fbpx

(Video) ଓଲିଉଡ ଅଭିନେତା ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ସିନେ ଜଗତର ଚର୍ଚ୍ଚିତ ଅଭିନେତା ରାଇମୋହନ ପରିଡ଼ାଙ୍କର ପରଲୋକ । ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଅଭିନେତା ରାଇମୋହନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଅଭିନେତା ଜଣକ କାହିଁକି ଆତ୍ମହତ୍ୟା କଲେ ବୋଲି ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡିନି ।

ଅନ୍ୟପଟେ ରାଇମୋହନ ମାନସିକ ଦୁଶ୍ଚିନ୍ତାରେ ଥିଲେ ବୋଲି ଜଣାପଡିଛି । ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତ ପ୍ରଶଂସକ ସ୍ତବ୍ଧ ହୋଇଛନ୍ତି । ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

ତେବେ ରାଇମୋହନ ପରିଡ଼ା ୧୯୬୩, ଜୁଲାଇ ୧୦ରେ କେନ୍ଦୁଝରରେ ଜନ୍ମ ହୋଇଥିଲେ। ପିଲାବେଳୁ ହିଁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଥିଲା। ତା’ପରେ ସ୍କୁଲ ଓ କଲେଜରେ ପଢ଼ିବା ବେଳେ ନାଟକରେ ଭାଗ ନେଉଥିଲେ। ତାଙ୍କର ଅଭିନୟ ପ୍ରତି ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳକୁ ପଠାଇଥିଲେ। ଏହାପରେ ରାଇମୋହନଙ୍କର ବିଧିବଦ୍ଧ ଭାବେ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଫିଲ୍ମ, ସିରିଏଲ, ଡ୍ରାମା, ମେଗା ସିରିଏଲ ଆଦିରେ ଅଭିନୟ କରି ଆଜି ଏକ ଭିନ୍ନ ଛାପ ଛାଡ଼ିଛନ୍ତି ସେ।

‘ସାଗର’ ଫିଲ୍ମରୁ ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ। ଏହାପରେ ୧୯୯୧-୯୨ରେ ସେ ପ୍ରଥମେ ଅଭିନେତା ଅଶ୍ରୁମୋଚନଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ତାଙ୍କୁ ଓଲିଉଡର ସୋ’ମ୍ୟାନ୍‌ ପ୍ରଶାନ୍ତ ନନ୍ଦଙ୍କ ଫିଲ୍ମ ‘ପକା କମ୍ବଳ ପୋତ ଛତା’ରେ ସେ ଅଫର ପାଇଥିଲେ।

‘‘ଆଜି ଯାଏଁ ମୁଁ ଅନେକ ଫିଲ୍ମରେ କାମ କରିଛି। କିନ୍ତୁ ‘କୋଟିଏ ମଣିଷ ଗୋଟିଏ ଜଗା’ ଫିଲ୍ମର ନାଗା ଚରିତ୍ରରେ ମତେ ବହୁତ ଭଲ ପାଇବା ମିଳିଥିଲା। ଗାଁ ଗାଁରେ ମୁଁ ପରିଚିତ ହୋଇଥିଲି। ଯୁବପିଢ଼ି ନାଗା କ୍ଲବ ଖୋଲିଥିଲେ। ଆଜି ବି ସେ ସମୟ ମନେ ପଡ଼ିଲେ ଭାରି ଖୁସି ଲାଗେ’’ ବୋଲି ରାଇମୋହନ କହିଥିଲେ। ରାଇମୋହନ ‘ରଣଭୂମି’, ‘ସିଂହବାହିନୀ’, ‘ସରପଞ୍ଚ ବାବୁ’, ‘କୁଳ ନନ୍ଦନ’, ‘ବିଧାତା’, ‘ଆସିବୁ କେବେ ସାଜି ମୋ ରାଣୀ’ ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି। ତାଙ୍କର ‘ହେଇ ଅନାନି’, ‘ମୁଁ ନାଗିନା’ ଭଳି କିଛି ଡାଇଲଗ ଦର୍ଶକଙ୍କ ମନରେ ଘର କରି ରହଯାଇଛି।

Get real time updates directly on you device, subscribe now.