fbpx

କେନ୍ଦ୍ରର ଚାଷୀ ବିରୋଧି ମନୋଭାବକ ଜାରି, ଆଜିଠୁ ଏଫ୍‌ସିଆଇ ଆଗରେ ବିଜେଡିର ଧାରଣା

ଓଡିଶାରୁ ବଳକା ଉଷୁନା ଚାଉଳ ଉଠାଣକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡିଶା ବିରୋଧୀ ତଥା କୃଷକ ବିରୋଧୀ ମନୋଭାବ ଜାରି ରହିଛି । କେନ୍ଦ୍ରୀୟ ଅବହେଳାର ସର୍ବଶେଷତମ ଉଦାହରଣ ହେଉଛି ଓଡ଼ିଶାରୁ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ରୋକଠୋକ୍‌ ଭାବେ ମନା କରିବା । ଏହାଦ୍ୱାରା ଓଡ଼ିଶାର କୋଟି କୋଟି କୃଷକ ଦୁଃଖ ଓ ଅନାଟନରେ ପଡ଼ିଛନ୍ତି। ଏହାର ଜୋରଦାର ପ୍ରତିବାଦ କରାଯିବ । ମଙ୍ଗଳବାରଠାରୁ ଏଫ୍‌ସିଆଇ ଆଗରେ ବିଜେଡି ଧାରଣା ଦେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ସୂଚନା ଦେଇଛି ।

ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଓ ଶ୍ରୀମତୀ ଦେଓ କହିଛନ୍ତି ଯେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଯୋଗାଣ କ୍ଷେତ୍ରରେ ଓଡିଶା ହେଉଛି ତୃତୀୟ ବୃହତ୍ତମ ଯୋଗଦାନକାରୀା ଓଡିଶା ୯୫ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ କରେ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡିଶାରେ ବଳକା ଚାଉଳକୁ ଉଠାଇବା କେନ୍ଦ୍ରର କର୍ତ୍ତବ୍ୟ, ରାଜ୍ୟର ନୁହେଁ । ଓଡିଶାର କୃଷକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର କେନ୍ଦ୍ର ତରଫରୁ ଚାଉଳ ଖରିଦ କରିଥାନ୍ତି । କିନ୍ତୁ ବର୍ତ୍ତମାନ ବଳକା ଚାଉଳ ନ ଉଠାଇବାକୁ କେନ୍ଦ୍ର ସରକାର ଖୋଲାଖୋଲି ପ୍ରତ୍ୟାଖ୍ୟାନ କରିବା ଓଡିଶା ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ଆକ୍ରମଣ ସଦୃଶ ହୋଇଛି । ଏହା ବିରୁଦ୍ଧରେ ଆଜି ଏଫ୍‌ସିଆଇ ଦପ୍ତର ସମ୍ମୁଖରେ ଦଳ ଧାରଣା ଦେବ ବୋଲି ଦୁଇ ମୁଖପାତ୍ର ସୂଚନା ଦେଇଛନ୍ତି।

ଓଡିଶାର କୃଷକ ଏବଂ ସେମାନଙ୍କ ହକ୍‌ ପାଇଁ ଛିଡା ହେବା ପରିବର୍ତ୍ତେ ବିଜେପି ଓଡିଶାର ଚାଷୀଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଛି । ଆମେ ଦାବି କରୁଛୁ ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ତୁରନ୍ତ ଓଡିଶାରୁ ବଳକା ଉଷୁନା ଚାଉଳ ଉଠାଣ ଆରମ୍ଭ କରିବା ସହିତ ଏହା ଯେଭଳି ଓଡ଼ିଶାର କୋଟି କୋଟି ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ତାହା ନିଶ୍ଚିତ କରିବା ଉଚିତ୍‌ । ଓଡିଶା ବିଶେଷକରି କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୋନପୁର, ନୂଆପଡା, ଦେବଗଡ ଏବଂ ନବରଙ୍ଗପୁର ଜିଲ୍ଲାର କୃଷକମାନେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସମ୍ବେଦନହୀନତା ମନୋଭାବ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହେବେ । ଓଡିଶାର ଲୋକ ଏବଂ ବିଶେଷକରି ଓଡିଶାର କୃଷକମାନେ ବିଜେପିର ଏହି ଚାଷୀ ବିରୋଧୀ ତଥା ଓଡ଼ିଶା ବିରୋଧୀ ମନୋଭାବର ଉଚିତ୍‌ ଜବାବ ଦେବେ ବୋଲି ବିଜେଡିର ଦୁଇ ମୁଖପାତ୍ର କହିଛନ୍ତିା

Get real time updates directly on you device, subscribe now.