ଜିମ୍ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ବିଷ୍ଣୋଇ ଗ୍ୟାଙ୍ଗର ସୁଟର

ହାନସିର ଫୱାରା ଚୌକ ନିକଟରେ ସକାଳୁ ସକାଳୁ ଜିମ୍‌ରେ ବ୍ୟାୟାମ ଚାଲିଥିବା ସମୟରେ ବାଇକ୍‌ରେ ଆସିଥିବା ଆକ୍ରମଣକାରୀମାନେ ଜଣେ ଜିମ୍ ମାଲିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଗୁଳିକାଣ୍ଡରେ ଗୁଳିର ଛିଟା ବାଜି ଜଣେ ଯୁବତୀ ମଧ୍ୟ ଆହତ ହୋଇଛନ୍ତି।

ହରିୟାଣା: ହରିୟାଣାର ହାନ୍ସି ଅଞ୍ଚଳରେ ଗୁରୁବାର ସକାଳୁ ଏକ ସନ୍ଦେହଜନକ ହତ୍ୟାକାଣ୍ଡ ଘଟିଛି। ଫୱାରା ଚୌକ ନିକଟରେ ବାଇକ୍‌ରେ ଆସିଥିବା ଦୁଇଜଣ ଦୁର୍ବୃତ୍ତ ଜଣେ ଜିମ୍ (Gym) ମାଲିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆକ୍ରମଣକାରୀମାନେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ତାଙ୍କ ଶରୀରକୁ ପ୍ରାୟ ୧୦ଟି  ଗୁଳି କରିଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି କପିଲ, ଯିଏ କି ସେହି ଅଞ୍ଚଳରେ ‘ରେଡ୍ ଜିମ୍’ ଚଲାଉଥିଲେ। ସକାଳେ ଜିମ୍‌ରେ ସେସନ ଚାଲିଥିବା ସମୟରେ ହେଲମେଟ ପିନ୍ଧିଥିବା ଦୁଇଜଣ ଯୁବକ ଏକ ବାଇକରେ ଆସି ଖୁବ୍ ନିକଟରୁ ତାଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ। ଏହି ଗୁଳିକାଣ୍ଡରେ ଶିଖା ନାମକ ଜଣେ ମହିଳା ମଧ୍ୟ ଗୁଳିର ଛିଟା ବାଜି ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହିସାର୍‌ର ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ହତ୍ୟାକାଣ୍ଡ ପରେ ହାନ୍ସି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦେଇଛି। କ୍ରାଇମ ଇନଭେଷ୍ଟିଗେସନ ଏଜେନ୍ସି (CIA) ଏବଂ ଫୋରେନ୍ସିକ୍ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମ୍ପୂର୍ଣ୍ଣ ଆକ୍ରମଣର ସିସିଟିଭି (CCTV) ଫୁଟେଜ୍ ମଧ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି, ଯାହାକୁ ଆଧାର କରି ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜୁଛି।

ଏହି ଘଟଣାର କିଛି ଘଣ୍ଟା ପରେ, ଗ୍ୟାଙ୍ଗଷ୍ଟର ହରି ବକ୍ସରଙ୍କର ଏକ ଅଡିଓ ମେସେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ଏହି ରେକର୍ଡିଂରେ ହରି ବକ୍ସର ଆର.ଡି ଢାଲିୱାଲ, ହରମାନ ସାନ୍ଧୁ ଏବଂ ବିକ୍ରମ କାଦଲଙ୍କୁ ଏହି ଷଡ଼ଯନ୍ତ୍ରର ସହଯୋଗୀ ବୋଲି କହିଛି। ସେ ଅଭିଯୋଗ କରିଛି ଯେ କପିଲ ପୂର୍ବରୁ ଶେଖପୁରା ଧାରିକପୁରିଆରେ ହୋଇଥିବା ଏକ ଗୁଳିକାଣ୍ଡ ଘଟଣାରେ ସେମାନଙ୍କର ବିରୋଧୀ ଗୋଷ୍ଠୀକୁ ସାହାଯ୍ୟ କରୁଥିଲେ। ଏଥିସହିତ ସେ ଚେତାବନୀ ଦେଇଛି ଯେ ଏଥିରେ ସାମିଲ ଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଆଗକୁ ଟାର୍ଗେଟ୍ କରାଯିବ।

ଏହି ଅଡିଓରେ ନିକଟରେ ଦିଲ୍ଲୀରେ ହୋଇଥିବା ଏକ ଗୁଳିକାଣ୍ଡ ବିଷୟରେ ମଧ୍ୟ କୁହାଯାଇଛି ଏବଂ ସେହି ଆକ୍ରମଣ ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗ୍ କରିଥିବା ଦାବି କରାଯାଇଛି। କେବଳ ସେତିକି ନୁହେଁ, ହରି ବକ୍ସର ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ନିକଟତର ଲୋକଙ୍କୁ ମଧ୍ୟ ଧମକ ଦେଇଛି ଏବଂ କହିଛି ଯେ “କୌଣସି ସୁରକ୍ଷା ତାଙ୍କୁ ବଞ୍ଚାଇ ପାରିବ ନାହିଁ।”