fbpx

କରୋନା କଟକଣା ପାଇଁ ପୁରୀ ଯିବା ମନା, ଘରେ କୁନି ରଥ ତିଆରି କରି ଟାଣିଲେ ସପରିବାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଚଳିତ ବର୍ଷ ଘୋଷଯାତ୍ରାରେ କୋଭିଡ୍ ପାଇଁ ଭକ୍ତମାନଙ୍କୁ ବଡ଼ଦାଣ୍ଡକୁ ଯିବାକୁ ଅନୁମତି ମିଳିନାହିଁ । ତେଣୁ ଭକ୍ତ ବା କେମିତି ରହିପାରିଥାନ୍ତା କାଳିଆକୁ ଥରୁଟିଏ ଦର୍ଶନ ନକରି । ବଡ଼ଦାଣ୍ଡ ଯଦି ମନା, ନିଜ ଘରର ଅଗଣା ତ କାଳିଆ ପାଇଁ ରହିଛି । ଏଇ ଭାବନା ମନରେ ରଖି ଭୁବନେଶ୍ୱରର ଏକ ପରିବାର ମହାପ୍ରଭୁଙ୍କ କୁନି ରଥ ନିର୍ମାଣ କରି ନିଜ ଘର କ୍ୟାମ୍ପସ୍ ମଧ୍ୟରେ ଟାଣିଛନ୍ତି ।

ଭୁବନେଶ୍ୱରରେ ରୁହନ୍ତି ଜଗନ୍ନାଥପ୍ରେମୀ ସିଦ୍ଧାର୍ଥଙ୍କ ପରିବାର । ସିଦ୍ଧାର୍ଥ ୬ ବର୍ଷର ହୋଇଥିବା ବେଳୁ ପ୍ରଭୁ ଜଗନ୍ନାଥଙ୍କ ସେବା କରିଆସୁଛନ୍ତି ବୋଲି କହିଛନ୍ତି ତାଙ୍କର ବାପା । ପ୍ରଥମେ ଚେୟାର ଆଉ ତା’ପରେ ବତା ଫାଳିଆରେ ମହାପ୍ରଭୁଙ୍କ ରଥ ନିର୍ମାଣ କରି ୧୦ ବର୍ଷ ହେଲା ସିଦ୍ଧାର୍ଥ ଜଗନ୍ନାଥଙ୍କ ରଥଯାତ୍ରା କରିଆସୁଛନ୍ତି । କରୋନା ପାଇଁ ପୁରୀ ସିନା ମନା, ହେଲେ ମନରେ ଭକ୍ତି ଥିଲେ ଠାକୁର ସ୍ୱୟଂ ଭକ୍ତ ପାଖକୁ ଚାଲି ଆସିବେ, ଏକଥା ଅନୁଭବ କରିପାରିଥିଲେ ଭକ୍ତ ସିଦ୍ଧାର୍ଥ । ସେଥିପାଇଁ ବାପା, ମାଆ, ଭାଇ, ଭଉଣୀ ସମସ୍ତେ ମିଶି ରୀତିନୀତି ଅନୁଯାୟୀ ପହଣ୍ଡି, ଘଣ୍ଟ ହୁଳହୁଳିର ଧ୍ୱନିରେ ଭକ୍ତିର ସହ ରଥଯାତ୍ରା ପାଳନ କରିଛନ୍ତି ।

Get real time updates directly on you device, subscribe now.