fbpx

ବିଜେପି ସାଂସଦ ନିଜ ପତ୍ନୀଙ୍କୁ ପଚାରନ୍ତୁ ଯେ ରୋଷେଇ ଘର କେମିତି ଚାଲୁଛି ? ଦରବୃଦ୍ଧିକୁ ନେଇ ପ୍ରଶ୍ନ କଲେ AIUDF ମୁଖ୍ୟ

ଗୌହାଟୀ: ଦେଶରେ ବଢୁଥିବା ଦରବୃଦ୍ଧିକୁ ନେଇ ସାଧାରଣ ଜନତା ବେହାଲ। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ୍ କରି ଆସିଛନ୍ତି। ଏବେ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟର ଅଧ୍ୟକ୍ଷ ମୌଲାନା ବଦରୁଦ୍ଦୀନ ଅଜମଲ ମଧ୍ୟ କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସହିତ କହିଛନ୍ତି, ଭାରତର ଟଙ୍କା ଅର୍ଥ ମନ୍ତ୍ରୀଙ୍କ ନିକଟରେ ରହିଛି। ସେମାନଙ୍କୁ କେମିତି ଜଣା ଯେ, ସାଧାରଣ ଜନତା ଦିନକୁ କେତେ ଟଙ୍କା ଖର୍ଚ୍ଚ କରୁଛି ?

ସେ କହିଛନ୍ତି, ବିଜେପିର କୌଣସି ମନ୍ତ୍ରୀଙ୍କ ପାଇଁ ଦରବୃଦ୍ଧି ନାହିଁ। ବିଜେପି ସାଂସଦମାନଙ୍କୁ ନିଜ ପତ୍ନୀଙ୍କୁ ପଚାରିବା ଉଚିତ୍ ଯେ, ସେମାନେ ରୋଷେଇ ଘର କେମିତି ଚଳାଉଛନ୍ତି ? ସରକାରଙ୍କୁ ଏହା ଉପରେ ଧ୍ୟାନ ଦେବା ଜରୁରୀ, ନଚେତ୍ ୨୦୨୪ରେ ଦରବୃଦ୍ଧି ସରକାରଙ୍କୁ ଖାଇଯିବ। ସବୁ ଜିନିଷର ଦାମ ଆକାଶଛୁଆଁ ରହିଛି। ଏହି ଦରବୃଦ୍ଧିକୁ ପ୍ରସଙ୍ଗ କରି ବିଜେପି କ୍ଷମତାକୁ ଆସିଥିଲା। ଏବେ ଗରିବଙ୍କ ଅଣ୍ଟା ଭାଙ୍ଗି ଯାଇଛି। ମହିଳା ଘର ଚଳାଇ ପାରୁ ନାହାନ୍ତି। ଗ୍ୟାସ୍ ସିଲିଣ୍ଡର ମିଳୁନାହିଁ। ଡିଜେଲ୍ ଦାମ ଅହେତୁକ ବୃଦ୍ଧି ଘଟିଛି। ବଜାରରେ ପନିପରିବା, ଡାଲି, ଚାଉଳ ସବୁ କିଛି ମହଙ୍ଗା ହୋଇ ଯାଇଛି। ୧୦୦ ପ୍ରତିଶତରୁ ଅଧିକ ଦରବୃଦ୍ଧି ଘଟି ସାରିଛି।

ସେ କହିଛନ୍ତି, ସୀତାରମଣ ଅର୍ଥ ମନ୍ତ୍ରୀ ଅଛନ୍ତି। ସମସ୍ତ ଟଙ୍କା ତାଙ୍କ ପାଖରେ। ସେ ରିଜର୍ଭ ବ୍ୟାଙ୍କର ମାଲିକ। ତାଙ୍କୁ କେମିତି ଜଣା ଯେ, ଘରର ମହିଳା କେତେ ଟଙ୍କାରେ ସଉଦା କିଣୁଛନ୍ତି। କୌଣସି କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣା ନାହିଁ ଯେ ଘର କେମିତି ଚଳୁଛି। ସେମାନଙ୍କୁ ତ ଭଲ ଖାଧ୍ୟ ମିଳୁଛି, ସେମାନେ କାହୁଁ ଜାଣିବେ ଯନ୍ତ୍ରଣା ବୋଲି ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟର ଅଧ୍ୟକ୍ଷ ମୌଲାନା ବଦରୁଦ୍ଦୀନ ଅଜମଲ କହିଛନ୍ତି।

Get real time updates directly on you device, subscribe now.