ରାଜନୀତିରେ ଜିତିଲେ, ଦାମ୍ପତ୍ୟ ଜୀବନରେ ହାରିଲେ! ସ୍ୱାମୀଙ୍କଠାରୁ ଅଲଗା ହେଲେ ବିଜେପି ସାଂସଦ

ହିମାଦ୍ରୀ ଓ ନରେନ୍ଦ୍ରଙ୍କ ବିବାହ ୨୦୧୭ ମସିହା ନଭେମ୍ବର ୨୩ରେ ଅନୁପପୁର ଜିଲ୍ଲାର ପୁଷ୍ପରାଜଗଡ଼ରେ ହୋଇଥିଲା। ଦୁହିଁଙ୍କର ଏକ ଝିଅ ଗିରିଶା କୁମାରୀ ସିଂହ ଅଛନ୍ତି

ଭୋପାଳ: ରାଜନୀତିରେ ଜିତିବା ପାଇଁ ପ୍ରଚାର, ରଣନୀତି ଓ ଭୋଟ୍ ଦରକାର। କିନ୍ତୁ ଦାମ୍ପତ୍ୟ ଜୀବନରେ ଗଣିତଟା ଟିକେ ଅଲଗା। ଏଠି କାହାରି ବିଜୟ ହୁଏନାହିଁ। ହେଲେ ମଧ୍ୟପ୍ରଦେଶର ଶହଡ଼ୋଲ ଲୋକସଭା ଆସନର ଦୁଇଥରର ବିଜେପି ସାଂସଦ ହିମାଦ୍ରୀ ସିଂହ ଓ ତାଙ୍କ ସ୍ୱାମୀ ନରେନ୍ଦ୍ର ସିଂହ ମରାଭୀଙ୍କ ସମ୍ପର୍କରେ ଏବେ ଆସିଛି କୋର୍ଟର ଶେଷ ନିଷ୍ପତ୍ତି। ବର୍ଷ ବର୍ଷ ଧରି ଅଲଗା ରହୁଥିବା ଏହି ଦମ୍ପତିଙ୍କ ବିବାହ ଏବେ ଆଇନଗତ ଭାବେ ଶେଷ ହୋଇଛି। ସ୍ୱାମୀ ନରେନ୍ଦ୍ର ସିଂହ ମରାଭୀଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି ବିଜେପି ସାଂସଦ ହିମାଦ୍ରୀ ସିଂହ।

ହିମାଦ୍ରୀ ଓ ନରେନ୍ଦ୍ରଙ୍କ ବିବାହ ୨୦୧୭ ମସିହା ନଭେମ୍ବର ୨୩ରେ ଅନୁପପୁର ଜିଲ୍ଲାର ପୁଷ୍ପରାଜଗଡ଼ରେ ହୋଇଥିଲା। ଦୁହିଁଙ୍କର ଏକ ଝିଅ ଗିରିଶା କୁମାରୀ ସିଂହ ଅଛନ୍ତି। ଯିଏ ହିମାଦ୍ରୀଙ୍କ ସହ ରହୁଛନ୍ତି। ଏବେ ବିବାହ ବିଚ୍ଛେଦ ନେଇ କୋର୍ଟଙ୍କ ରାୟ ପରେ ସମ୍ପର୍କର ଆଇନଗତ ଅଧ୍ୟାୟ ଶେଷ ହୋଇଯାଇଛି।

ହିମାଦ୍ରୀ ନିଜେ ମଧ୍ୟ ଏକ ବଡ଼ ରାଜନୈତିକ ପରିବାରରୁ ଆସିଛନ୍ତି। ତାଙ୍କ ବାପା ଦଲବୀର ସିଂହ କଂଗ୍ରେସର ପ୍ରଭାବଶାଳୀ ଆଦିବାସୀ ନେତା ଥିଲେ। ରାଜୀବ ଗାନ୍ଧୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ତାଙ୍କ ମା’ ରାଜେଶ ନନ୍ଦିନୀ ସିଂହ ବିଧାୟକ ଓ ସାଂସଦ ମଧ୍ୟ ଥିଲେ। ଦୁହେଁ ଏବେ ଆଉ ନାହାନ୍ତି।

ରାଜନୀତିରେ ହିମାଦ୍ରୀଙ୍କ ଯାତ୍ରା ରୋଚକପୂର୍ଣ୍ଣ। ୨୦୧୬ ମସିହାରେ ସେ କଂଗ୍ରେସ ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ପରେ ୨୦୧୯ ମସିହାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଲେ। ବିଜେପି ଟିକେଟ୍‌ରେ ୨୦୧୯ ଓ ୨୦୨୪ ଦୁଇଥର ଶହଡ଼ୋଲରୁ ବିଜୟୀ ହୋଇ ସାଂସଦ ହୋଇଥିଲେ। ନିକଟରେ ଉଜବେକିସ୍ତାନର ସମରକନ୍ଦରେ ହୋଇଥିବା ବିଶ୍ୱ ଯୁବ ସାଂସଦ ସମ୍ମିଳନୀରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ।

ଅନ୍ୟପଟେ ନରେନ୍ଦ୍ର ସିଂହ ମରାଭୀଙ୍କର ମଧ୍ୟ ରାଜନୈତିକ ପୃଷ୍ଠଭୂମି ରହିଛି। ଏବିଭିପି ଓ ବିଜେପି ସହ ଜଡ଼ିତ ଥିବା ନରେନ୍ଦ୍ର ୨୦୦୯ ଲୋକସଭା ନିର୍ବାଚନରେ ହିମାଦ୍ରୀଙ୍କ ମା’ ରାଜେଶ ନନ୍ଦିନୀଙ୍କ ବିରୋଧରେ ଲଢ଼ିଥିଲେ। ତେବେ ସେହି ନିର୍ବାଚନରେ ପରାଜିତ ହୋଇଥିଲେ। ପରେ ସେ ରାଜ୍ୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ହୋଇଥିଲେ। ୨୦୧୮ ମସିହାରେ ସେ ପୁଷ୍ପରାଜଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ ଏଥର ମଧ୍ୟ ବିଫଳ ହୋଇଥିଲେ। ଏପଟେ ହିମାଦ୍ରୀଙ୍କ ରାଜନୈତିକ ଗ୍ରାଫ ଉପରକୁ ଉଠି ଚାଲିଲା।

ଦୁହେଁ ଦୀର୍ଘ ସମୟ ଧରି ଅଲଗା ରହୁଥିବା ଖବର ପୂର୍ବରୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା। ୨୦୨୪ ଲୋକସଭା ନିର୍ବାଚନ ସମୟରେ ନରେନ୍ଦ୍ର ବିଜେପିରୁ ନିଜ ପାଇଁ ଟିକେଟ୍ ଚାହୁଁଥିବା ଚର୍ଚ୍ଚା ହୋଇଥିଲା। ତେବେ ଦୁହିଁଙ୍କ ବ୍ୟକ୍ତିଗତ ସମ୍ପର୍କରେ ଦୂରତାର ପ୍ରକୃତ କାରଣ କ’ଣ, ସେନେଇ ସାର୍ବଜନୀନ ଭାବେ କୌଣସି ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନାହିଁ।