୂ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ଏକ ସାଇସାଇଡ୍ ନୋଟ୍ ଜବତ କରିଛି ପୋଲିସ।

ଆତ୍ମହତ୍ୟା ପୂର୍ବରୁ ସୁକୁର୍ତ୍ତି ଲେଖିଥିଲେ ଜୀବନର ଶେଷ ଚିଠି। ଯେଉଁ ଚିଠିରେ ସୁକୁର୍ତ୍ତି ନିଜ ବିବାହିତ ଜୀବନର ଭଲ ସମୟ ଗୁଡ଼ିକୁ ମନେ ପକାଇଛନ୍ତି। ସ୍ୱାମୀଙ୍କ ସହ ଭଲ ଜୀବନ ବିତାଇବା ଏବଂ ସମ୍ପର୍କକୁ ମଜବୁତ କରିବାର ଇଚ୍ଛା ଥିବା ସେ ଲେଖିଛନ୍ତି। ହେଲେ ସମ୍ପର୍କରେ ସନ୍ଦେହ ଆସିବା ପରେ ପରିସ୍ଥିତି ବଦଳି ଯାଇଛି ବୋଲି ଚିଠିରେ ଲେଖିଛନ୍ତି। ଏଠି ହିଁ ରହିଛି ମାମଲାର ସବୁଠାରୁ ବଡ଼ ପ୍ରଶ୍ନ। ଗୋଟିଏ ପଟେ ବାପାଙ୍କ ଯୌତୁକ ନିର‌୍ୟାତନା ଓ ହତ୍ୟା ଅଭିଯୋଗ, ଅନ୍ୟପଟେ ସୁକୁର୍ତ୍ତିଙ୍କ ଚିଠିରେ ଥିବା ସମ୍ପର୍କ ଓ ସନ୍ଦେହର କଥା। ତେବେ ତାଙ୍କ ମୃତ୍ୟୁ ପଛରେ କେଉଁ କାରଣ ଥିଲା, ତାହା ଏବେ ତଦନ୍ତର ବିଷୟ। ପୋଲିସ ସୁକୁର୍ତ୍ତିଙ୍କ ଚିଠି, ଏଫ୍‌ଏସ୍‌ଏଲ ରିପୋର୍ଟ, ପୋଷ୍ଟମର୍ଟମ ରିପୋର୍ଟ ଓ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଘଟଣାର ସମସ୍ତ ଦିଗ ଯାଞ୍ଚ କରୁଛି।