୨୦୨୭ ଦିନିକିଆ ବିଶ୍ୱକପ୍କୁ ନେଇ ଆସିଲା ବଡ଼ ଅପଡେଟ୍, ସିଡ୍ୟୁଲ ଘୋଷଣା କଲା ICC, ନୋଟ୍ କରନ୍ତୁ ଡେଟ୍ସ
ଆଗାମୀ ଦିନିକିଆ ବିଶ୍ୱକପ୍ର କ୍ୱାଲିଫାୟର ପର୍ଯ୍ୟାୟର ସିଡ୍ୟୁଲ୍ ଘୋଷଣା କରାଯାଇଛି।
ଓଡିଶାଭାସ୍କର: ଆସନ୍ତା ବର୍ଷ ଖେଳାଯିବାକୁ ଥିବା ୨୦୨୭ ଦିନିକିଆ ବିଶ୍ୱକପର ସିଡ୍ୟୁଲକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର କ୍ୱାଲିଫାୟର ପର୍ଯ୍ୟାୟର ତାରିଖ ଘୋଷଣା କରିଛି।
୧୦ଟି ଦଳକୁ ନେଇ ଖେଳାଯିବାକୁ ଥିବା କ୍ୱାଲିଫାୟର ମ୍ୟାଚ୍ ୨୦୨୭ ଫେବୃଆରୀ ୨୨ରୁ ମାର୍ଚ୍ଚ ୨୩ ମଧ୍ୟରେ ଅନୁଷ୍ଠିତ ହେବ। ତେବେ କ୍ୱାଲିଫାୟରର ତାରିଖ ଘୋଷଣା ହୋଇଥିଲେ ମଧ୍ୟ, ଏହି ମ୍ୟାଚ୍ଗୁଡ଼ିକ କେଉଁଠାରେ ଖେଳାଯିବ ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅର୍ଥାତ୍ ଭେନ୍ୟୁ ସମ୍ପର୍କରେ ଆଇସିସି କୌଣସି ଘୋଷଣା କରିନାହିଁ।
ସୂଚନାଯୋଗ୍ୟ, ଆଗାମୀ ବିଶ୍ୱକପ୍ ନୂଆ ଫର୍ମାଟ୍ରେ ଖେଳାଯିବ, ଯେଉଁଥିରେ ୧୪ଟି ଦଳ ଅଂଶଗ୍ରହଣ କରିବେ। କ୍ୱାଲିଫାୟରରେ ବିଜୟୀ ଦଳ ସିଧାସଳଖ ୧୪ ଦଳ ବିଶିଷ୍ଟ ବିଶ୍ୱକପ୍ରେ ସ୍ଥାନ ହାସଲ କରିବ।
ଏହାଛଡ଼ା କ୍ୱାଲିଫାୟରରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଦଳମାନଙ୍କ ମଧ୍ୟରେ ‘ସୁପର ସିରିଜ୍’ ଖେଳାଯିବ, ଯାହା ବିଶ୍ୱକପ୍ର ପ୍ରଥମ ପର୍ଯ୍ୟାୟ ହେବ। ଏହି ପର୍ଯ୍ୟାୟରେ ବିଜୟୀ ଦଳ ଟପ୍-୧୨ରେ ନିଜ ସ୍ଥାନ ପକ୍କା କରିବ।
ତିନି ଦେଶର ମିଳିତ ଆୟୋଜନରେ ହେବ ୨୦୨୭ ଦିନିକିଆ ବିଶ୍ୱକପ୍:
ଏଥରର ବିଶ୍ୱକପ୍ ତିନୋଟି ଦେଶର ମିଳିତ ଆୟୋଜନରେ ଖେଳାଯିବ। ଏହି ତିନି ଆୟୋଜକ ଦେଶ ହେଲେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆ।
ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ୧୨ଟି ଭିନ୍ନ ଷ୍ଟାଡିୟମ୍ରେ ଆୟୋଜିତ ହେବ। ସେଥିମଧ୍ୟରୁ ସର୍ବାଧିକ ୮ଟି ଭେନ୍ୟୁ ଦକ୍ଷିଣ ଆଫ୍ରିକାରେ ରହିଥିବାବେଳେ ୩ଟି ଭେନ୍ୟୁ ଜିମ୍ବାୱେ ଏବଂ ୧ଟି ଭେନ୍ୟୁ ନାମିବିଆରେ ରହିବ। ବିଶ୍ୱକପ୍ର ମୁଖ୍ୟ ପର୍ଯ୍ୟାୟ ୨୦୨୭ ଅକ୍ଟୋବର ୪ରୁ ନଭେମ୍ବର ୨୧ ମଧ୍ୟରେ ଅନୁଷ୍ଠିତ ହେବ।
Uttarakhand Govt.
୧୦ଟି ଦଳ ମଧ୍ୟରେ ଖେଳାଯିବ ବିଶ୍ୱକପ୍ କ୍ୱାଲିଫାୟର:
କ୍ୱାଲିଫାୟର ପର୍ଯ୍ୟାୟରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବେ। ଏଥିରେ ୩୦ ସେପ୍ଟେମ୍ବର ୨୦୨୬ ସୁଦ୍ଧା ODI ରାଙ୍କିଂରେ ସବୁଠାରୁ ତଳେ ଥିବା ଦୁଇଟି ଫୁଲ୍ ମେମ୍ବର ଦଳ (ଆୟୋଜକ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେକୁ ବାଦ୍ ଦେଇ), CWC League ୨ର ଶ୍ରେଷ୍ଠ ୪ଟି ଦଳ ଏବଂ World Cup Qualifier Play-offର ଶ୍ରେଷ୍ଠ ୪ଟି ଦଳ ସାମିଲ ହେବେ।
ୱେଷ୍ଟଇଣ୍ଡିଜ୍ ଉପରେ ବିପଦ:
ଗତ ୨୦୨୩ ଦିନିକିଆ ବିଶ୍ୱକପ୍ରେ ମଧ୍ୟ ୱେଷ୍ଟଇଣ୍ଡିଜ୍ କ୍ୱାଲିଫାୟରରୁ ବାଦ୍ ପଡ଼ିଥିଲା। ଏବେ ପୁଣିଥରେ ଦଳ ଉପରେ କ୍ୱାଲିଫାୟର ଖେଳିବାର ବିପଦ ଘୂରିବୁଲୁଥିବା ଦେଖାଯାଉଛି।
ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ODI ରାଙ୍କିଂରେ ୧୦ମ ସ୍ଥାନରେ ରହିଛି। ୩୦ ସେପ୍ଟେମ୍ବର କଟ୍-ଅଫ୍ ତାରିଖ ପୂର୍ବରୁ କାରିବିଆନ୍ ଦଳକୁ କେବଳ ଭାରତ ବିପକ୍ଷରେ ୨ଟି ଦିନିକିଆ ମ୍ୟାଚ୍ ଖେଳିବାକୁ ଅଛି।
ଏହାଛଡ଼ା ଆଫଗାନିସ୍ତାନ ଓ ଆୟରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜ୍ର ଫଳାଫଳ ମଧ୍ୟ ୱେଷ୍ଟଇଣ୍ଡିଜ୍ର ସମ୍ଭାବନା ଉପରେ ପ୍ରଭାବ ପକାଇବ।
ଯଦି ଆୟରଲ୍ୟାଣ୍ଡ ୪-୧ କିମ୍ବା ୫-୦ରେ ସିରିଜ୍ ଜିତେ ଏବଂ ୱେଷ୍ଟଇଣ୍ଡିଜ୍ ଭାରତ ବିପକ୍ଷରେ ଉଭୟ ଦିନିକିଆ ମ୍ୟାଚ୍ ଜିତିଯାଏ, ତେବେ ସେମାନଙ୍କର ଟପ୍-୮ରେ ପହଞ୍ଚିବାର ଆଶା ବଜାୟ ରହିବ।

