“ଆଗରୁ ଭୋଟ୍ ଚୋରି କରୁଥିଲା ଏବେ ପ୍ରାର୍ଥୀ ଚୋରି କରୁଛି ବିଜେପି”: ନବୀନ ପଟ୍ଟନାୟକ

ନୂଆପଡା ଗସ୍ତରେ ବିଜେପିକୁ ଟାର୍ଗେଟ୍ କଲେ ନବୀନ ପଟ୍ଟନାୟକ।

ନୂଆପଡ଼ା: ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ରାଜନୈତିକ ମାହୋଲ ମଧ୍ୟ ସରଗରମ ହେବାରେ ଲାଗିଛି। ଆଉ ମାତ୍ର କିଛି ଦିନର କଥା। ନଭେମ୍ୱର ୧୧ ତାରିଖରେ ନୂଆପଡାରେ ହେବ ଉପ ନିର୍ବାଚନ।

ଏଥିପାଇଁ ପ୍ରମୁଖ ତିନି ଦଳର ନେତା ଏବେ ମଇଦାନକୁ ଓହ୍ଲାଇବା ଆରମ୍ଭ କରିଛନ୍ତି। କୁହାଯାଉଛି ନୂଆପଡାରେ କାଳେ ବିଜେପି ଆଉ ବିଜେଡି ଭିତରେ କଡା ଟକ୍କର ଦେଖିବାକୁ ମିଳୁଛି।

ସେଥିପାଇଁ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ପାଇଁ ନୂଆପଡା ମୁହାଁ ହୋଇଛନ୍ତି ତିନି ଦଳର ଆଗଧାଡିର ନେତା ମନ୍ତ୍ରୀ। ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡା ଗସ୍ତ କରିଥିବା ବେଳେ, ଆଜି ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

କିଏ ମାରିବ ବାଜି:

ଯଦି ଦେଖିବା ନୂଆପଡ଼ା ଉପ ନିର୍ବାଚନ ଏଥର ଏଭଳି ମୋଡରେ ପହଞ୍ଚିଛି ଯେ ତିନି ଦଳ ଭିତରୁ କିଏ ବାଜିମାତ କରିବ, ତାର ଆକଳନ କରିବା ମୁସ୍କିଲ ହୋଇପଡ଼ିଛି।

କାରଣ ବିଜେଡି ଓ କଂଗ୍ରେସ ପୂର୍ବ ନିର୍ବାଚନଗୁଡ଼ିକରେ ଦମ୍ ଦେଖାଇଥିବା ବେଳେ ଏଥର କ୍ଷମତାରେ ଥିବାରୁ ବିଜେପି କରିବ ବଡ଼ ରଣନୀତି। ତେଣୁ ବିଜେପିର ନେତାମାନେ ଦମ୍ଭର ସହ କହୁଛନ୍ତି ଉପନିର୍ବାଚନ ଜିତିବୁ ଆମେ।

ଏମିତିରେ କ୍ଷମତାକୁ ଆସିବା ପରେ ବିଜେପି ସରକାର ପାଇଁ ଏହା ହେବ ପ୍ରଥମ ଉପ ନିର୍ବାଚନ। ତେଣୁ ନିଜର ଇଜ୍ଜତ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ବିଜେପି ନେତା।

ପ୍ରାର୍ଥୀ ଚୋରି କରୁଛି ବିଜେପି: 

ସେପଟେ ନୂଆପଡା ଗସ୍ତରେ ଥିବା ନବୀନ ପଟ୍ଟନାୟକ ମଧ୍ୟ ବିଜେପିକୁ ଟାର୍ଗେଟ୍ କରିବାକୁ ପଛଘୁଞ୍ଚା ଦେଇ ନାହାଁନ୍ତି। ଏମିତିରେ ଏବେ ବିଜୁ ଜନତା ଦଳର ଅନେକ ଆଗ ଦାଡିର ନେତା ଶଙ୍ଖ ଛାଡ଼ି ପଦ୍ମ ଧରିବାରେ ଲାଗିଛନ୍ତି।

ତେଣୁ ଏହି ପ୍ରସଙ୍ଗ ଉଠାଇ ନବୀନ ନୂଆପଡ଼ାରେ ବିଜେପି ଉପରେ ବର୍ଷିଛନ୍ତି।  ଆଉ କହିଛନ୍ତି ଆଗରୁ ବିଜେପି ଭୋଟ ଚୋରି କରୁଥିଲା ଆଉ ଏବେ ପ୍ରାର୍ଥୀ ଚୋରି କରୁଛି।

ଏହାର ଉତ୍ତର ଭୋଟର ଦେବେ। ବିଜେଡି ସରକାରରେ ନୂଆପଡ଼ାର ବିକାଶ ଯୋଡ଼ି ହୋଇଥିଲା। ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ ଓ୍ୱେ ହୋଇଥିଲା। ହେଲେ ବିଜେପି ସରକାର ପବ୍ଲିସିଟିରେ ହିରୋ, କିନ୍ତୁ କାମରେ ଜିରୋ।

କିଏ ମାରିବ ବାଜି: 

ନୂଆପଡ଼ାର ଗଣିତ କହୁଛି ୨୦୨୪ ଏବଂ ୨୦୧୯ରେ ଏଠି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ। ତାପୂର୍ବରୁ ୨୦୦୪ ଓ ୨୦୦୯ରେ ମଧ୍ୟ ବିଧାୟକ ଭାବେ ବିଜୟୀ ହୋଇଥିଲେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ।

ଆଉ ତାଙ୍କ ମୃତ୍ୟୁ ପରେ ବିଜେଡି ଭାବିଥିଲା ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ପୁଣି ନୂଆପଡ଼ା ଆସନ ହାତେଇବ। ହେଲେ ବିଜେଡିର ସ୍ୱପ୍ନ ଅଧାରେ ରହିଗଲା।

କାରଣ ହଠାତ୍ ବାପାଙ୍କ ମୃତ୍ୟୁ ପରେ ପୁଅ ଜୟ ଢୋଲକିଆ ବିଜେପିରେ ମିଶିଗଲେ। ଆଉ ବିଜେପି ତାଙ୍କୁ ହିଁ ପ୍ରାର୍ଥୀ କଲା। ତେଣୁ ଏବେ ଦଳ ଅନୁକମ୍ପା ଭୋଟ୍ ହାତେଇବାକୁ ଚେଷ୍ଟା କରିପାରେ ବୋଲି କୁହାଯାଉଛି।

ନୂଆପଡ଼ା ଆସନରେ ଅନ୍ୟତମ ଟାଣୁଆ ନେତା ଭାବେ ଘାସିରାମ ମାଝୀଙ୍କୁ ଧରାଯାଏ। ୨୦୨୪ ନିର୍ବାଚନରେ କଂଗ୍ରେସରୁ ଟିକେଟ୍ ନ ମିଳିବାରୁ ସ୍ୱାଧୀନ ଭାବେ ଲଢ଼ି ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ଘାସିରାମ।

ଏଥର ଭକ୍ତଙ୍କ ନେତୃତ୍ୱରେ କଂଗ୍ରେସ ଦୃଢ଼ ରଣନୀତି ପ୍ରସ୍ତୁତ କରିବା ସହ ଘାସିରାମଙ୍କୁ ଦଳକୁ ଫେରାଇ ଆଣିଛି। ତେଣୁ ବିଜେପି ପାଇଁ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ଏଥିରେ ଆଦୌ ସନ୍ଦେହ ନାହିଁ।

୨୦୨୪ ନିର୍ବାଚନରେ ନୂଆପଡ଼ାରେ ବିଜେପି ତୃତୀୟ ସ୍ଥାନରେ ଥିଲା। ଏଥର କ୍ଷମତାରେ ଥିବା ଦଳ ବିଜେପି ପାଇଁ ବିଜୟ ସମ୍ମାନର ପ୍ରଶ୍ନ। ରାଜନୀତି ସମୀକ୍ଷକଙ୍କ ମତରେ, ନୂଆପଡ଼ା ଉପ ନିର୍ବାଚନରେ ତିନି ଦଳ କେହି କାହାଠାରୁ କମ୍ ପଡ଼ିବେନି।