fbpx

ହଟିପାରନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ଦୁରାପ୍ପା, ମୋଦିଙ୍କୁ ଭେଟିବା ପରେ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ରାଜନୀତିର ପାଣିପାଗ ବେଶ୍ ଉଷ୍ମ ରହିଛି କହିଲେ ଚଳିବ । ଗୋଟିଏ ପଟେ ପ୍ରଶାନ୍ତ କିଶୋର, ଶରଦ ପାୱାରଙ୍କ ବିରୋଧୀ ମହାମେଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଅନ୍ୟପଟେ ମମତା ବାନାର୍ଜୀ ଜାତୀୟ ରାଜନୀତିରେ ପ୍ରବେଶ ନେଇ ପ୍ରସ୍ତୁତି ଚଳାଇଛନ୍ତି । ସେହିପରି ପଞ୍ଜାବରେ କ୍ୟାପଟେନ-କ୍ରିକେଟରଙ୍କ ଫାଇଟ୍ ସଭିଙ୍କୁ ଭଲ ଭାବେ ଜଣା, ଯାହାର ନିଷ୍କର୍ସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ମଧ୍ୟ ଅସ୍ପଷ୍ଟ । କିଛିଦିନ ପୂର୍ବରୁ ଛତିଶଗଡ଼ରେ ଦୁଇବର୍ଷିଆ ସର୍ତ୍ତର ଅବଧି ପୂରଣ ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ତେବେ ବର୍ତ୍ତମାନ ଏକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ରାଜନୀତି ସରଗରମ୍ ହେଇଉଠିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପ୍ପାଙ୍କୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି । ଚର୍ଚ୍ଚା ହେବା ମଧ୍ୟ ସ୍ୱାଭାବିକ । କାରଣ ଆସନ୍ତା ବର୍ଷ ହେବାକୁ ଥିବା ଏକାଧିକ ରାଜ୍ୟର ସେମିଫାଇନାଲ ଓ ୨୦୨୪ର ଫାଇନାଲ ପାଇଁ ବିଜେପି ଏବେଠାରୁ ଅସ୍ତ୍ର ଧାରୁଆ କରୁଥିବା କଥା ସମସ୍ତେ ଜାଣନ୍ତି । ସେଥିପାଇଁ ବିଜେପି କିଛିଦିନ ପୂର୍ବରୁ ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର ପରିବର୍ତ୍ତନ କରିଥିଲା, ଯେଉଁଥିରେ ବହୁ ବରିଷ୍ଠ ବିଦା ହେବା ସହ ବହୁ ନବୀନ ସ୍ଥାନ ପାଇଥିଲେ । ଏପରିକି ବିନା ଫରଫର୍ମାନ୍ସରେ ଆଉଟ୍ ଅଫ୍ ବାଉଣ୍ଡରି ହେବାକୁ ପଡ଼ିବ ବୋଲି ମୋଦି ସମସ୍ତ ନେତାମାନଙ୍କୁ ତାଗିଦ୍ କରିଥିଲେ । ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ପରେ ବିଜେପିର ପରବର୍ତ୍ତୀ ନିଶାଣ ରାଜ୍ୟର ନେତୃତ୍ୱ ପରିବର୍ତ୍ତନ ଉପରେ ରହିପାରେ । ତେଣୁ ବିନା କାରଣରେ ହଠାତ୍ ମୋଦିଙ୍କୁ ଭେଟିବାକୁ ନେଇ ରାଜନୀତି ସମୀକ୍ଷକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ତେବେ ଏହି ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକୁ ନେଇ ୟେଦ୍ଦୁରାପ୍ପା ହସରେ ଉଡ଼ାଇ ଦେଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ଏକ ଭିନ୍ନ ଦିଗକୁ ଇସାରା କରୁଛି । ପ୍ରଧାନମନ୍ତ୍ରୀଙ୍କ ସହିତ ପିଏମ-ସିଏମ ବୈଠକରେ ଭିସିରେ ଅଂଶଗ୍ରହଣ କରିବା ପରେ ଅପରାହ୍ନରେ ୟେଦ୍ଦୁ ନିଜ ପୁଅଙ୍କ ସହିତ ଦିଲ୍ଲୀରେ ମୋଦିଙ୍କ ସହ ୩୦ ମିନିଟ୍ କାଳ ଆଲୋଚନା କରିଥିଲେ । ତେବେ ଏହାପରେ ୟେଦ୍ଦୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ୨୦୨୪ ମେଗା ଚାମ୍ପିୟନସିପର ପ୍ରସ୍ତୁତି ସ୍ୱରୂପ ସାଂପ୍ରତିକ ସମୟରେ ପରିବର୍ତ୍ତନ ଋତୁ ଚାଲିଥିବାରୁ ୟେଦ୍ଦୁଙ୍କ ବୈଠକରେ କିଛି ଗୁମର ରହିଥିବା ଅନୁମାନ କରାଯାଉଛି । ତେବେ ଏହି ବୈଠକ ନେଇ ପ୍ରଶ୍ନର ଉତ୍ତର ଦେଇ ଏହା ଏକ ଗୁଜମ ବୋଲି ୟେଦ୍ଦୁ କହିଥିବା ଜଣାପଡ଼ିଛି । ତେବେ ୟେଦ୍ଦୁ ଓ ମୋଦିଙ୍କ ବୈଠକରେ ସାରାଂଶ କ’ଣ ରହିଛି, ତାହା ହୁଏତ ଆଗାମୀ ଦିନରେ ଲୋକଲୋଚନକୁ ଆସିପାରେ ।

Get real time updates directly on you device, subscribe now.