ତିନି ତଲାକ ପରେ ଭାଇବୋହୂକୁ ଦୁଷ୍କର୍ମ କଲା ଦେଢ଼ଶୁର

ମାମଲା ଥାନାକୁ ଗଲା ପରେ ସ୍ୱାମୀ ନଦୀମ ଓ ତାଙ୍କ ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ବିବାଦ ବଢ଼ିବା ଆଗରୁ ନଦୀମ ପୁଣି ଥରେ ବିବାହ କରିବାକୁ ପ୍ରସ୍ତାବ ଦେଇ ନିଜ ଘରକୁ ନେଇଯାଇଥିଲେ

ଲକ୍ଷ୍ନୌ: ଯୌତୁକ ଆଣିବା ପାଇଁ ମନା କରିବାରୁ ପତ୍ନୀଙ୍କୁ ସ୍ୱାମୀ ଦେଲା ତିନି ତଲାକ। ବିବାଦ ଥାନାକୁ ଗଲା ପରେ ଚିନ୍ତାରେ ପଡ଼ିଲା ସ୍ୱାମୀ। ଗିରଫ ହେବା ଭୟରେ ବାହା ହେବାର ପ୍ରତିଶ୍ରୁତି ଦେଇ ପତ୍ନୀଙ୍କୁ ଘରକୁ ଆଣିଲା। ହେଲେ ଦୁର୍ଭାଗ୍ୟର ବିଷୟ ଘରେ ପହଞ୍ଚିବା ପରେ ଦେଢ଼ଶୁର କଲା ହଲାଲ ଦୁଷ୍କର୍ମ। ଏପରି ଘଟଣା ଉତ୍ତରପ୍ରଦେଶରେ ଘଟିଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲା ଶେରକୋଟ୍ କସବାର ଅଞ୍ଚଳର ରେସମା(ଛଦ୍ମନାମ) ବର୍ଷେ ତଳେ ନହଟୌରର ମୋହଲ୍ଲା ସାଦାତର ନଦୀମଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଫ୍ରିଜ୍, ୱାଶିଂ ମେସିନ୍, ଆସବାବପତ୍ର, ଡବଲ ବେଡ୍, ସୋଫା ସେଟ, ମୋଟରସାଇକେଲ୍, ସୁନା-ରୁପା ଅଳଙ୍କାର ଓ ନଗଦ ଦୁଇ ଲକ୍ଷ ଟଙ୍କା ଦିଆଯାଇଥିଲା। ହେଲେ ଏତିକିରେ ସନ୍ତୁଷ୍ଟ ନଥିଲେ ଶାଶୁ ଘର ଲୋକେ। ଅଧିକ ଯୌତୁକ ଦାବି କରୁଥିଲେ। ସେଥିପାଇଁ ତାଙ୍କୁ ଦେଉଥିଲେ ମାନସିକ ଓ ଶାରୀରିକ ନିର୍ଯାତନା।

ହେଲେ ରେସମା ବାପଘରୁ ଯୌତୁକ ଆଣିବା ପାଇଁ ମନା କରିବାରୁ ମାଡ଼ ମରାଯାଇଥିଲା। ମେ’ ୧୯ ତାରିଖରେ ତାଙ୍କୁ ତାଙ୍କ ସ୍ୱାମୀ ନଦୀମ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ ପେଟକୁ ଗୋଇଠା ମାରିଥିଲେ। ତାଙ୍କୁ ତିନି ତଲାକ୍ ଦେଇ ଘରୁ ବାହାର କରିଦେଇଥିଲେ। ପୀଡ଼ିତା ମେ’ ୨୦ ତାରିଖରେ ପୀଡ଼ିତା ଏନେଇ ନହଟୌର ଥାନାରେ ଅଭିଯୋଗ କରିଥିଲେ।

ମାମଲା ଥାନାକୁ ଗଲା ପରେ ସ୍ୱାମୀ ନଦୀମ ଓ ତାଙ୍କ ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ବିବାଦ ବଢ଼ିବା ଆଗରୁ ନଦୀମ ପୁଣି ଥରେ ବିବାହ କରିବାକୁ ପ୍ରସ୍ତାବ ଦେଇ ନିଜ ଘରକୁ ନେଇଯାଇଥିଲେ। ପୀଡ଼ିତା ଭାବିଥିଲେ ସବୁ ବିବାଦ ସମାଧାନ ହୋଇଯିବ, ସେଥିପାଇଁ ସ୍ୱାମୀଙ୍କ ଘରକୁ ଚାଲି ଆସିଥିଲେ। ମେ’ ୩୦ ତାରିଖରେ ବିବାହ ପୂର୍ବରୁ ସ୍ୱାମୀ କହିଲେ, ବଡ଼ ଭାଇ ୱାସିମଙ୍କ ସହ ହଲାଲା କରିବାକୁ ପଡିବ। ତା’ପରେ ବିବାହ ସମ୍ଭବ ହେବ ବୋଲି ପୀଡ଼ିତାଙ୍କୁ କହିଥିଲେ। ହେଲେ ଏଥିରେ ରାଜି ହେଲେନି ପୀଡ଼ିତା। ଯେଉଁଥିପାଇଁ ତାଙ୍କ ମାଡ଼ ମାରି ଘରେ ବନ୍ଦ କରିଦେଲେ।

ପୀଡ଼ିତା ଅଭିଯୋଗ କରିଛନ୍ତି; ଦେଢ଼ଶୁର ୱାସିମ୍ ହଲାଲା ତାଙ୍କୁ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରେ ତାଙ୍କୁ ଘରୁ ବାହାରି ଯିବାକୁ ପାଇଁ କହିଥିଲେ। ତା’ପରେ ତାଙ୍କୁ ମାଡ଼ ମାରିଥିଲେ। କିଛି ସମୟ ପରେ ପୀଡ଼ିତା କୌଣସି ପ୍ରକାରେ ନିଜ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ନିଜ ଭାଉଜ ଘରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ପୁଣି ଥରେ ନହଟୌର ଥାନାରେ ସ୍ୱାମୀ ଓ ଶଶୁରଘର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।