ଗାଈଙ୍କ ଜନ୍ମ ପ୍ରମାଣପତ୍ର ମାଗିଲେ ବିଧାୟକ; ଟିଏମ୍ସି କଲା ତୀବ୍ର ସମାଲୋଚନା
ରେଖା ପାତ୍ର କହିଥିଲେ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୧୪ ବର୍ଷରୁ କମ୍ ବୟସର ଗାଈଙ୍କ ବଦ୍ଧ ଉପରେ ପ୍ରତିବନ୍ଧକ ଲାଗିଛି
କୋଲକାତା: ଗୋ’ ମାଫିଆଙ୍କୁ ଗାଈଙ୍କ ଜନ୍ମ ପ୍ରମାଣପତ୍ର ମାଗି ଚର୍ଚ୍ଚାରେ ପଶ୍ଚିମବଙ୍ଗର ବିଜେପି ବିଧାୟକ ରେଖା ପାତ୍ର। ଯେଉଁଥିପାଇଁ ତାଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ରେଖାଙ୍କ ଏହି ମନ୍ତବ୍ୟକୁ କଡ଼ା ଭାଷାରେ ଆଲୋଚନା କରିଛି ତୃଣମୂଳ କଂଗ୍ରେସ(ଟିଏମ୍ସି)। ଆଉ ପ୍ରଶ୍ନ ପଚାରିଛି, ରେଖା ପାତ୍ର କଣ କୌଣସି ବିଜେପି ଶାସିତ ରାଜ୍ୟର ଗାଈଙ୍କ ଜନ୍ମ ପ୍ରମାଣପତ୍ର ଦେଖାଇ ପାରିବେ?
ମିଳିଥିବା ସୂଚନା ଅନୁସାରେ ହିଙ୍ଗଲଗଞ୍ଜ ବିଧାୟିକା ହେଉଛନ୍ତି ରେଖା ପାତ୍ର। ଶନିବାର ସେ ଅଚାନକ ନିରୀକ୍ଷଣ କରିବା ପାଇଁ ନିଜ ସମର୍ଥକଙ୍କ ସହ ରାସ୍ତାକୁ ବାହାରିଥିଲେ। ସେହି ସମୟରେ ଲେବୁଖାଲି ଅଞ୍ଚଳରେ ଯାଉଥିବା ଏକ ଗୋରୁ ଭର୍ତ୍ତି ଗାଡିକୁ ଅଟକାଇ ଥିଲେ। ଗାଡ଼ିିରେ ଲଦା ହୋଇଥିବା ଗାଈମାନଙ୍କୁ ତଳକୁ ଓହ୍ଲାଇ ଏକ ଗଛ ମୂଳରେ ବାନ୍ଧି ଦେଇଥିଲେ। ସେମାନଙ୍କ ଖାଇବାର ବ୍ୟବସ୍ଥା କରିଥିଲେ।
ଗୋ ଚାଲାଣ କରୁଥିବା ଗାଡ଼ି ଚାଳକଙ୍କୁ ବିଧାୟକ ପାତ୍ର ପାଖକୁ ଡାକିଥିଲେ। ଆଉ ସେ ତାଙ୍କୁ କହିଥିଲେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ବେଆଇନ୍ ଗୋରୁ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସରକାର ଏକ ଗାଇଡ଼ଲାଇନ ଜାରି କରିଛନ୍ତି।
ବିଜେପି ବିଧାୟିକା ରେଖା ପାତ୍ର କହିଥିଲେ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୧୪ ବର୍ଷରୁ କମ୍ ବୟସର ଗାଈଙ୍କ ବଦ୍ଧ ଉପରେ ପ୍ରତିବନ୍ଧକ ଲାଗିଛି। ଯଦି କେହି ବେଆଇନ୍ ଭାବେ ଗାଈ ଚାଲାଣ କରନ୍ତି, ତାହାହେଲେ ସେମାନଙ୍କୁ ଧରିବା ଉଚିତ। ଏଥିସହ ଗୋ ମାଫିଆଙ୍କୁ ଗାଈଙ୍କ ଜନ୍ମ ପ୍ରମାଣ ପତ୍ର ମାଗିବା ଉଚିତ ବୋଲି ରେଖା କହିଥିବା ଚର୍ଚ୍ଚା ହେଉଛି।
ରେଖା ପାତ୍ରଙ୍କ ଏପରି ବୟାନକୁ ଟିଏମସି ତୀବ୍ର ସମାଲୋଚନା କରିଛି। ଟିଏମସି ପଚାରିଛି, ରେଖା ପାତ୍ର କ’ଣ କୌଣସି ବିଜେପି ଶାସିତ ରାଜ୍ୟ ଗାଈର ଜନ୍ମ ପ୍ରମାଣପତ୍ର ଦେଖାଇ ପାରିବେ। ଟିଏମସି ବିଧାୟକ କୁଣାଲ ଘୋଷ କହିଛନ୍ତି, ଆମେ ସମ୍ମାନୀୟ ବିଧାୟିକାଙ୍କୁ ଅନୁରୋଧ କରୁଛୁ ସେ କୌଣସି ଡବଲ ଇଞ୍ଜିନ ରାଜ୍ୟରୁ ଗାଈଙ୍କ ପାଇଁ ଜାରି କରାଯାଇଥିବା ଜନ୍ମ ପ୍ରମାଣପତ୍ର ଆଣି ଦେଖାନ୍ତୁ। ଏହା ଆମ ସମସ୍ତଙ୍କ ପାଇଁ ଉପଯୋଗୀ ହେବ।

