fbpx

ଲିଭଇନ୍ ରେ ରହୁଥିବା ପ୍ରେମିକର ଭୟଙ୍କର କାଣ୍ଡ; ପ୍ରେମିକାକୁ ହତ୍ୟାପରେ କରିଲା ୩୫ ଖଣ୍ଡ

ନୂଆଦିଲ୍ଲୀ: ଆଜିକାଲି ଦେଶ ତଥା ରାଜ୍ୟରେ ଆତ୍ମହତ୍ୟା ଏବଂ ହତ୍ୟାପରି ଅପରାଧିକ ମାମଲା ବଢିବାର ଲାଗିଛି । ଖାସ କରି ଯୁବପିଢିଙ୍କ କ୍ଷେତ୍ରରେ ଏପରି ମାମଲା ଦେଖିବାକୁ ମିଳୁଛି । ତେବେ ପୂର୍ବରୁ ଏହି ହତ୍ୟା ଆତ୍ମହତ୍ୟାପରି ଘଟଣା ଅନେକ ଘଟିଥିବା ବେଳେ ବର୍ତ୍ତମାନ ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣଙ୍କ ମନରେ ମଧ୍ୟ ଭୟ ସୃଷ୍ଟି ହେବ । ତେବେ ଦିଲ୍ଲୀରେ ଲିଭ- ଇନ୍ ରିଲେସନରେ ରହୁଥିବା ଜଣେ ଯୁବକ ନିଜ ପ୍ରେମିକାକୁ ହତ୍ୟା କରିଛି । କେବଳ ଯେ ହତ୍ୟା କରିଛି ତାହା ନୁହେଁ ବରଂ ହତ୍ୟାପରେ ପ୍ରେମିକାର ମୃତଦେହକୁ ୩୫ ଖଣ୍ଡ କରି କଟିଛି । ଏଥିସହିତ ସେଗୁଡିକୁ ଏକ ପଲିଥିନରେ ପୁରାଇ ଭିନ୍ନ ସ୍ଥାନରେ ଫିଙ୍ଗୁଥିବାର ମଧ୍ୟ ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ବିଭତ୍ସ ଘଟଣାଟି ଦୀର୍ଘ ୫ମାସ ତଳେ ଅର୍ଥାତ ଚଳିତବର୍ଷ ମେ ମାସରେ ଘଟିଥିଲା । ଯାହାର ଗୁମର ବର୍ତ୍ତମାନ ଦିଲ୍ଲୀ ପୋଲିସ ଖୋଲିଛି । ତେବେ ପୋଲିସର କହିବା ଅନୁସାରେ, ମୁମ୍ବାଇର ଏକ କଲ ସେଣ୍ଟରରେ ଅଫତାବ୍ ଅମୀନ ପୁନାୱାଲା ଏବଂ ନାମକ ଜଣେ ବ୍ୟକ୍ତି କାମ କରୁଥିଲା ।ଏହି ସମୟରେ ସେଠାରେ କାମ କରୁଥିବା ମହିଳା ସହକର୍ମୀ ଶ୍ରଦ୍ଧା ୱାକରଙ୍କ ସହ ତାର ଦେଖା ହୋଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଏହାପରେ ଦୁହେଁ ଏକାଠି ଲିଭ୍ ଇନ୍ ରିଲେସନସିପରେ ରହିବାକୁ ଲାଗିଲେ ।

ତେବେ ଶ୍ରଦ୍ଧାଙ୍କ ବାପା ଏହି ବିଷୟରେ ଜାଣବା ପରେ ଝିଅକୁ ବିରୋଧ କରିଥିଲେ । ଫଳରେ ଦୁହେଁ ମୁମ୍ବାଇ ଛାଡି ଦିଲ୍ଲୀ ଚାଲିଯାଇଥିଲେ ଏବଂ ସେଠାରେ ଏକ ଫ୍ଲାଟରେ ରହୁଥିଲେ । ଏହି ସମୟରେ ଶ୍ରଦ୍ଧା ବିବାହ ପାଇଁ ଅଫତାବ ଉପରେ ଚାପ ପକାଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫଳରେ ପ୍ରେମିକ ଅଫତାବ ରାଗିଯାଇ ଏକ ଧାରୁଆ ଅସ୍ତ୍ରରେ ପ୍ରେମିକା ଶ୍ରଦ୍ଧାକୁ ହତ୍ୟା କରିଥିଲା । ଏହାପରେ ବି ତାର ମନ ଶାନ୍ତି ହୋଇନଥିଲା । ଯାହାଫଳରେ ହତ୍ୟା କରିଥିବା ପ୍ରେମିକାର ମୃତଦେହକୁ ୩୫ ଖଣ୍ଡ କାଟି ଏକ ପଲିଥିନରେ ରଖିଥିଲା ଏବଂ ପ୍ରତ୍ୟେକ ଦିନ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏହାକୁ ଫିଙ୍ଗୁଥିଲା ।

ଶ୍ରଦ୍ଧାଙ୍କ ବାପା ମହାରାଷ୍ଟ୍ର ପାଲଘରଠାରେ ପରିବାର ସହ ରହୁଥିବା ବେଳେ ଶ୍ରଦ୍ଧା ମୁମ୍ବାଇର ଏକ ନାମକରା ମଲ୍ଟିନ୍ୟାସନାଲ କମ୍ପାନୀର କଲ ସେଣ୍ଟରରେ କାମ କରୁଥିଲେ । ତେବେ ହତ୍ୟା ଘଟଣାର କିଛି ଦିନ ପରେ ଶ୍ରଦ୍ଧାଙ୍କ ପରିବାର ଲୋକେ ତାଙ୍କ ଫୋନକୁ ବାରମ୍ବାର କଲ କରିଥିଲେ ମଧ୍ୟ କିଛି ଉତ୍ତର ମିଳିନଥିଲା । ଫଳରେ ଶ୍ରଦ୍ଧା ରହୁଥିବା ଭଡା ଘରକୁ ଯାଇଥିଲେ ବାପା ବିକାଶ ମଦାନ ୱାକର । ହେଲେ ଘରେ ତାଲା ପଡିଥିବା ଦେଖି ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ତେଣୁ ସେ ତୁରନ୍ତ ଯାଇ ପୋଲିସରେ ଖବର ଦେଇଥିଲେ । ଏହାପରେ ପୋଲିସ ଆରମ୍ଭ କରିଥିଲା ତାର ଛାନବିନ୍ ।

ଦିଲ୍ଲୀ ପୋଲିସ ଏହି ଘଟଣାକୁ ଗମ୍ଭିରତାରସହ ନେଇ ଟେକ୍ନିକାଲ ସର୍ଭେଲାନ୍ସ ସହାୟତାରେ ଅଭିଯୁକ୍ତ ଆଫତାବକୁ ଖୋଜି ବାହାର କରିଥିଲା । ଆଉ ଏହାପରେ ସବୁ ସତ କଥା ମାନିଯାଇଥିଲା ପ୍ରେମିକ ଆଫତାବ । ବିବାହ କରିବାକୁ ଚାପ ପକାଇବାରୁ ଶ୍ରଦ୍ଧାକୁ ହତ୍ୟା କରିଥିବା କହିଛି ଅଫତାବ । ଏଥିସହିତ ମୃତଦେହକୁ ଏବଂ ୩୫ ଖଣ୍ଡ କରି କାଟି ଫୋପାଡିଥିବା ମଧ୍ୟ ସେ ସ୍ୱିକାର କରିଛି । ତେବେ ଅଫତାବ କହୁଥିବା କଥାର ସତ୍ୟତା ପ୍ରମାଣ ପାଇଁ ଦିଲ୍ଲୀ ପୋଲିସ ଯାଇ ସେହି ସବୁ ସ୍ଥାନ ସର୍ଚ୍ଚ କରିବା କିଛି ହାଡ ଖଣ୍ଡ ଜବତ କରିଥିଲା । ତେବେ ଏହି ଘଟଣାରେ ଏବେବି ପୋଲିସର ଛାନବିନ୍ ଜାରି ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.