ବାପା ସୁପରଷ୍ଟାର, କିନ୍ତୁ ପୁଅ ସେଟ୍‌ରେ ଲଗାଉଥିଲେ ପୋଛା, ଖାଉଥିଲେ ମାଡ଼-ଗାଳି!

ବଲିଉଡ ଷ୍ଟାର ରଣବୀର କପୁରଙ୍କ ଯାତ୍ରା: ସେଟ୍‌ରେ ପୋଛା ଲଗାଇବାରୁ ସୁପରଷ୍ଟାର ପର୍ଯ୍ୟନ୍ତ!

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ରଣବୀର କପୁରଙ୍କୁ ଆଜି ୪୪ ବର୍ଷ ବୟସରେ ପାଦ ଥାପିଛନ୍ତି। ବର୍ତ୍ତମାନ ସମୟର ଅନ୍ୟତମ ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ରଣବୀର, ଏକ ପ୍ରତିଷ୍ଠିତ କପୁର ପରିବାରର, ସଦସ୍ୟ ହୋଇ ମଧ୍ୟ ନିଜର ଦକ୍ଷତା ବଳରେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ଋଷି ଓ ନିତୁ କପୁରଙ୍କ ପୁଅ ଏବଂ ରାଜ କପୁରଙ୍କ ନାତି, ଜଣେ ଷ୍ଟାର୍ କିଡ୍ ହୋଇଥିଲେ ମଧ୍ୟ, ନିଜ କ୍ୟାରିୟରର ଆରମ୍ଭରେ ତାଙ୍କୁ ବହୁ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା।

ସେଟ୍‌ରେ ମାଡ଼, ଗାଳି ଓ ପୋଛା ମାରିବା କାମ: ରଣବୀର ମାତ୍ର ୧୭ ବର୍ଷ ବୟସରେ ନିଜ ପିତା ଋଷି କପୁରଙ୍କ ୧୯୯୯ର ଚଳଚ୍ଚିତ୍ର ‘ଆ ଆବ୍ ଲୌଟ୍ ଚଲେନ୍’ରେ ସହକାରୀ ନିର୍ଦ୍ଦେଶକ ଭାବରେ କାମ କରିବା ଆରମ୍ଭ କରିଥିଲେ। ଏହା ପରେ, ୨୦୦୫ ମସିହାରେ ସେ ସଞ୍ଜୟ ଲୀଳା ଭଂଶାଲିଙ୍କ ସୁପରହିଟ୍ ଚଳଚ୍ଚିତ୍ର ‘ବ୍ଲାକ୍’ର ସେଟ୍‌ରେ ଜଣେ ସହକାରୀ ଭାବରେ କାର୍ଯ୍ୟ କରିଥିଲେ।

ରଣବୀର ନିଜେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ ‘ବ୍ଲାକ୍’ ଚଳଚ୍ଚିତ୍ରର ସେଟ୍‌ରେ ତାଙ୍କୁ ଦିନକୁ ୨୧ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ପଡ଼ୁଥିଲା। ସେଠାରେ ସେ ଚଟାଣ ସଫା କରିବା ଠାରୁ ଆରମ୍ଭ କରି ଲାଇଟ୍ ଠିକ୍ କରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର କାମ କରୁଥିଲେ। ଏପରିକି ତାଙ୍କୁ ଭଂଶାଲିଙ୍କ ଠାରୁ ଅନେକ ଥର ଗାଳି ଶୁଣିବାକୁ ଏବଂ ଶାରୀରିକ ମାଡ଼ ସହିବାକୁ ମଧ୍ୟ ପଡ଼ିଥିଲା। ପରବର୍ତ୍ତୀ ସମୟରେ, ୨୦୦୭ ମସିହାରେ ଭନସାଲୀଙ୍କ ଚଳଚ୍ଚିତ୍ର ‘ସାୱାରିୟା’ ଜରିଆରେ ରଣବୀର ବଲିଉଡରେ ପଦାର୍ପଣ କରିଥିଲେ।

ଫ୍ଲପ୍‌ରୁ ୪ ହଜାର କୋଟିର ‘ରାମାୟଣ’: ପରେ ‘ୱେକ୍ ଅପ୍ ସିଡ୍’, ‘ଅଜବ୍ ପ୍ରେମ୍ କି ଗଜବ୍ କହାନୀ’, ‘ରାଜନୀତି’, ‘ରକ୍‌ଷ୍ଟାର୍’ ଏବଂ ‘ବର୍ଫି’ ଭଳି ଫିଲ୍ମ ରଣବୀରଙ୍କୁ ଚଳଚ୍ଚିତ୍ର ଜଗତରେ ପ୍ରତିଷ୍ଠିତ କରିଥିଲା। ଯଦିଓ ଏହି ସମୟ ମଧ୍ୟରେ ‘ବମ୍ବେ ଭେଲଭେଟ୍’, ‘ତମାଶା’ ଏବଂ ‘ରୟ’ ଭଳି ଚଳଚ୍ଚିତ୍ର ବିଫଳ ହୋଇଥିଲା, ତଥାପି ‘ସଞ୍ଜୁ’, ‘ଏ ଦିଲ୍ ହୈ ମୁସ୍କିଲ୍’ ଏବଂ ୨୦୨୩ର ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆନିମଲ୍’ ତାଙ୍କୁ ତାଙ୍କ କ୍ୟାରିୟରର ଶୀର୍ଷ ସ୍ଥାନରେ ପହଞ୍ଚାଇଛି।

ବର୍ତ୍ତମାନ ରଣବୀର ଭାରତର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ‘ରାମାୟଣ’ ଯାହାର ବଜେଟ୍ ୪,୦୦୦ କୋଟି ଟଙ୍କା, ସେଥିରେ ସେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି, ଏହାର ପ୍ରଥମ ଭାଗ ଚଳିତ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପରେ, ସେ ସଞ୍ଜୟ ଲୀଳା ଭଂଶାଲିଙ୍କ ‘ଲଭ୍ ଆଣ୍ଡ ୱାର୍’ ରେ ନଜର ଆସିବେ।

ବଲିଉଡର କୁଖ୍ୟାତ ‘ପ୍ଲେ ବୟ’ ରୁ ଫାମିଲି ମ୍ୟାନ: ଅଭିନୟ ଜୀବନ ବ୍ୟତୀତ ରଣବୀରଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସର୍ବଦା ଆଲୋଚନାର ବିଷୟ ହୋଇ ରହିଆସିଛି। କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାଟ୍ରିନା କୈଫ୍ ଏବଂ ଦୀପିକା ପାଦୁକୋଣଙ୍କ ସହ ତାଙ୍କ ସମ୍ପର୍କ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ, ୨୦୧୭ ମସିହାରେ ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ସୁଟିଂ ସେଟ୍‌ରେ ଆଲିଆ ଭଟ୍ଟଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏହି ଷ୍ଟାର୍ ଦମ୍ପତି ୨୦୨୨ ମସିହା ଅପ୍ରେଲ୍ ମାସରେ ବିବାହ କରିଥିଲେ ଏବଂ ସେହି ବର୍ଷ ନଭେମ୍ବର ମାସରେ ସେମାନଙ୍କ ଝିଅ ‘ରାହା’ଙ୍କୁ ସ୍ୱାଗତ କରିଥିଲେ।