fbpx

‘ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ କରାଇ ଦେବୁନି…’- ଫାଇନାଲ ପୂର୍ବରୁ ବଟଲରଙ୍କ ଚେତାବନୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ବିଶ୍ୱକପର ଫାଇନାଲରେ ପ୍ରବେଶ କରିସାରିଛି ପାକିସ୍ତାନ । ଏବେ ଦ୍ୱିତୀୟ ସେମି ଫାଇନାଲକୁ ଅପେକ୍ଷା । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଦିନିକିଆ ବିଶ୍ୱକପ ଚମ୍ପିଆନ୍ ଇଂଲଣ୍ଡ ଏବଂ ଟିମ୍ ଇଣ୍ଡିଆ । ଯାହାକୁ ନେଇ ଏବେ ଆଲୋଚନା ଜୋର ଧରିଲାଣି । ଦ୍ୱିତୀୟ ସେମି ଫାଇନାଲରେ ବିଜୟୀ ଦଳ ସିଧା ପାକିସ୍ତାନକୁ ସାମନା କରିବ ବିଶ୍ୱକପର ଫାଇନାଲରେ । ତେବେ ଫ୍ୟାନ୍ସମାନେ ଏବେ ୧୫ ବର୍ଷ ପୁରୁଣା ମ୍ୟାଚକୁ ମନେ ପକାଇଛନ୍ତି । ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ଏହି ଫାଇନାଲ ଖେଳାଯାଇପାରେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି ।

ତେବେ ଏହି ଆଲୋଚନା ମଧ୍ୟରେ ଏକ ବୟାନ ଦେଇଛନ୍ତି ଇଂଲଣ୍ଡ ଦଳର ଅଧିନାୟକ ଜୋସ ବଟଲର । ‘ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ କରାଇ ଦେବୁନି’ ବୋଲି କହି ଏବେ ଏହି ଚର୍ଚ୍ଚାକୁ ସେ ବଢାଇ ଦେଇଛନ୍ତି । ଆମେ ଉଭୟ ଦଳକୁ ଫାଇନାଲରେ ଖେଳୁଥିବାର ଦେଖିବାକୁ ଚାହୁଁନୁ ବୋଲି କହିଛନ୍ତି ବଟଲର । ତେବେ ପାକିସ୍ତାନ ଫାଇନାଲରେ ପ୍ରବେଶ କରି ସାରିଛି । ଏବେ ଭାରତ ପାଳି, ଅର୍ଥାତ୍ ଇଂଲଣ୍ଡ ସିଧାସଳଖ ଭାରତକୁ ଚାଲେଞ୍ଜ କରିଛି । ସେମିଫାଇନାଲ ମ୍ୟାଚରେ ଭାରତର ପରାଜୟ ସୁନିଶ୍ଚିତ ବୋଲି ଚେତାବନୀ ଦେଇଛନ୍ତି ବ୍ରିଟିଶ କ୍ୟାପଟେନ ।

ତେବେ ଏହା ବ୍ୟତୀତ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ବଟଲର ନୂଆ ପ୍ଲାନ କରିଛନ୍ତି । ସେ କହିଛନ୍ତି ଯେ, “ଆମେ ଟିମ ଇଣ୍ଡିଆ ବିପକ୍ଷରେ ଖେଳିବା ପାଇଁ ପ୍ରସ୍ତୁତ ରହିଛୁ । ଆହତ ମାର୍କ ଉଡ ଏବଂ ଡାଭିଡ ମଲାନଙ୍କ ଖେଳିବା ନେଇ ଏବେ ବି ଆଶଙ୍କା ରହିଥିବା ବେଳେ ମ୍ୟାଚ ଦିନ ହିଁ ଏହାର ନିଷ୍ପତ୍ତି ନେଇପାରିବୁ । ସେହିପରି ଭାରତୀୟ ଟିମ ଖୁବ ସନ୍ତୁଳିତ ମନେ ହେଉଛି । ତେବେ ମୋ ଦଳ ଉପରେ ମଧ୍ୟ ମୋର ଖୁବ ବିଶ୍ୱାସ ରହିଛି ବୋଲି କହିଛନ୍ତି ବଟଲର । କିନ୍ତୁ ସୂର୍ଯ୍ୟକୁମାର ଜଣେ ଦମଦାର ବ୍ୟାଟ୍ସମ୍ୟାନ ଭାବେ ଉଭା ହୋଇଛନ୍ତି । କିନ୍ତୁ ପ୍ରତ୍ୟେକ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ପାଇଁ ମାତ୍ର ଗୋଟିଏ ବଲ ଆବଶ୍ୟକ ହୋଇଥାଏ । ତେଣୁ ଏହାର ସୁଯୋଗ ଦଳ କେବେ ହାତଛଡା କରିବନି ବୋଲି ବଟଲର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.