fbpx

ଜାମ୍ମୁକାଶ୍ମୀରରେ ସୁରକ୍ଷା ବାହିନୀ ପାଇଁ ବଡ ସଫଳତା, କୁପୱାଡା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ଆଲଆଉଟ୍ ଜାରି ରହିଛି। ଜାମ୍ମୁ-କାଶ୍ମୀର ପୋଲିସ ସୂଚନା ଅନୁସାରେ କୁପୱାଡା ଏବଂ କୁଲଗାମରେ ଚାଲିଥିବା ଦୁଇଟି ଆତଙ୍କବାଦ ବିରୋଧୀ ଅପରେଶନରେ ଦୁଇ ପାକିସ୍ତାନୀ ଆତଙ୍କୀଙ୍କ ସହ ୪ ଆତଙ୍କୀଙ୍କୁ ସେନା ନିପାତ କରିଛି। ଏହି ସମୟରେ ଅନ୍ୟକିଛି ସ୍ଥାନରେ ପୋଲିସ ଏବଂ ସେନାର ମିଳିତ ଅପରେଶନ ଜାରି ରହିଛି।

ଏହି ମିଳିତ ଅପରେଶନ ସମୟରେ ଗତ ୧୮ ଘଣ୍ଟାରେ ୩ ସ୍ଥାନରେ ଆତଙ୍କୀ ଏବଂ ସେନା ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ୭ ଆତଙ୍କୀ ନିପାତ ହୋଇଛନ୍ତି। ଏହିଭଳି ଗତ ୨୦ ଦିନରେ ୨୩ ଆତଙ୍କୀଙ୍କୁ ନିପାତ କରିସାରିଲାଣି ସେନା। ଖବର ସରବରାହ ସଂସ୍ଥା ଏଏନଆଇକୁ ଜାମ୍ମୁ କାଶ୍ମୀର ପୋଲିସ ଦେଇଥିବା ସୂଚନା ମୁତାବକ କୁପୱାଡା ଗୁଳିକାଣ୍ଡରେ ୪ ଆତଙ୍କୀ ନିପାତ ହୋଇଛନ୍ତି ଏବଂ ଅନ୍ୟସ୍ଥାନ ମାନଙ୍କରେ ଗୁଳିକାଣ୍ଡ ଜାରି ରହିଛି।

ଜାମ୍ମୁକାଶ୍ମୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ଯେ, ନିପାତ ହୋଇଥିବା ସମସ୍ତ ଆତଙ୍କୀଙ୍କ ପରିଚୟ ମିଳିଛି। ସେମାନେ ପାକିସ୍ତାନର ନାଗରିକ ବୋଲି ନିଶ୍ଚିତ ହୋଇଛି ଏବଂ ସେମାନେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ସହ ସାମିଲ ଥିଲେ। ଏହାପୂର୍ବରୁ ଜାମ୍ମୁ କାଶ୍ମୀରର କୁଲଗାମରେ ହୋଇଥିବା ଏନକାଉଣ୍ଟରରେ ଜମ୍ମୁ ସ୍କୁଲ ଶିକ୍ଷକ ରଜନୀ ବାଲାଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ନିପାତ କରିଥିଲା। ଏଥିସହିତ ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ମଧ୍ୟ ଶୋପିଆନରେ ସୁରକ୍ଷା ବାହିନୀ ନିପାତ କରିଛନ୍ତି।

କାଶ୍ମୀରରେ ଲଗାତାର ଟାର୍ଗେଟରେ ହତ୍ୟା ପରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ଆଲଆଉଟ୍ ଆରମ୍ଭ କରିଛନ୍ତି, ଯେଉଁଥିରେ ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ନିରନ୍ତର ସକ୍ରିୟ ହେଉଛନ୍ତି।

 

Get real time updates directly on you device, subscribe now.