ଉପାସନାଙ୍କ ପ୍ରସଙ୍ଗରେ ବିଧାନସଭାରେ ହଇଚଇ, କଙ୍ଗାରୁ କୋର୍ଟ ରୋକିବା ସହ କୁପ୍ରଥା ରୋକିବା ପାଇଁ ବିଧାୟିକାଙ୍କ ପ୍ରୟାସ
ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନର ଦ୍ଵିତୀୟର୍ଦ୍ଧରେ ବିଧାୟିକା ଉପାସନା ମହାପାତ୍ର ଗୃହରେ ଉଦବେଗ ପ୍ରକାଶ କରିବା ସହିତ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଭୁବନେଶ୍ୱର: ସ୍ଵାଧୀନତାର ୭୮ବର୍ଷ ପରେ ମଧ୍ୟ ଲୋକଙ୍କ ପାଖରେ ଜୀବନ ଜିଇବାର କୌଣସି ଅଧିକାର ମିଳୁନି। ଆଜି ବି ଏଭଳି ପରିସ୍ଥିତି ଦେଇ ଲୋକ ରାତି କାଟୁଛନ୍ତି ଆପଣ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଲୋକଙ୍କ ସାମ୍ବିଧାନିକ ଅଧିକାରକୁ କିଛି ଲୋକ କଙ୍ଗାରୁ କୋର୍ଟ ନାମରେ ନଷ୍ଟ କରିଦେଉଛନ୍ତି। ଆଉ ଫଳ ସ୍ୱରୂପ ଲୋକ ମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଗାଁ କୋଠର ସାମାଜିକ କୁସଂସ୍କାରକୁ ନେଇ ଏବେ ଏଭଳି ଏକ ଘଟଣା ଘଟିଛି ଯାହା ସମାଜ ଉପରେ କେବଳ ଖରାପ ପ୍ରଭାବ ପକାଉ ନାହିଁ ବରଂ ଏହାର ଛବି ମଧ୍ୟ ମଳିନ କରୁଛି । ଆଜିର ଏକବିଂଶ ଶତାବ୍ଦୀରେ ଲୋକ ମାନେ ଯାଇଁ ଯେଉଁଠି ମହାକାଶରେ ଉଠିଲେଣି ଏବେ ବି ମଧ୍ୟଯୁଗୀୟ ନୀଚ୍ଚ ମାନସିକତା ଦେଖିବାକୁ ମିଳିଛି। ଆମେ କହୁଛୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ସାମାଜିକ ବାସନ୍ଦ ହୋଇଥିବା ଏକ ପରିବାର କଥା ।
ଚାଲିଥିବା ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନର ଦ୍ଵିତୀୟର୍ଦ୍ଧରେ ବିଧାୟିକା ଉପାସନା ମହାପାତ୍ର ଗୃହରେ ଉଦବେଗ ପ୍ରକାଶ କରିବା ସହିତ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରସଙ୍ଗ ସୂଚାଇଦେଲା ସ୍ୱାଧୀନତା କେବଳ ନା କୁ ମାତ୍ର ଆମେ ଏବେବି କେତେ ପଛରେ ରହିଯାଇଛୁ …
ଦୁଇ ପରିବାର ଭିତରେ ଜମିବାଡ଼ି ବିବାଦରେ ପଲ୍ଲୀ ଗାଁର କାଣ୍ଡଗୋଦା ଗ୍ରାମପଂଚାୟତରେ ଗୋଟେ ପରିବାରକୁ ସାମାଜିକ ବାସନ୍ଦ କରାଯାଇଯାଇଛି। ଦୁଇପକ୍ଷର କଥା ନ ଶୁଣି କଙ୍ଗାରୁକୋର୍ଟ ଏକ ପାଖିଆ ରାୟ ଶୁଣାଇ ଦେଲା।ଉପଯୁକ୍ତ ନ୍ୟାୟ ପାଇଁ ପରେ ପରିବାର ଲୋକ ବାରମ୍ଵାର ଥାନା କଚେରୀର ଚକ୍କର ଲଗେଇଲେ ହେଲେ ତାଙ୍କ କଥା କେହି ଶୁଣିଲେ ନାହିଁ ।
ପ୍ରଥମେ ମନ୍ଦିର ଯିବାକୁ ବାରଣ କରାଗଲା ପରେ ଗାଁର କୌଣସି କାର୍ଯ୍ୟରେ ସାମିଲ କରେଇ ଦେଲେନି, ଗାଁର କୌଣସି ଦୋକାନ ବଜାର ବ୍ୟବହାର କରିବାକୁ ଦେଲେନି। ନିଜର କୌଣସି ସାମାଜିକ କାର୍ଯ୍ୟ କରିବାରେ ମଧ୍ୟ ରୋକ ଲଗେଇଲେ ଗ୍ରାମବାସୀ ଆଉ ପରେ ପରେ ଏହି ପରିବାରର ବିଜୁଳି ମଧ୍ୟ କାଟିଦେଲେ।
ଏଭଳି ଘଟଣା ପରେ ପରିବାର ଲୋକ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ନିକଟରେ ମଧ୍ୟ ନିଜର ସମସ୍ୟା ଜଣାଇଲେ ବ୍ରହ୍ମଗିରି ବିଧାୟିକା ଘଟଣା ଜାଣିବା ପରେ ଚାରିଥର ପୋଲିସଙ୍କୁ ମଧ୍ୟ ଏକଥା ଜଣାଇଲେ କିନ୍ତୁ ଏହାର କୌଣସି ସୁଫଳ ମିଳିଲା ନାହିଁ । ପରିବାର ଅନ୍ଧାର ଭିତରେ ରାତି କାଟୁଥିବା ବେଳେ ଏହି ବିଷୟରେ ପୁଣି ବିଧାୟିକାଙ୍କୁ ଅବଗତ କରାଇଲେ ।
ବିଧାୟିକାଙ୍କ କହିବା ସତ୍ୱେ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ମଧ୍ୟ କିଛି କରିପାରିଲା ନାହିଁ । ଗାଁରେ ପଶିବା ମାତ୍ରେ ବିଜୁଳି ବିଭାଗ ଲୋକଙ୍କୁ ଗ୍ରାମବାସୀ ତଡ଼ିଦେଲେ । ଆଉ ପୁଅ ଦ୍ୱାରା ପରିବାରର ଏ କଷ୍ଟ ଦେଖାଗଲାନି ଶେଷରେ ନିଜେ ଖୁଣ୍ଟିରେ ଚଢ଼ି ବିଜୁଳି ସଂଯୋଗ ଆଣିବା ସମୟରେ ନିଜ ଜୀବନକୁ ହରେଇ ବସିଲା ।
ସୂଚନାମୁତାବକ ହରିୟଣାର ଖାପ ପଞ୍ଚାୟତ କଙ୍ଗାରୁ କୋର୍ଟ ଭଳି ଏବେବି ଓଡ଼ିଶାର ବିଭିନ୍ନ ଗାଁରେ ଏହି ସାମାଜିକ କୁସଂସ୍କାର ଭଳି ପ୍ରଥା ଚାଲି ଆସୁଛି। ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇ ଏବେବି କିଛି ମୁଷ୍ଟିମେୟ ଲୋକ ନିଜ ରାଜୁତି ଚଳେଇ ଆସୁଛନ୍ତି ।
ଯାହାର କୁପରିଣାମ ଏଭଳି ଛୋଟ ଛୋଟ ପରିବାର ଭୋଗୁଛି । ଏବେ ସୁଦ୍ଧା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଏଭଳି ଗୋଟେ ନୁହେଁ ଅନେକ ପରିବାର ସାମାଜିକ ବାସନ୍ଦର କଷ୍ଟ ଭୋଗୀ ଆସୁଛନ୍ତି । ଆଉ ପ୍ରଶାସନ ସବୁ ଦେଖି ମଧ୍ୟ ଚୁପ ବସୁଛି। କିନ୍ତୁ ଏହି ଘଟଣା ପରେ ଚୁପ ବସି ନାହାନ୍ତି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର …
ସମାଜରେ ସଂସ୍କାର ଆଣିବା ସହ କୁପ୍ରଥାରେ ରୋକ ଲଗେଇବା ପାଇଁ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ତାଙ୍କର ପ୍ରୟାସ ଜାରି। ବିଧାନସଭା ଶୀତ କାଳୀନ ଅଧିବେଶନରେ ଆଜି ଉପାସନା ଏହି ପ୍ରସଙ୍ଗରେ ଉଠାଇଛନ୍ତି। ଜନତାଙ୍କ ସ୍ୱରକୁ ଶାଣିତ କରିବା ପାଇଁ ଉପାସନାଙ୍କ ଏହି ପଦକ୍ଷେପକୁ ଗୃହରେ ବିପୁଳ ପ୍ରସଂଶା କରାଯିବା ସହ ଖୁବ ଶୀଘ୍ର ଏହି କୁପ୍ରଥାକୁ ରୋକିବା ପାଇଁ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।
