ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି, ଜେଲ୍ରୁ ହସ୍ପିଟାଲ୍ ସ୍ଥାନାନ୍ତର ହେବେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ
ଜେଲ୍ରୁ ହସ୍ପିଟାଲ୍ ସ୍ଥାନାନ୍ତର ହେବେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ
ଓଡ଼ିଶା ଭାସ୍କର ଡେସ୍କ: ପାକିସ୍ତାନର ସର୍ବୋଚ୍ଚ ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆଜି ସୁପ୍ରିମକୋର୍ଟ ପାକିସ୍ତାନ ତେହରିକ୍-ଏ-ଇନସାଫ୍ ର ପ୍ରତିଷ୍ଠାତା ଇମ୍ରାନ ଖାନ, ଯିଏକି ଗତ ୩ ବର୍ଷ ଧରି ଅଦିଆଲା ଜେଲ୍ରେ ବନ୍ଦୀ ଅଛନ୍ତି, ତାଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚିକିତ୍ସା ପାଇଁ ‘ଶିଫା ଇଣ୍ଟରନ୍ୟାସନାଲ୍ ହସ୍ପିଟାଲ୍’କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ ଉପଯୁକ୍ତ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ସୁନିଶ୍ଚିତ କରିବାକୁ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ଏକ ତିନିଜଣିଆ ଖଣ୍ଡପୀଠ ଏହି ଆଦେଶ ଦେଇ ଇମ୍ରାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ୍ ବୋର୍ଡ ଗଠନ କରିବା ସହ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଡାକ୍ତରଖାନାକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ହସ୍ପିଟାଲ୍ ବାହାରେ ଯେପରି ଆଇନଶୃଙ୍ଖଳା ପରିସ୍ଥିତି ନ ବିଗିଡ଼େ, ତାହା ଉପରେ ନଜର ରଖିବାକୁ କୁହାଯାଇଛି।
ସମ୍ପୂର୍ଣ୍ଣ ମେଡିକାଲ୍ ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ: ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ସାକ୍ଷାତ ସମ୍ପର୍କିତ ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ଶାହିଦ୍ ୱାହିଦ୍ ପ୍ରଶ୍ନ କରିଥିଲେ ଯେ ତାଙ୍କର ସମ୍ପୂର୍ଣ୍ଣ ମେଡିକାଲ୍ ରେକର୍ଡ କାହିଁକି ପ୍ରଦାନ କରାଯାଇ ନାହିଁ। କୋର୍ଟରେ କେବଳ ରିପୋର୍ଟର ସଂକ୍ଷିପ୍ତ ବିବରଣୀ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରି ଆଗାମୀ ଶୁଣାଣି ପୂର୍ବରୁ ସମସ୍ତ ମୂଳ ଡାକ୍ତରୀ ରେକର୍ଡ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ହୃଦ୍ସ୍ପନ୍ଦନରେ ଅସ୍ୱାଭାବିକତା ନେଇ ଚିନ୍ତା: ଜଷ୍ଟିସ୍ ନଇମ୍ ଅଖତର ଆଫଗାନ୍ ପ୍ରଶ୍ନ କରିଥିଲେ ଯେ ମେଡିକାଲ୍ ରିପୋର୍ଟରେ ଉଲ୍ଲେଖ ଥିବା ଏନଜିଓଗ୍ରାଫି ପରୀକ୍ଷା ଜେଲ୍ ପରିସରରେ ସମ୍ଭବ କି? ଇସଲାମାବାଦର ଆଡଭୋକେଟ୍ ଜେନେରାଲ୍ ଜଣାଇଥିଲେ ଯେ, ଏହା କେବଳ ବାହାର ଡାକ୍ତରଖାନାରେ ହିଁ ସମ୍ଭବ।
ଜଷ୍ଟିସ୍ ଶାହିଦ୍ ୱାହିଦ୍ ଚିନ୍ତା ପ୍ରକଟ କରି କହିଥିଲେ ଯେ ରିପୋର୍ଟରୁ ଇମ୍ରାନଙ୍କ ନାଡ଼ି ଓ ହୃତ୍ପିଣ୍ଡ ସମ୍ବନ୍ଧୀୟ ସମସ୍ୟା ଥିବା ସ୍ପଷ୍ଟ ହେଉଛି ଏବଂ ଏହା ଶରୀରର ପ୍ରମୁଖ ଅଙ୍ଗଗୁଡ଼ିକ ଉପରେ ପ୍ରଭାବ ପକାଇବା ଭଳି ମନେହେଉଛି।
ପରିବାର ସହ ସାକ୍ଷାତ ଉପରେ ପ୍ରତିବନ୍ଧକ ନେଇ କୋର୍ଟଙ୍କ ପ୍ରଶ୍ନ: ଇମ୍ରାନ ଖାନ ଏବଂ ତାଙ୍କ ଭଉଣୀମାନଙ୍କ ମଧ୍ୟରେ ଦେଖାସାକ୍ଷାତ ଉପରେ ଲାଗିଥିବା କଟକଣାକୁ ନେଇ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଛନ୍ତି। ବିଚାରପତିମାନେ କହିଛନ୍ତି ଯେ ପରିବାର ସଦସ୍ୟଙ୍କୁ ଭେଟିବା ଏକ ମୌଳିକ ଅଧିକାର।
ଇସଲାମାବାଦ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାହିଁକି ପାଳନ ହୋଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିବା ସହ ବିଗତ ତିନି ବର୍ଷରେ ହୋଇଥିବା ସମସ୍ତ ସାକ୍ଷାତ ଓ ପିଲାମାନଙ୍କ ସହ କଥାବାର୍ତ୍ତାର ରେକର୍ଡ ମାଗିଛନ୍ତି।
ଗଣମାଧ୍ୟମରେ କୌଣସି ବୟାନବାଜି ହେବ ନାହିଁ: କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଇମ୍ରାନଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମରେ କୌଣସି ବୟାନ ଦିଆଯିବ ନାହିଁ। ଏଥିପାଇଁ PTI ଏବଂ ପରିବାର ପକ୍ଷରୁ ଏକ ଶପଥପତ୍ର ଦାଖଲ କରିବାକୁ କୁହାଯାଇଛି। ବିଚାରପତିମାନେ ଗୁରୁତ୍ୱାରୋପ କରିଛନ୍ତି ଯେ ଜଣେ କଏଦୀଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ।
ଘରୋଇ ଡାକ୍ତରଖାନାର ଖର୍ଚ୍ଚ ବହନ କରିବ PTI: ଡାକ୍ତରଖାନା ଖର୍ଚ୍ଚ ସମ୍ପର୍କରେ ଉଠିଥିବା ପ୍ରଶ୍ନର ଉତ୍ତରରେ ଇମ୍ରାନଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ ଶିଫା ଇଣ୍ଟରନ୍ୟାସନାଲ୍ ହସ୍ପିଟାଲ୍ରେ ହେବାକୁ ଥିବା ସମସ୍ତ ଚିକିତ୍ସା ଖର୍ଚ୍ଚ ଦଳ ତଥା ପରିବାର ନିଜେ ବହନ କରିବେ। ସେହିପରି ମେଡିକାଲ୍ ରିପୋର୍ଟକୁ ସାର୍ବଜନୀନ କିମ୍ବା ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ନାହିଁ ବୋଲି PTI ମହାସଚିବ ସଲମାନ ଆକ୍ରମ ରାଜା କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଚିକିତ୍ସା ସମୟରେ ଡାକ୍ତର ଫୈସଲ ସୁଲତାନ ଏବଂ ଉଜ୍ମା ଖାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ରହିପାରିବେ। ଏହା ସହିତ ଇମ୍ରାନଙ୍କୁ ସପ୍ତାହରେ ଥରେ ନିଜ ପରିବାର ସହ ସାକ୍ଷାତ କରିବାକୁ ଅନୁମତି ମିଳିଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେ ହସ୍ପିଟାଲ୍ରେ ହିଁ ଚିକିତ୍ସିତ ହେବେ।


