ଝାରସୁଗୁଡ଼ା ଓ ଜଗତସିଂହପୁର କୋର୍ଟକୁ ବୋମା ମାରି ଉଡ଼ାଇ ଦେବାକୁ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି
ଝାରସୁଗୁଡ଼ା ଓ ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରକୁ ବୋମାରେ ଉଡ଼ାଇ ଦେବା ପାଇଁ ଏକ ଅଜ୍ଞାତ ଇମେଲ୍ ମାଧ୍ୟମରେ ଧମକ ମିଳିଛି।
ଝାରସୁଗୁଡ଼ା : ଝାରସୁଗୁଡ଼ା ଏବଂ ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରକୁ ବୋମାରେ ଉଡ଼ାଇ ଦେବା ନେଇ ମିଳିଥିବା ଅଜ୍ଞାତ ଇମେଲ୍ ଧମକ ପରେ ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ କୋର୍ଟ ପରିସରକୁ ଖାଲି କରାଯିବା ସହ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି।
Uttarakhand Govt.
ଝାରସୁଗୁଡ଼ାରେ ଜିଲ୍ଲା ଜଜ୍ଙ୍କ ଅଫିସିଆଲ୍ ଇମେଲ୍ ଆଇଡିକୁ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ସେଥିରେ ଦିନ ୧:୧୫ ମିନିଟରେ ଜଜ୍ଙ୍କ ଅଫିସ୍, ଚାମ୍ବର ଏବଂ କୋର୍ଟର ଅନ୍ୟ ଅଂଶରେ ଗ୍ୟାସ୍ ବୋମା ବିସ୍ଫୋରଣ କରାଯିବ ବୋଲି ଦର୍ଶାଯାଇଥିଲା। ଏହି ଖବର ପରେ ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘ ତୁରନ୍ତ ସମସ୍ତ ଓକିଲ, କର୍ମଚାରୀ ଏବଂ ଦର୍ଶକଙ୍କୁ କୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା।
ସୂଚନା ପାଇବା ପରେ ପୋଲିସ, ବମ୍ ଡିସ୍ପୋଜାଲ୍ ସ୍କ୍ୱାଡ୍, ସ୍ନିଫର୍ ଡଗ୍ ଏବଂ ସ୍ୱତନ୍ତ୍ର ଟିମ୍ ସେଠାରେ ପହଞ୍ଚି ତଲାସି ଅଭିଯାନ ଆରମ୍ଭ କରିଛନ୍ତି। ସାଇବର ବିଶେଷଜ୍ଞମାନେ ଉକ୍ତ ଇମେଲ୍ କେଉଁଠାରୁ ଆସିଛି, ତାହାର ତଦନ୍ତ କରୁଛନ୍ତି। ତେବେ ପ୍ରାଥମିକ ତଦନ୍ତରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ। ପୋଲିସ ଏହି ଧମକକୁ ଗମ୍ଭୀରତାର ସହ ନେଇଥିବା ବେଳେ ତଦନ୍ତ ଚାଲିଥିବାରୁ ସାଧାରଣ ଜନତାଙ୍କୁ ଭୟଭୀତ ନ ହେବାକୁ ଅପିଲ୍ କରିଛି।

