ଠେଙ୍ଗା, ପଥରରେ ଆକ୍ରମଣ! ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ

ବିଧାୟକ ଅରୁଣ ଶଙ୍କର ପ୍ରସାଦଙ୍କ କହିବା ଅନୁସାରେ ଖଜୌଲି ଥାନା ଅଞ୍ଚଳ ଅନ୍ତର୍ଗତ ଠାହର ଗ୍ରାମରେ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ପାଇଁ ଯାଇଥିଲେ

ପାଟନା: ମଧୁବନୀରେ ବିହାର ସରକାରଙ୍କ ଶ୍ରମ ସମ୍ବଳ ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ଆକ୍ରମଣ ହୋଇଛି। ଲୋକମାନେ ଠେଙ୍ଗା ଓ ପଥରରେ ଆକ୍ରମଣ କରିଛନ୍ତି। ତାଙ୍କ ସାର୍ଟ ଚିରି ଦେଇଛନ୍ତି। ହେଲେ ଅଳ୍ପକେ ଜୀବନ ନେଇ ଫେରିଛନ୍ତି ମନ୍ତ୍ରୀ। ତେବେ ଆକ୍ରମଣର କାରଣ ଜଣାପଡ଼ି ନାହିଁ।

ବିଧାୟକ ଅରୁଣ ଶଙ୍କର ପ୍ରସାଦଙ୍କ କହିବା ଅନୁସାରେ ଖଜୌଲି ଥାନା ଅଞ୍ଚଳ ଅନ୍ତର୍ଗତ ଠାହର ଗ୍ରାମରେ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ପାଇଁ ଯାଇଥିଲେ। ସେହି ସମୟରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଛି।

ମନ୍ତ୍ରୀଙ୍କ ପ୍ରତିନିଧି ହରିଶ୍ଚନ୍ଦ୍ର ଶର୍ମା ଅଭିଯୋଗ କରିଛନ୍ତି, ମନ୍ତ୍ରୀ ଗ୍ରାମରେ ପହଞ୍ଚିବାର କିଛି ସମୟ ପରେ ପ୍ରାୟ ୩୦୦ ରୁ ୪୦୦ ପୁରୁଷ ଓ ମହିଳାଙ୍କ ଭିଡ଼ ଜମାଇଥିଲେ। ସେହି ଭିଡ଼ରେ ସାମିଲ ଥିବା ଅନେକ ଲୋକଙ୍କ ପାଖରେ ଲାଠି ଓ ଅନ୍ୟାନ୍ୟ ଜିନିଷ ରହିଥିଲା। ସେମାନେ ହଠାତ୍ ମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ।

ଶର୍ମାଙ୍କ କହିବା ଅନୁଯାୟୀ, କିଛି ଲୋକ ମନ୍ତ୍ରୀଙ୍କୁ ଧରି ତାଙ୍କ ବେକ ଚିପିବାକୁ ଚେଷ୍ଟା କରିଥିଲେ। ଆଉ କିଛି ଲୋକ କପଡ଼ା ଓ ଲାଠିରେ ତାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ସୁରକ୍ଷାକର୍ମୀ ଓ ସମର୍ଥକମାନେ ମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ।

ସୂଚନା ଅନୁଯାୟୀ, ଠାହର ଗ୍ରାମର ଜୁଗେ ଠାକୁରଙ୍କ ପୁଅ କୃଷ୍ଣ କୁମାର ଠାକୁରଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ମନ୍ତ୍ରୀ ପୀଡ଼ିତ ପରିବାରକୁ ଭେଟିବା ଏବଂ ସମବେଦନା ଜଣାଇବା ପାଇଁ ଗ୍ରାମକୁ ଯାଇଥିଲେ। ତେବେ ମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।