ଭିଶୋଇ ଦଶାହରେ ଶବ ହୋଇ ଫେରିଲେ ଶାଳକ! ଲୁହରେ ଭିଜିଲା ଘର ଅଗଣା
ବିମଳ ଗାଧୋଉଥିବା ବେଳେ ନଈର ପ୍ରଖର ସ୍ରୋତରେ ଭାସି ଯାଇ ବ୍ରିଜ ନିର୍ମାଣ ପାଇଁ ତିଆରି ହୋଇଥିବା ବାଇପାସ୍ ରୋଡ଼୍ର ହୋମ୍ ପାଇପରେ ପଶି ଯାଇଥିଲେ
ଅନୁଗୋଳ: ଭିଣୋଇଙ୍କ ଦଶାହରେ ଉଠିଲା ଶାଳକଙ୍କ କୋକେଇ। ଭିଜିଲା ଘର ଅଗଣା, ଭିଜିଲା ଗାଁ ଶ୍ମଶାନ। ଦୁଃଖରେ ଭାଙ୍ଗି ପଡ଼ିଲା ପୂରା ପରିବାର। ଏପରି ହୃଦୟ ବିଦାରକ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି। ଅଭିଯୋଗ ଅନୁସାରେ ଶୁଦ୍ଧିକ୍ରିୟାରେ ସାମିଲ ହୋଇଥିଲେ ଶାଳକ ମୁଣ୍ଡନ ପରେ ନଈରେ ଗାଧୋଉଥିବା ବେଳେ ସ୍ରୋତରେ ଭାସି ଯାଇ ହୋମ୍ ପାଇପ୍ ଭିତରେ ପଶି ଯାଇଥିଲେ। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା।
ଅନୁଗୋଳ ଜିଲ୍ଲା ତୁମୁଣୀ ଗାଁର ଗିରିଶ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ଆଜି ଥିଲା ତାଙ୍କର ଦଶାହ। ତେଣୁ ଶୁଦ୍ଧିକ୍ରିୟା ପାଇଁ ବନ୍ଧୁ ବାନ୍ଧବ ଓ ପ୍ରିୟଜନ ମାତାଲିଆ ନଈ କୂଳରେ ରୁଣ୍ଡ ହୋଇଥିଲେ। ନୀତିକାନ୍ତି ପରେ ଜଣେ ପରେ ଜଣେ ମୁଣ୍ଡନ ହୋଇଥିଲେ। ମୃତ ଗିରିଶଙ୍କ ଶାଳକ ଅବସରପ୍ରାପ୍ତ ସେନା କର୍ମଚାରୀ ବିମଳ କିଶୋର ସାହୁ ଶୁଦ୍ଧିକ୍ରିୟାରେ ସାମିଲ ହୋଇଥିଲେ। ସେ ମୁଣ୍ଡନ ପରେ ନଈରେ ଗାଧୋଉଥିଲେ।
ବିମଳ ଗାଧୋଉଥିବା ବେଳେ ନଈର ପ୍ରଖର ସ୍ରୋତରେ ଭାସି ଯାଇ ବ୍ରିଜ ନିର୍ମାଣ ପାଇଁ ତିଆରି ହୋଇଥିବା ବାଇପାସ୍ ରୋଡ଼୍ର ହୋମ୍ ପାଇପରେ ପଶି ଯାଇଥିଲେ। ବିମଳଙ୍କ ଚିତ୍କାର ଶୁଣି ବନ୍ଧୁବାନ୍ଧବ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ହେଲେ ସେ ପାଣି ସ୍ରୋତରେ ହୋମ୍ ପାଇପ୍ ଭିତରେ ପଶି ଯାଇଥିବାରୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ପରେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଜେସିବି ମାଧ୍ୟମରେ ହୋମ୍ ପାଇପ୍କୁ ଭାଙ୍ଗି ବିମଳଙ୍କୁ ବାହାର କରିଥିଲେ। ସେତେବେଳକୁ ବିମଳଙ୍କ ମୃତ୍ୟୁ ହୋଇ ସାରିଥିଲା। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲେ। ଠିକାଦାର ନିମ୍ନମାନର କାମ କରିଥିବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

