ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଜେଲ ଗଲେ ପତ୍ନୀ ବିଦ୍ୟାଭାରତୀ

ଜେଲ ଗଲେ ମୃତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା।

ପାରଳାଖେମୁଣ୍ଡି: ଦୀର୍ଘ ୫ ବର୍ଷର ଲୁଚକାଳି ଖେଳ ଶେଷ। ଜେଲ ଗଲେ ମୃତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ଆଜି ସେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତା’ପରେ ତାଙ୍କୁ ପାରଳାଖେମୁଣ୍ଡି ସବ୍‌ଜେଲକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ମାମଲାରେ ଜେଲରେ ଅଛନ୍ତି ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ।

ଘଟଣାଟି ୨୦୨୧ ଜୁଲାଇ ୧୧ ତାରିଖରେ ଘଟିଥିଲା। ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ରହସ୍ୟଜନକ ପରିସ୍ଥିତିରେ ପୋଡ଼ି ଯାଇଥିଲେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡ଼ିକାଲ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ଓ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଜୁଲାଇ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସେତେବେଳେ ସାରା ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଥିଲା।

ପରବର୍ତ୍ତୀ ସମୟରେ ଏହି ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ନାମ ସାମ୍ନାକୁ ଆସିଥିଲା। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେବାକୁ ହାଇକୋର୍ଟ ପୂର୍ବରୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିବା ସହ ତାଙ୍କୁ ଅଗ୍ରିମ ଜାମିନ ଆବେଦନ କରିବାର ସୁଯୋଗ ଦେଇଥିଲେ। ଏହା ପରେ ବିଦ୍ୟାଭାରତୀ ଅଧିକ ସମୟ ମାଗିବାରୁ ହାଇକୋର୍ଟ ତାଙ୍କୁ ଅକ୍ଟୋବର ୩୦ ସୁଦ୍ଧା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେବାକୁ ସମୟ ଦେଇଥିଲେ।

ଅନ୍ୟପଟେ ଗିରଫଦାରୀ ଆଶଙ୍କାରେ ବିଦ୍ୟାଭାରତୀ ଅଗ୍ରିମ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କ ଜାମିନ୍ ଆବେଦନ ଖାରଜ କରିଦେଇଥିଲେ ଓଡିଶା ହାଇକୋର୍ଟ।