fbpx

ସିଦ୍ଧାର୍ଥ ଶୁକ୍ଲାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା

ମୁମ୍ବାଇ: ବିଗବସ-୧୩ ବିଜେତା ବଲିଉଡ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଗୁରୁବାର ହୃଦଘାତରେ ପ୍ରାଣ ହରାଇଛନ୍ତି । ମୁମ୍ବାଇର କୁପର ହସ୍ପିଟାଲ ପକ୍ଷରୁ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସ୍ପଷ୍ଟ କରାଯାଇଛି । ନିଦ ବଟିକା କାରଣରୁ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିଲେ ହେଁ ଏହା ହୃଦଘାତ ଜନିତ ମୃତ୍ୟୁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଖୁବ ଶୀଘ୍ର ଶବ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ସିଦ୍ଧାର୍ଥଙ୍କ ଅକାଳ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସମସ୍ତେ ସିଦ୍ଧାର୍ଥଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି । ସୋନୁ ସୁଦ, ଶରଦ କେଲକର, ଟିସକା ଚୋପ୍ରା, ରୀତେଶ ଦେଶମୁଖ, ବୀରେନ୍ଦ୍ର ସେହ୍ୱାଗ, ରୋହନ ମେହେରା, ଅର୍ମାନ ମଲିକ ପ୍ରମୁଖ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି । ଏହା ବ୍ୟତିତ ସିଦ୍ଧାର୍ଥଙ୍କ ଲକ୍ଷ ଲକ୍ଷ ଫ୍ୟାନ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

ବଲିଉଡ ଅଭିନେତା ସୋନୁ ସୁଦ୍ ଲେଖିଛନ୍ତି, ସିଦ୍ଧାର୍ଥ ଆମ ଭିତରେ ନାହାନ୍ତି ଏହା ବିଶ୍ୱାସ କରିବା କଷ୍ଟ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ତୁମେ ସର୍ବଦା ମନେ ରହିବ ବନ୍ଧୁ ବୋଲି ଲେଖିଛନ୍ତି ସୋନୁ ।

ଭୁଜ ଦ ପ୍ରାଇଡ ଅଭିନେତା ଶରଦ କେଲକର ମଧ୍ୟ ସିଦ୍ଧାର୍ଥଙ୍କ ପାଇଁ ଶୋକ ପ୍ରକାଶୂ କରିଛନ୍ତି । ଏହା କୌଣସି ଝଟକାରୁ କମ ନୁହେଁ । ମୁଁ ଏହା ଶୁଣି ନିଶ୍ଚଳ ହୋଇ ଯାଇଛି । ଜୀବନର କିଛି ବି ଭରସା ନାହିଁ । ମୁଁ ସିଦ୍ଧାର୍ଥଙ୍କ ଆତ୍ମାର ସଦଗତି କାମନା କରୁଛି ବୋଲି ଲେଖିଛନ୍ତି ଶରଦ ।

ବଲିଉଡ ଅଭିନେତ୍ରୀ ତଥା ସିଦ୍ଧାର୍ଥଙ୍କ ପଡ଼ୋଶୀ ଟିସ୍କା ଚୋପ୍ରା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ପଡୋଶୀ ଭାବରେ ଥିବା ସିଦ୍ଧାର୍ଥ ବେଳେବେଳେ ମର୍ଣ୍ଣିଂ ୱାକରେ ସାଥୀରେ ଚାଲନ୍ତି । ଏହା ଅତ୍ୟନ୍ତ କଷ୍ଟସାଧ୍ୟ ମୂହୁର୍ତ୍ତ ହୋଇଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ସିଦ୍ଧାର୍ଥଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ଟିସକା ଚୋପ୍ରା ଲେଖିଛନ୍ତି ।

ସିଦ୍ଧାର୍ଥ ତୁମେ ବହୁତ ଶୀଘ୍ର ବିଦାୟ ନେଲ । ଏହି ଦୁଃଖକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟସାଧ୍ୟ । ପରିବାର ଓ ପ୍ରିୟଜନଙ୍କୁ ମୋର ସମବେଦନା । ଲକ୍ଷ ଲକ୍ଷ ଲୋକ ତୁମକୁ ଭଲ ପାଉଥିଲେ ଏବଂ ତୁମେ ସର୍ବଦା ମନେ ରହିବ ବୋଲି ରୀତେଶ ଦେଶମୁଖ ଟ୍ୱିଟ କରିଛନ୍ତି ।

ଜୀବନ କେତେ ଅନିଶ୍ଚିତ ଏହା ତାହାର ଏକ ଉଦାହରଣ । ସିଦ୍ଧାର୍ଥ ଶୁକ୍ଳାଙ୍କ ପରିବାରକୁ ମୋର ସମବେଦନା ବୋଲି ଟ୍ୱିଟ କରିଛନ୍ତି ବୀରେନ୍ଦ୍ର ସେହ୍ୱାଗ ।

ଟିଭି ଷ୍ଟାର ରୋହନ ମେହେରା ମଧ୍ୟ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ବାକ୍ଶୂନ୍ୟ । ଜୀବନ ଅନିଶ୍ଚିତ ଏବଂ ସିଦ୍ଧାର୍ଥଙ୍କ ପରିବାର ପାଇଁ ମୋର ସମବେଦନା । ଆରଆଇପିଚ ସିଦ୍ଧାର୍ଥ ବୋଲି ଲେଖିଛନ୍ତି ।

ଜୀବନଟା ସବୁଠୁ ଅନିଶ୍ଚିତ ବୋଲି ଟ୍ୱିଟ କରିଛନ୍ତି ଅର୍ମାନ ମଲିକ ।

Get real time updates directly on you device, subscribe now.