ଦୋଷ ମୁକ୍ତ ପରେ ବୃଜଭୂଷଣଙ୍କ ରଣହୁଙ୍କାର: ବିରୋଧୀଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ
ବୃଜଭୂଷଣ ଶରଣ ସିଂହ କହିଛନ୍ତି, ମୁଁ ଯଦି ମୁଣ୍ଡ ନୁଆଁଇ ଦେଇଥାନ୍ତି, ତେବେ ମୋତେ ଚାପି ଦିଆଯାଇଥାନ୍ତା। ମୋର ଚରିତ୍ରର ହତ୍ୟା ହୋଇଯାଇଥାନ୍ତା
ଲକ୍ଷ୍ନୌ: ଆଜି ରଣହୁଙ୍କାର ଦେଇଛନ୍ତି ଭାରତୀୟ କୁସ୍ତି ମହାସଂଘର ପୂର୍ବ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହ। ଯୌନ ଉତ୍ପୀଡ଼ନ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ଗୁରୁବାର ଗୋଣ୍ଡାରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ‘ସତ୍ୟମେବ ଜୟତେ’ ରାଲିର ଆୟୋଜନ କରିଛନ୍ତି। ଅଭିଯୋଗ ଆଣିଥିବା ମହିଳା ଓ ବିରୋଧୀରେ ତୀବ୍ର ସମାଲୋଚନା କରିଛନ୍ତି। ଆଜି ସେ ସମସ୍ତଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଆଉ କହିଛନ୍ତି; ସାମ୍ନାକୁ ଆସି ଲଢ଼ନ୍ତୁ। ଶିଖଣ୍ଡୀଙ୍କ ଭଳି ଲୁଚି ମୋ’ ଉପରେ ଆକ୍ରମଣ କରନ୍ତୁ ନାହିଁ।
ବୃଜଭୂଷଣ ଶରଣ ସିଂହ କହିଛନ୍ତି, ମୁଁ ଯଦି ମୁଣ୍ଡ ନୁଆଁଇ ଦେଇଥାନ୍ତି, ତେବେ ମୋତେ ଚାପି ଦିଆଯାଇଥାନ୍ତା। ମୋର ଚରିତ୍ରର ହତ୍ୟା ହୋଇଯାଇଥାନ୍ତା। ପ୍ରଥମ ଦିନରୁ ମୁଁ କହିଥିଲି, ଯଦି ଗୋଟିଏ ବି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ନିଜେ ଫାଶୀରେ ଝୁଲିଯିବି ବୋଲି କହିଛନ୍ତି।
ଶ୍ରୀ ଶରଣ ସିଂହ କହିଛନ୍ତି; ମୋ’ ବିରୋଧରେ କେବଳ ‘ଗୁଡ୍ ଟଚ୍’ ଓ ‘ବ୍ୟାଡ୍ ଟଚ୍’ର ଅଭିଯୋଗ ରହିଛି। ମୁଁ କାହାର ସାଢ଼ି ଟାଣିନି। କିନ୍ତୁ ମେଡାଲ ପିନ୍ଧାଇବା ବେଳେ ଭୁଲ ଭାବେ ଛୁଇଁଥିବା ଭଳି କଥାକୁ ବଡ଼ ପ୍ରସଙ୍ଗ କରାଗଲା। ଯୌନ ଉତ୍ପୀଡ଼ନ ଭଳି ପ୍ରସଙ୍ଗକୁ ନେଇ ବିଶ୍ୱର କୌଣସି ସ୍ଥାନରେ ଏତେ ବଡ଼ ଆନ୍ଦୋଳନ ହୋଇନାହିଁ ସେ କହିଛନ୍ତି।
ବୃଜଭୂଷଣ ଶରଣ ସିଂହ ଆହୁରି କହିଛନ୍ତି, ମୋ ବିରୋଧରେ ଏଭଳି ଅଭିଯୋଗ କାହିଁକି ଲାଗିଲା? ଆଜି ଜିଲ୍ଲା ସ୍ତରରେ ଏଭଳି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି, ଯେଉଁମାନେ ଟଙ୍କା ନେଇ ମାମଲା ଗଢ଼ିବାକୁ ପ୍ରସ୍ତୁତ ରହୁଛନ୍ତି। ଅନେକ ଲୋକଙ୍କ ଜୀବନ ଏଭଳି ଅଭିଯୋଗରେ ନଷ୍ଟ ହୋଇଯାଇଛି। ସେମାନଙ୍କ ପାଇଁ ମୋତେ ସାହସର ପ୍ରତୀକ ହେବାକୁ ପଡ଼ିବ। ବୋଧହୁଏ ସେଥିପାଇଁ ମୋ ବିରୋଧରେ ଏହି ମାମଲା ହୋଇଥିଲା ବୋଲି ଶ୍ରୀ ସିଂହ କହିଛନ୍ତି।
ମହିଳା କୁସ୍ତିଯୋଦ୍ଧାଙ୍କୁ ମନ୍ଥରା ଓ କୈକେୟୀ ସହ ତୁଳନା: ବୃଜଭୂଷଣ କହିଛନ୍ତି, ମୋ ଜୀବନ ଯଦି କାହାର ଦାନ ରହିଛି, ତେବେ ତାହା ଅଯୋଧ୍ୟାର ସନ୍ଥମାନଙ୍କର। ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧାଙ୍କୁ ସେ ରାମାୟଣର ମନ୍ଥରା ଓ କୈକେୟୀଙ୍କ ସହ ତୁଳନା କରି କହିଛନ୍ତି; କୈକେୟୀ ଓ ମନ୍ଥରା ଜୀବନସାରା ଅପବାଦ ସହିଥିଲେ। କାରଣ ସେମାନେ ରାମଙ୍କୁ କେବଳ ଅଯୋଧ୍ୟାର ରାଜା ଭାବେ ନୁହେଁ, ଆଉ ବଡ଼ ରୂପରେ ଦେଖିବାକୁ ଚାହୁଁଥିଲେ।”
Uttarakhand Govt.
ସେ ଆହୁରି କହିଥିଲେ, “ଦ୍ରୋଣାଚାର୍ୟ୍ୟ ଏକଲବ୍ୟଙ୍କ ଅଙ୍ଗୁଠି ମାଗି ନିଜ ଉପରେ ଅପବାଦ ନେଇ ଏକଲବ୍ୟଙ୍କୁ ଅମର କରିଥିଲେ। ସେହିଭଳି ଏହି ‘ଦେବୀମାନେ’ (ମହିଳା କୁସ୍ତିଯୋଦ୍ଧା) ମୋ ଉପରେ ଅଭିଯୋଗ ଲଗାଇ ମୋତେ ଅମର କରିଦେଇଛନ୍ତି। ପୂର୍ବରୁ ମୋତେ ୧୦ରୁ ୨୦ଟି ଜିଲ୍ଲାର ଲୋକ ଜାଣୁଥିଲେ। କିନ୍ତୁ ଏହି ରାୟ ପରେ ସାରା ବିଶ୍ୱରେ ମୋତେ ନେଇ ଚର୍ଚ୍ଚା ହେଉଛି। ସୁପ୍ରିମକୋର୍ଟରେ ମୋ ଚର୍ଚ୍ଚା ହେଉଛି। ବିଚାରପତିମାନଙ୍କ ମଧ୍ୟରେ ମଧ୍ୟ ମୋ ଚର୍ଚ୍ଚା ହେଉଛି।”
ଆଇନର ସମୀକ୍ଷା ଦାବି: ସେ କହିଛନ୍ତି; “ମୋର ଏହି ମାମଲା ଦୁର୍ବଳ ଲୋକଙ୍କ ପାଇଁ ଏକ ସାହସର ପ୍ରତୀକ ହେବ। ଯେଉଁମାନଙ୍କ ବିରୋଧରେ ଏଭଳି ଆଇନର ଦୁରୁପଯୋଗ କରାଯାଉଛି। ଏହି ଆଇନର ସମୀକ୍ଷା ହେବା ଉଚିତ। ଅଯୋଧ୍ୟାର ମହନ୍ତ ରାଜକୁମାର ଦାସ ମଧ୍ୟ ଏହି ଦାବି କରିଛନ୍ତି। ମୋର କାହା ସହ କୌଣସି ଅଭିଯୋଗ ନାହିଁ।”
“ମୁଁ କେବେ ନିଜକୁ ଅପରାଧୀ ମାନିନି”: ବୃଜଭୂଷଣ କହିଛନ୍ତି, “ମୁଁ କେବେ ନିଜକୁ ଅପରାଧୀ ବୋଲି ମାନିନି। ଚାରିଜଣ ବିଚାରପତିଙ୍କ ସମ୍ନାରେ ଶୁଣାଣି ହୋଇଛି। ମୁଁ କେବେ ମଧ୍ୟ ଶୁଣାଣିରୁ ଅନୁପସ୍ଥିତ ରହିନି। ଯଦି କେହି ହାଇକୋର୍ଟକୁ ଯିବାକୁ ଚାହୁଁଛନ୍ତି, ସେମାନେ ନିଶ୍ଚୟ ଯାଆନ୍ତୁ। ଏହା ସେମାନଙ୍କର ଅଧିକାର। ଯେପର୍ୟ୍ୟନ୍ତ ମାମଲା ହାଇକୋର୍ଟରେ ଚାଲିବ, ସେପର୍ୟ୍ୟନ୍ତ ମୋତେ ନେଇ ଚର୍ଚ୍ଚା ଚାଲିବ। ଆପଣମାନେ ହାଇକୋର୍ଟକୁ ଯାଆନ୍ତୁ, ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ମୋର କାମକୁ ହିଁ ସହଜ କରୁଛନ୍ତି। କାରଣ ଆପଣମାନେ ଚାହୁଁନାହାନ୍ତି ଯେ ମୋର ଚର୍ଚ୍ଚା ଶେଷ ହେଉ।”
ବିରୋଧୀଙ୍କୁ ସମାଲୋଚନା: ସେ କହିଛନ୍ତି; “ଦେଶରେ ଏତେ ବଡ଼ ଷଡ଼ଯନ୍ତ୍ର କେବେ ହୋଇନଥିଲା। ଏତେ ବଡ଼ ସମର୍ଥନ ମଧ୍ୟ କାହାକୁ ମିଳିନଥିଲା। ଆମେରିକା ଓ କାନାଡାରେ ମୋ ବିରୋଧରେ ପୋଷ୍ଟର ଲାଗିଥିଲା। ୪୨ଟି ରାଜନୈତିକ ଦଳ ଏଥିରେ ସାମିଲ ଥିଲେ। ବିରୋଧୀ ଦଳ ଉପରେ ଜନତାଙ୍କର ବିଶ୍ୱାସ ନାହିଁ। ଗତ ୧୦ରୁ ୧୫ ବର୍ଷ ଧରି ସେମାନେ କୌଣସି ବଡ଼ ଆନ୍ଦୋଳନ କରିପାରିନାହାନ୍ତି।”
ବିରୋଧୀ ଦଳ ଉପରେ ଆକ୍ରମଣ କରି ସେ କହିଛନ୍ତି, “କେବେ ମହିଳା, କେବେ ଚାଷୀ, ଏବେ ତ କକରୋଚ୍ ପାର୍ଟି ପଛରେ ଲୁଚି ବିଜେପି ଉପରେ ଆକ୍ରମଣ କରୁଛନ୍ତି। ପିଲାମାନଙ୍କ ପଛରେ ଲୁଚି ଆକ୍ରମଣ କରୁଛନ୍ତି। ସାମ୍ନାକୁ ଆସି ଲଢ଼ନ୍ତୁ। ଶିଖଣ୍ଡୀଙ୍କ ଭଳି ଲୁଚି ମୋ’ ଉପରେ ଆକ୍ରମଣ କରନ୍ତୁ ନାହିଁ।”
ଶେଷରେ ସେ କହିଥିଲେ, “ଏହି ‘ଦେବୀମାନଙ୍କ’ କୃପା ପୂର୍ବରୁ ମୋ ସଭାରେ ଭିଡ଼ କମ୍ ହେଉଥିଲା। କିନ୍ତୁ ସେମାନଙ୍କ କୃପା ପରେ ଏବେ ବହୁତ ଅଧିକ ଲୋକ ଆସୁଛନ୍ତି।”

