fbpx

ହଠାତ୍ ମରି ଯାଉଛନ୍ତି ପକ୍ଷୀ, ପୁଣି ଏକ ବଡ଼ ମହାମାରୀ ଆଶଙ୍କା

ନୂଆଦିଲ୍ଲୀ: କିଛି କାରଣ ନାହିଁ, ଜଣାପଡୁନି କଣ ରୋଗ । କିନ୍ତୁ ହଠାତ୍ ବିଭନ୍ନ ପ୍ରଜାତିର ପକ୍ଷୀ ମରି ଟଳିପଡୁଛନ୍ତି । ଫଳରେ ପୁଣି ଏକ ମହାମାରୀ ବା ଫ୍ଲୁ’ର ଆଶଙ୍କା ଘନେଇଲାଣି । ଆମେରିକାରେ ଦେଖାଦେଇଛି ଏଭଳି ରହସ୍ୟମୟ ମୃତ୍ୟୁ । ହଠାତ୍ ପକ୍ଷୀଗୁଡ଼ିକ ଅସୁସ୍ଥ ହୋଇପଡୁଛନ୍ତି ଏବଂ ମରି ଯାଉଛନ୍ତି ।

ରିପୋର୍ଟ ଅନୁସାରେ ଷ୍ଟାରଲିଙ୍ଗସ, ବ୍ଲୁ ଜେଜ୍, ଗ୍ରେକଲ୍ସ ଆଦି ପକ୍ଷୀ ହଠାତ୍ ମରିଯାଉଛନ୍ତି । ତେବେ ସାଲମୋନେଲା ଓ କ୍ଲାମାୟିଡିଆ ବ୍ୟାକ୍ଟେରିଆ ସଂକ୍ରମଣରେ ପକ୍ଷୀମାନେ ମରିଯାଆନ୍ତି ବୋଲି ଜଣାପଡ଼ିଛି । କିନ୍ତୁ ସେଭଳି କୌଣସି ଲକ୍ଷଣ ଦେଖାଦେଇନି ବା ସେଭଳି କାରଣ ନାହିଁ ବୋଲି ବିଶେଷଜ୍ଞ ସ୍ପଷ୍ଟ କରିସାରିଲେଣି । ଏଇ ନିକଟରେ ୱାଶିଂଟନ, ମେରୀଲ୍ୟାଣ୍ଡ ଓ ଭର୍ଜିନିଆ ସମେତ ଆମେରିକାର ଅନ୍ୟ କେତେକ ସ୍ଥାନରେ ପକ୍ଷୀ ମଡ଼କ ଘଟଣା ସାମ୍ନାକୁ ଆସିବା ପରେ ପରିବେଶବିତ୍ ଓ ବୈଜ୍ଞାନିକଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି । ଆନିମଲ ୱେଲଫେୟାର ଲିଗ୍ ଅଫ ଆଲିଣ୍ଟନ ସଂସ୍ଥାର ଜଣେ ପ୍ରବକ୍ତା ଚେଲସୀ ଜୋନ୍ସ କହିଛନ୍ତି ଯେ ଅଜଣା ରୋଗରେ ସଂକ୍ରମିତ ହେବା ପରେ ପକ୍ଷୀମାନେ ଦୃଷ୍ଟିଶକ୍ତି ହରାଉଛନ୍ତି । ଦିଗ ନିର୍ଦ୍ଧାରଣ କରି ନପାରି ଭ୍ରମିତ ହୋଇଯାଉଛନ୍ତି । ଏପରିକି ନ୍ୟୁରୋଲୋଜିକାଲ କ୍ରିଟିକାଲ୍ କଣ୍ଡିସନ୍ରେ ଆକ୍ରାନ୍ତ ହେବା ସହ ମରିଯାଉଛନ୍ତି । ତେବେ ଏହାର କାରଣ ଖୋଜା ଚାଲିଛି ଏବଂ ଲୋକଙ୍କୁ ପକ୍ଷୀଠାରୁ ଦୂରେଇ ରହିବାକୁ କୁହାଯାଇଛି ।

ଅନ୍ୟପକ୍ଷରେ ମହାମାରୀ କରୋନାର ପ୍ରଭାବ ବିଶ୍ୱରୁ କମିନଥିବାବେଳେ ଆମେରିକାରେ ପୁଣି ପକ୍ଷୀ ମଡ଼କ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅତି ରାସାୟନିକ ରଶ୍ମୀ ବା ରେଡିଏସନ୍ ଯୋଗୁ ଏଭଳି ଘଟୁଥାଇପାରେ ବୋଲି ସାଧାରଣରେ ସନ୍ଦେହ କରାଯାଉଛି । ସେହିପରି କୌଣସି ବାହ୍ୟ ଦେଶ ଷଡ଼ଯନ୍ତ୍ର କରିନାହିଁତ ବୋଲି ସାଧାରରରେ ପ୍ରଶ୍ନ ଉଠୁଛି ।

Get real time updates directly on you device, subscribe now.