fbpx

ଟୋକିଓ ଅଲିମ୍ପିକ୍ସ ୨୦୨୦: ସପ୍ତମ ଦିନରେ ଦମ ଦେଖାଇଲେ ଖେଳାଳି, ତୀରନ୍ଦାଜ-ବ୍ୟାଡମିଣ୍ଟନ-ହକି-ବକ୍ସିଂରେ କଲେ କମାଲ 

ନୂଆଦିଲ୍ଲୀ : ଅଲିମ୍ପିକ୍ସର ସପ୍ତମ ଦିନ ଭାରତ ପାଇଁ ଶୁଭଙ୍କର ରହିଛି। ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ମହିଳା ଏକକ ବର୍ଗର  ପ୍ରି କ୍ଵାର୍ଟର ଫାଇନାଲରେ ଡେନମାର୍କର ମିୟାଙ୍କୁ ପରାସ୍ତ କରି କ୍ଵାର୍ଟର ଫାଇନାଲ ଅର୍ଥାତ ଅନ୍ତିମ ୮ରେ ପ୍ରବେଶ  କରିଛନ୍ତି। ଏବେ ସିନ୍ଧୁଙ୍କ ମୁକାବିଲା ୟାମାଗୁଚିଙ୍କ ସହ ହେବ। ଅନ୍ୟପଟେ ଭାରତୀୟ ପୁରୁଷ ହକି ଦଳ ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନାକୁ ୩-୧ରେ ହରାଇ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ସେହିପରି ଅତନୁ ଦାସ ତୀରନ୍ଦାଜିରେ ପୁରୁଷ ଏକକ ବର୍ଗର କ୍ଵାର୍ଟର ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ କରିଛନ୍ତି। ଅନ୍ୟପଟେ ୨୫  ମିଟର ଏୟାର ପିସ୍ତଲ ପ୍ରତିଯୋଗିତାର ଯୋଗ୍ୟତାପର୍ଯ୍ୟାୟ ମୁକାବିଲାରେ ମନୁ ଭାକର ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ଅନ୍ୟପଟେ ବକ୍ସର ସତୀଶ କୁମାର ମଧ୍ୟ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକର ଷଷ୍ଠ ଦିନ ଭାରତ ପାଇଁ ମିଶ୍ରିତ ରହିଥିଲା। ଦୀପିକା କୁମାରୀ, ପୂଜା ରାଣୀ ଓ ପିଭି ସିନ୍ଧୁ ଦମଦାର ପ୍ରଦର୍ଶନ କରି ଭାରତର ପଦକ ଆଶା ଉଜ୍ଜିବୀତ ରଖିଛନ୍ତି।

ରୋଇଙ୍ଗରେ ପଞ୍ଚମରେ ଭାରତ

ପୁରୁଷର ଲାଇଭଲେଟ ଡବଲ୍ସ ସ୍କଲ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଅର୍ଜୁନ ଜାଟ ଓ ଅରବିନ୍ଦ ସିଂହ ଭଲ ପ୍ରଦର୍ଶନ କରିଥିଲେ। ହେଲେ ଏହି ଭାରତୀୟ ଯୋଡିଙ୍କୁ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ଏହା ଅଲିମ୍ପିକରେ ଭାରତର ଏ ପର‌୍ୟ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ।

୨୫ ମିଟର ପିସ୍ତଲ ପ୍ରତିଯୋଗିତାରେ ମନୁ ପଞ୍ଚମ ଓ ସରନୋବତ ୨୫ତମ ସ୍ଥାନରେ

ମହିଳା ସୁଟିଂରେ ୨୫ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାର ପ୍ରଥମ କ୍ଵାଲିଫାୟିଂ ଗୁରୁବାର ଖେଳାଯାଇଛି। ଭାରତ ପକ୍ଷରୁ ସୁଟର ମନୁ ଭାକର କ୍ଵାଲିଫାୟିଂ ମୁକାବିଲାରରେ ଭଲ ପ୍ରଦର୍ଶନ କରି ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ସେ ୩୦୦ ପଏଣ୍ଟରୁ ୨୦୦ ପଏଣ୍ଟ ହାସଲ କରିଛନ୍ତି। ଜୁଲାଇ ୩୦ ଅର୍ଥାତ ଶୁକ୍ରବାର ଏହି ପ୍ରତିଯୋଗିତାର ଦ୍ଵିତୀୟ ରାଉଣ୍ଡ ଖେଳାଯିବ। ଦୁଇ ରାଉଣ୍ଡରେ ଟପ୍ ୮ରେ ରହୁଥିବା ଖେଳାଳିଙ୍କୁ ଫାଇନାଲରେ ସ୍ଥାନ ମିଳିବ। ଅନ୍ୟପଟେ ଭାରତର ଅନ୍ୟ ଏକ ସୁଟର ପ୍ରିସିଜନ ରାଉଣ୍ଡରେ ୨୮୭ ପଏଣ୍ଟ ସହ ୨୫ତମ ସ୍ଥାନରେ ରହିଛନ୍ତି।

କ୍ଵାର୍ଟର ଫାଇନାଲରେ ଭାରତୀୟ ପୁରୁଷ ହକି ଟିମ୍

ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି। ଆଜି ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନାକୁ ୩-୧ରେ ପରାସ୍ତ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ ବରୁଣ କୁମାର, ବିବେକ ସାଗର ପ୍ରସାଦ ଓ ହରମନପ୍ରୀତ ସିଂହ ଗୋଲ୍ ସ୍କୋର କରିଥିଲେ। ଆର୍ଜେଣ୍ଟିନା ପକ୍ଷରୁ ଏକ ମାତ୍ର ଗୋଲ୍ କେସେଲା ଦେଇଥିଲେ। ଅଲିମ୍ପିକରେ ଭାରତୀୟ ହକି ଦଳର ଏହା ଚତୁର୍ଥ ମ୍ୟାଚରୁ ତୃତୀୟ ବିଜୟ।

ଅନ୍ତିମ ୮ରେ ପହଞ୍ଚିଲେ ପିଭି ସିନ୍ଧୁ

ଭାରତର ତାରକା ସଟଲର ପିଭି ସିନ୍ଧୁ ନିଜର ଚମତ୍କାର ପ୍ରଦର୍ଶନ ବଜାୟ ରଖି ଅନ୍ତିମ ୮ରେ ପହଞ୍ଚିଛନ୍ତି। ସେ ମହିଳା ଏକକ ବର୍ଗର ପ୍ରିକ୍ଵାର୍ଟର ଫାଇନାଲରେ ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨-୦ରେ ମାତ୍ ଦେଇଛନ୍ତି। ସିନ୍ଧୁ ପ୍ରଥମ ସେଟ ୨୧-୧୫ ଏନଂ ଦ୍ଵିତୀୟ ସେଟ ୨୧-୧୩ରେ ଜିତିଥିଲେ। ଏବେ ସିନ୍ଧୁଙ୍କ ମୁକାବିଲା ୟାମାଗୁଚିଙ୍କ ସହ ହେବ। ଏହି ମ୍ୟାଚ୍ ଜିତିଲେ ସିନ୍ଧୁ ସେମି ଫାଇନାଲରେ ପ୍ରବେଶ କରିବେ।

ଅନ୍ତିମ ୮ରେ ପହଞ୍ଚିଲେ ତୀରନ୍ଦାଜ ଅତନୁ ଦାସ

ଅତନୁ ଦାସ ଟୋକିଓ ଅଲିମ୍ପିକରେ ପଦକ ଜିତିବାର ଆଉ ଗୋଟିଏ ପାଦ ଆଗକୁ ବଢିଛନ୍ତି। ସେ ତୀରନ୍ଦାଜି ପୁରୁଷ ଏକକ ବର୍ଗରେ ଅନ୍ତିମ ଆଠ ଅର୍ଥାତ କ୍ଵାର୍ଟର ଫାଇନାଲରେ ପ୍ରବେଶ  କରିଛନ୍ତି। ଅତନୁ ଅନ୍ତିମ ୧୬ ବା ପ୍ରିକ୍ଵାର୍ଟର ଫାଇନାଲରେ କୋରିଆର ଜିନ୍ୟକ ଓହଙ୍କୁ ପରାସ୍ତ କରିଛନ୍ତି। ଅତନୁ ଏହି ମୁକାବିଲାକୁ କଡ ସଂଘର୍ଷ କରି ୬-୫ରେ ଜିତିଛନ୍ତି। ମୁକାବିଲା ସୁଟ୍ ଆଉଟ୍ ପର‌୍ୟ୍ୟନ୍ତ ପହଞ୍ଚିଥିଲା। ଏଥିରେ କୋରିଆ ଖେଳାଳି ୯ ଏବଂ ଅତନୁ ୧୦ ସ୍କୋର କରି ବିଜୟ ହାସଲ କରିଛନ୍ତି।

କ୍ଵାର୍ଟର ଫାଇନାଲରେ ପହଞ୍ଚିଲେ ବକ୍ସର ସତୀଶ କୁମାର

ଭାରତର ବକ୍ସର ସତୀଶ କୁମାର ୯୧ କିଗ୍ରା ବର୍ଗରେ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ୯୧ କିଗ୍ରା ବର୍ଗର ପ୍ରିକ୍ଵାର୍ଟର ଫାଇନାଲରେ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ହରାଇଛନ୍ତି। ସତୀଶ ଏହି ମୁକାବିଲାକୁ ୪-୧ରେ ନିଜ ନାମରେ କରିଥିଲେ। ସତୀଶ ଜାମାଇକାର ଖେଳାଳିଙ୍କୁ ପ୍ରଥମ ରାଉଣ୍ଡରେ ୫-୦ ଏବଂ ଦ୍ଵିତୀୟ ରାଉଣ୍ଡରେ ୪-୧ରେ ମାତ୍ ଦେଇଥିଲେ। ସେ ପଦକ ଜିତିବାର ଆଉ ଗୋଟିଏ ପାଦ ଦୂରରେ ଅଛନ୍ତି।

 

Get real time updates directly on you device, subscribe now.