ବଧୂ ସାଜି ସ୍ୱାମୀଙ୍କ ହାତ ଧରି ଆସିଥିଲେ; ହେଲେ ଦିନକ ପରେ…
କଲେଜ ଗେଟ ପାଖରେ ପହଞ୍ଚିବା ପରେ ପେନ୍ ଆଣିନଥିବାର ବାହାନା କରିଥିଲେ ରୀମା
ପାଟନା: ସାତ ଜନମକୁ ସାଥୀ ହେବା ପାଇଁ ସାତ କଳସ ଓ ଆଠ ଦୀପକୁ ସାକ୍ଷୀ ରଖି ବଧୂ ବେଶରେ ସଜେଇ ହୋଇଥିଲେ । ସ୍ୱାମୀଙ୍କ ହାତ ଧରି ଶାଶୂ ଘରକୁ ଆସିଥିଲେ । ହେଲେ ଦିନକରେ ପୂରିଗଲା ପ୍ରେମ । ପରୀକ୍ଷା ଦେବାର ବାହାନା କରି ସ୍ୱାମୀଙ୍କୁ ଅଧା ରାସ୍ତାରେ ଛିଡ଼ା ଚମ୍ପଟ ମାରିଲେ ନବବଧୂ । ଏପରି ଘଟଣା ବିହାର ବୈଶାଳୀ ଥାନା ଅଞ୍ଚଳରେ ଘଟିଛି ।
ବୈଶାଳୀ ଥାନା ଅଞ୍ଚଳର ହୁସେନା ଗାଁର ରୀମା(ଛଦ୍ମନାମ) ଭାତୌଲି ଭଗବାନ ପଞ୍ଚାୟତର ଜଣେ ଯୁବକଙ୍କୁ ବିବାହ କରିଥିଲେ । ବୈଦିକ ରୀତନୀତିରେ ୩୦ ତାରିଖ ରାତିରେ ହୋଇଥିଲା ବାହାଘର । ମେ’ ୧ ତାରିଖରେ ରୀମା ବଧୂ ବେଶରେ ଶାଶୂ ଘରକୁ ଆସିଥିଲେ । ତା’ପର ଦିନ ଅର୍ଥାତ ୨ ତାରିଖରେ ରୀମା ତାଙ୍କର ପରୀକ୍ଷା ହାଜୀପୁର ବୈଶାଳୀ ମହିଳା କଲେଜରେ ଅଛି ବୋଲି ସ୍ୱାମୀଙ୍କୁ କହିଥିଲେ । ଏହାପରେ ନିଜ ମୋଟର ସାଇକେଲରେ ପତ୍ନୀଙ୍କୁ ବସାଇ ନେଇଯାଇଥିଲେ ।
କଲେଜ ଗେଟ ପାଖରେ ପହଞ୍ଚିବା ପରେ ପେନ୍ ଆଣିନଥିବାର ବାହାନା କରିଥିଲେ ରୀମା । ତେଣୁ ସେ ପେନ ଆଣିବା ପାଇଁ ସ୍ୱାମୀଙ୍କୁ ପଠାଇଥିଲେ । ସ୍ୱାମୀ ବିଚରା ପେନ ଆଣିବାକୁ ଯାଇଥିଲେ । ଆଉ ରୀମା କଲେଜ ଆଗରେ ଛିଡ଼ା ହୋଇଥିଲେ । କିଛି ସମୟରେ ପେନ ଧରି ଫେରିଲା ବେଳକୁ ରୀମା ନଥିବା ଦେଖିବାକୁ ପାଇଲେ । ପତ୍ନୀଙ୍କୁ ଚାରିଆଡ଼େ ଖୋଲିଲେ । ହେଲେ ତାଙ୍କର କୌଣସି ଖୋଜଖବର ପାଇଲେ ନାହିଁ ।
ସେପଟେ ପୁଅର ଚତୁର୍ଥି ଭୋଜି ପାଇଁ ଘରେ ବ୍ୟାପକ ଆୟୋଜନ କରାଯାଇଥିଲା । ଦୁଇ ତାରିଖ ସନ୍ଧ୍ୟାରେ ଆୟୋଜିତ ଭୋଜିରେ ଯୋଗଦେବା ପାଇଁ ବନ୍ଧୁବାନ୍ଧବ ଓ ସାହି ପଡ଼ିଶାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏପରିକି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିଲା । ଠିକ୍ ସେତିକି ବେଳେ ଘର ଲୋକ ଜାଣିବାକୁ ପାଇଲେ ପରୀକ୍ଷା ଦେବାକୁ ଯାଇଥିବା ବୋହୂ ଫେରାର ହୋଇଯାଇଛି ।
ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା । କଣ କରିବେ? ଲୋକ ଲଜ୍ଜାରୁ କେମିତି ବର୍ତ୍ତିବେ? ଭୋଜିକୁ ଆସୁଥିବା ଲୋକଙ୍କୁ କଣ କହି ବୁଝାଇବେ? ଏମିତି ନାନା ଚିନ୍ତାରେ ପଡ଼ିଗଲା ପୂରା ପରିବାର । ଶେଷରେ କିଛି ଉପାୟ ନପାଇ ବୈଶାଳୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ହେଲେ ଏପର୍ଯ୍ୟନ୍ତ ବୋହୂର ପତ୍ତା ମିଳୁନଥିବା ଜଣାପଡ଼ିଛି ।
