‘ଆପଣ ଭାରତୀୟ ନାଗରିକ ନୁହନ୍ତି, କ୍ଷମା ମାଗନ୍ତୁ’, ଇମ୍ରାନ୍ ଖାନ୍‌ଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ଭର୍ତ୍ସନା

ଭାରତୀୟ ନାଗରିକ ନହୋଇ SIR ବିରୋଧୀ ପ୍ରତିବାଦରେ କାହିଁକି ସାମିଲ ହେଲେ ବୋଲି ପ୍ରଶ୍ନ କଲେ ବମ୍ବେ ହାଇକୋର୍ଟ।

ମୁମ୍ୱାଇ: ଭାରତରେ ରହୁଛନ୍ତି, ଏଠାରେ ପାଠ ପଢ଼ିଛନ୍ତି, ଏଠାରେ କାମ କରୁଛନ୍ତି। ହେଲେ ନାଗରିକତାକୁ ନେଇ ଏବେ ଅଦାଲତରେ ଉଠିଛି ପ୍ରଶ୍ନ। ଆଉ ଏହାକୁ ନେଇ ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ କଡ଼ା ତାଗିଦ୍ କରିଛନ୍ତି ବମ୍ବେ ହାଇକୋର୍ଟ।

‘ଆପଣ ଭାରତୀୟ ନାଗରିକ ନୁହନ୍ତି, ତେଣୁ SIR ଦ୍ୱାରା ପ୍ରଭାବିତ ହେବେ ନାହିଁ। ତେବେ ଏଭଳି ବିରୋଧ ପ୍ରଦର୍ଶନରେ ସାମିଲ ହେବାର ଅଧିକାର ଆପଣଙ୍କର କେଉଁଠୁ ଆସିଲା?’ ଶୁଣାଣି ସମୟରେ ଏଭଳି ପ୍ରଶ୍ନ କରିବା ସହ ଇମ୍ରାନ୍‌ଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ କହିଛନ୍ତି କୋର୍ଟ।

‘ଲିଭ୍ ଇଣ୍ଡିଆ ନୋଟିସ୍’କୁ ହାଇକୋର୍ଟରେ ଚ୍ୟାଲେଞ୍ଜ: ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ମୁମ୍ବାଇ ପୋଲିସ ପକ୍ଷରୁ ‘ଲିଭ୍ ଇଣ୍ଡିଆ ନୋଟିସ୍’ ଜାରି କରାଯାଇଥିଲା। ଏହି ନୋଟିସ୍‌ରେ ତାଙ୍କୁ ଅକ୍ଟୋବର ୨୮ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ରହିଥିଲା। ଏହାକୁ ଚ୍ୟାଲେଞ୍ଜ କରି ଇମ୍ରାନ୍ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ମାମଲାରେ ପୂର୍ବ ଶୁଣାଣି ସମୟରେ FRRO ପକ୍ଷରୁ କୋର୍ଟଙ୍କୁ ଆଶ୍ୱାସନା ଦିଆଯାଇଥିଲା ଯେ, ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇମ୍ରାନ୍‌ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ।

ଏହାପରେ ମାମଲାର ଶୁଣାଣି ହୋଇଥିଲା। ଇମ୍ରାନ୍‌ଙ୍କ ପକ୍ଷରୁ ବରିଷ୍ଠ ଓକିଲ ଭେଙ୍କଟେଶ ଧୋଣ୍ଡ ଏବଂ ରାଜ୍ୟ ପକ୍ଷରୁ ସରକାରୀ ଓକିଲ ଅଞ୍ଜଳି ହେଲେକର ଉପସ୍ଥିତ ଥିଲେ।

‘ଭାରତୀୟ ନୁହନ୍ତି, ବିରୋଧ କାହିଁକି’: ମୁଖ୍ୟ ବିଚାରପତି ମହେଶ ଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଇମ୍ରାନ୍‌ଙ୍କ ବିରୋଧରେ ରୁଜୁ ହୋଇଥିବା FIRର ସ୍ଥିତି ସମ୍ପର୍କରେ ତଥ୍ୟ ମାଗିଥିଲେ।

ଏହାସହ ଶୁଣାଣି ସମୟରେ ଇମ୍ରାନ୍‌ଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ଭାରତୀୟ ନାଗରିକ ନୁହନ୍ତି ଏବଂ SIR ପ୍ରକ୍ରିୟା ଦ୍ୱାରା ମଧ୍ୟ ପ୍ରଭାବିତ ହେବେ ନାହିଁ।

ତେବେ ଏଭଳି ବିରୋଧ ପ୍ରଦର୍ଶନରେ ସାମିଲ ହେବାର ଅଧିକାର ଆପଣଙ୍କର ନାହିଁ ବୋଲି କୋର୍ଟ ମତ ରଖିଥିଲେ। ଏପରିକି କୋର୍ଟ କହିଥିଲେ ଯେ, ଏହା ଏକ ଉସୁକାଇବା ଭଳି କାର୍ଯ୍ୟ। ତେଣୁ ଇମ୍ରାନ୍‌ଙ୍କୁ କ୍ଷମା ମାଗିବାକୁ ପଡ଼ିବ।

‘ନାଗରିକତା ପାଇଁ ଆବେଦନ କରୁନାହାନ୍ତି କାହିଁକି’: ଶୁଣାଣି ସମୟରେ ହାଇକୋର୍ଟ ଇମ୍ରାନ୍‌ଙ୍କୁ ଆହୁରି ପ୍ରଶ୍ନ କରିଥିଲେ। କୋର୍ଟ କହିଥିଲେ, ଆପଣ ପିଲାବେଳୁ ଭାରତରେ ରହୁଛନ୍ତି। ଏଠାରେ ପାଠ ପଢ଼ିଛନ୍ତି, କାମ କରିଛନ୍ତି ଏବଂ ଦେଶ ସହ ଜଡ଼ିତ ରହିଛନ୍ତି। ତେବେ ଭାରତୀୟ ନାଗରିକତା ପାଇଁ ଆବେଦନ କରୁନାହାନ୍ତି କାହିଁକି?

ଯଦି ଆପଣ ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (OCI) କାର୍ଡଧାରୀ ଭାବେ ରହିବାକୁ ଚାହୁଁଛନ୍ତି, ତେବେ ଏଭଳି ବିରୋଧ ପ୍ରଦର୍ଶନରେ ଆଗକୁ ସାମିଲ ହେବେ ନାହିଁ ବୋଲି ଲିଖିତ ଅଣ୍ଡରଟେକିଂ ଦେବାକୁ ପଡ଼ିବ ବୋଲି କୋର୍ଟ କହିଥିଲେ।

ଓକିଲଙ୍କ ଅଣ୍ଡରଟେକିଂ: ଏହାପରେ ଇମ୍ରାନ୍‌ଙ୍କ ପକ୍ଷରୁ ତାଙ୍କ ଓକିଲ ଏକ ଅଣ୍ଡରଟେକିଂ ଦେଇଥିଲେ। ଏଥିରେ ଇମ୍ରାନ୍ ଭବିଷ୍ୟତରେ ଏଭଳି କୌଣସି ବିରୋଧ ପ୍ରଦର୍ଶନରେ ସାମିଲ ହେବେ ନାହିଁ କିମ୍ବା ଅନ୍ୟ କାହାକୁ ଏଥିପାଇଁ ଉତ୍ସାହିତ କରିବେ ନାହିଁ ବୋଲି କୁହାଯାଇଥିଲା।

କିନ୍ତୁ କୋର୍ଟ ଏଥିରେ ସନ୍ତୁଷ୍ଟ ହୋଇନଥିଲେ। ଅଣ୍ଡରଟେକିଂ ସହିତ ବିନା ସର୍ତ୍ତରେ କ୍ଷମା ମାଗିବାକୁ ମଧ୍ୟ କହିଥିଲେ। ଜଣେ ସେଲିବ୍ରିଟିଙ୍କଠାରୁ ଏଭଳି ବ୍ୟବହାର ଆଶା କରାଯାଏ ନାହିଁ ବୋଲି କୋର୍ଟ ମତ ରଖିଥିଲେ।

ଦେଶର ଲୋକେ ଆପଣଙ୍କୁ ସବୁବେଳେ ଗ୍ରହଣ କରିଛନ୍ତି, ଆପଣଙ୍କ ଜୀବିକା ମଧ୍ୟ ଏହି ଦେଶ ସହ ଜଡ଼ିତ। ତେଣୁ ଲୋକଙ୍କୁ ଉସୁକାଇବା ଭଳି କାର୍ଯ୍ୟ କରିବା ଉଚିତ୍ ନୁହେଁ ବୋଲି କୋର୍ଟ କହିଥିଲେ। ତେବେ ଇମ୍ରାନ୍‌ଙ୍କ ‘ଲିଭ୍ ଇଣ୍ଡିଆ ନୋଟିସ୍’ ମାମଲାରେ ହାଇକୋର୍ଟଙ୍କ ଏହି କଡ଼ା ମନ୍ତବ୍ୟ ଏବେ ଚର୍ଚ୍ଚାକୁ ଆସିଛି।