ଆଉ ମରିବେନି ମଣିଷ! ବିଜ୍ଞାନ ବଳରେ ଅମର ହେବାକୁ ଯାଉଛି ମାନବ ସମାଜ, ଜାଣନ୍ତୁ କେବେ ଏବଂ କେମିତି ହେବ ଏହା ସମ୍ଭବ

ଆଉ ମରିବେନି ମଣିଷ! ବିଜ୍ଞାନ ବଳରେ ଅମର ହେବାକୁ ଯାଉଛି ମାନବ ସମାଜ

Human Immortality: କାହିଁ କେଉଁ ଯୁଗରୁ ମଣିଷ ମନରେ ଅମର ହେବାର ଆଶା ଓ ଅଭିଳାଷା ରହିଆସିଛି । ପୁରୁଣା କାହାଣୀ ଏବଂ ଧାର୍ମିକ ଗ୍ରନ୍ଥଗୁଡ଼ିକରେ ଆମେ ଏମିତି ଅନେକ କିମ୍ବଦନ୍ତୀ ଶୁଣିଛୁ, ଯେଉଁଠାରେ ମଣିଷ କିମ୍ବା ଦେବତାମାନଙ୍କୁ ଅମରତ୍ୱର ବରଦାନ ମିଳିଥିଲା । ମାତ୍ର ପ୍ରଶ୍ନ ଉଠୁଛି, କଣ ଆଜିର ଆଧୁନିକ ବିଜ୍ଞାନ ଯୁଗରେ ଏହା ସମ୍ଭବ?

ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ ଏହି ରହସ୍ୟର ସମାଧାନ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ସମୟରେ ଗୁଗଲ୍‌ର ଜଣେ ପୂର୍ବତନ ବୈଜ୍ଞାନିକ ଦାବି କରିଛନ୍ତି ଯେ, ମାନବ ପ୍ରଯୁକ୍ତିବିଦ୍ୟା ଏତେ ଆଗକୁ ବଢ଼ିସାରିଛି ଯେ ମଣିଷ ଖୁବ୍ ଶୀଘ୍ର ମୃତ୍ୟୁକୁ ହରାଇଦେବ ଏବଂ ସେ ସବୁଦିନ ପାଇଁ ଅମର ହୋଇଯିବ ।

ବୈଜ୍ଞାନିକଙ୍କ ୮୬ ପ୍ରତିଶତ ଭବିଷ୍ୟବାଣୀ ସତ ପ୍ରମାଣିତ

ଅମରତ୍ୱକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଏହି ଚାଞ୍ଚଲ୍ୟକର ଦାବି କୌଣସି ସାଧାରଣ ବ୍ୟକ୍ତି କରିନାହାନ୍ତି । ଏହା ବିଶ୍ୱର ଜଣାଶୁଣା କମ୍ପ୍ୟୁଟର ବୈଜ୍ଞାନିକ ତଥା ଭବିଷ୍ୟବକ୍ତା ରେ କୁର୍ଜୱିଲ୍ (Ray Kurzweil) କରିଛନ୍ତି । ଗୁଗଲ୍‌ର ପୂର୍ବତନ ଇଞ୍ଜିନିୟର ରହିସାରିଥିବା କୁର୍ଜୱିଲ୍‌ଙ୍କୁ ୧୯୯୯ ମସିହାରେ ଆମେରିକାର ପ୍ରତିଷ୍ଠିତ ‘ନ୍ୟାସନାଲ ମେଡାଲ ଅଫ୍ ଟେକ୍ନୋଲୋଜି’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅତୀତରେ ସେ କରିଥିବା ପ୍ରାୟ ୮୬ ପ୍ରତିଶତ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ ପ୍ରମାଣିତ ହୋଇଛି । ତେଣୁ ସାରା ବିଶ୍ୱର ବିଶେଷଜ୍ଞମାନେ ତାଙ୍କର ଏହି ଦାବିକୁ ଗମ୍ଭୀରତାର ସହ ନେଉଛନ୍ତି ।

ମଣିଷ ଅମର ହେବା ପାଇଁ ଆଉ କେତେ ବର୍ଷ ବାକି?

ରେ କୁର୍ଜୱିଲ୍ ୨୦୦୫ ମସିହାରେ ‘ଦି ସିଙ୍ଗୁଲାରିଟି ଇଜ୍ ନିଅର୍’ (The Singularity Is Near) ନାମକ ଏକ ବହୁ ଚର୍ଚ୍ଚିତ ପୁସ୍ତକ ଲେଖିଥିଲେ । ଏହି ବହିରେ ସେ ଦାବି କରିଥିଲେ ଯେ, ବର୍ଷ ୨୦୩୦ ସୁଦ୍ଧା ମଣିଷ ଏଭଳି ଏକ ଜୀବନ ହାସଲ କରିନେବ ଯାହା କେବେ ଶେଷ ହେବନାହିଁ, ଅର୍ଥାତ ମଣିଷ ସମ୍ପୂର୍ଣ୍ଣ ରୂପେ ଅମର ହୋଇଯିବ ।

ତାଙ୍କର ଏହି ଆକଳନ ଅନୁଯାୟୀ, ବିଜ୍ଞାନ ସାହାଯ୍ୟରେ ମୃତ୍ୟୁ ଉପରେ ବିଜୟ ହାସଲ କରିବା ପାଇଁ ଏବେ ବହୁତ କମ୍ ସମୟ ବାକି ରହିଛି । ଏହି ସିଦ୍ଧାନ୍ତକୁ ବୁଝାଇବା ପାଇଁ ସେ ଆଧୁନିକ ଜେନେଟିକ୍ସ, ନାନୋଟେକ୍ନୋଲୋଜି ଏବଂ ରୋବୋଟିକ୍ସ ଭଳି ପ୍ରଯୁକ୍ତିବିଦ୍ୟାକୁ ମୁଖ୍ୟ ଆଧାର କରିଛନ୍ତି ।

ମଣିଷକୁ କେମିତି ଅମର କରିବ ‘ନାନୋବଟ୍ସ’?

ବୈଜ୍ଞାନିକଙ୍କ ଅନୁମାନ ଅନୁଯାୟୀ, ନାନୋଟେକ୍ନୋଲୋଜି ସାହାଯ୍ୟରେ ଭବିଷ୍ୟତରେ ଅତି ସୂକ୍ଷ୍ମ ଅର୍ଥାତ୍ ଛୋଟ ଆକାରର ‘ଏଜ୍-ରିଭର୍ସିଂ ନାନୋବଟ୍ସ’ (Age-reversing Nanobots) ପ୍ରସ୍ତୁତ କରାଯିବ । ଏହି ନାନୋବଟ୍ସଗୁଡ଼ିକୁ ଇଞ୍ଜେକ୍ସନ ସାହାଯ୍ୟରେ ମଣିଷ ଶରୀର ଭିତରକୁ ପଠାଯିବ, ଯାହା ରକ୍ତ ମାଧ୍ୟମରେ ପୂରା ଶରୀରରେ ଭ୍ରମଣ କରିବ ।

ସାଧାରଣତଃ ବୟସ ବଢ଼ିବା ସହିତ ଶରୀରର ସେଲ୍ସ ଏବଂ ଟିସୁ ଦୁର୍ବଳ ହୋଇ ମରିବାକୁ ଲାଗନ୍ତି, ଯାହାଦ୍ୱାରା ବାର୍ଦ୍ଧକ୍ୟ ଓ ବିଭିନ୍ନ ରୋଗ ଦେଖାଦିଏ । ମାତ୍ର ଏହି ଯାଦୁକରୀ ନାନୋବଟ୍ସଗୁଡ଼ିକ ଶରୀର ଭିତରେ ରହି ନଷ୍ଟ ହେଉଥିବା ସେଲ୍ସ ଓ ଟିସୁକୁ ଲଗାତାର ଭାବେ ମରାମତି କରି ଚାଲିବେ, ଯାହାଫଳରେ ମଣିଷ କେବେ ବି ବୁଢ଼ା ହେବନାହିଁ ।

କମ୍ପ୍ୟୁଟର ଏବଂ ମାନବ ମସ୍ତିଷ୍କର ମିଳନ

କୁର୍ଜୱିଲ୍‌ଙ୍କ ମତରେ, ୨୦୨୯ ମସିହା ସୁଦ୍ଧା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମ୍ପୂର୍ଣ୍ଣ ରୂପେ ମାନବ ମସ୍ତିଷ୍କ ଭଳି ବୁଦ୍ଧିମାନ ଓ ସକ୍ଷମ ହୋଇଯିବ । ଏହା ପରେ ୨୦୪୫ ସୁଦ୍ଧା ‘ସିଙ୍ଗୁଲାରିଟି’ର ସମୟ ଆସିବ, ଯେତେବେଳେ ମଣିଷ ନିଜ ମସ୍ତିଷ୍କକୁ କମ୍ପ୍ୟୁଟର ଏବଂ ଏଆଇ ସହିତ ସମ୍ପୂର୍ଣ୍ଣ ଭାବେ ଯୋଡ଼ିଦେବ ।

ଏହାଦ୍ୱାରା ମଣିଷର ଚିନ୍ତା କରିବା ଏବଂ ବୁଝିବାର କ୍ଷମତା ଆଜି ତୁଳନାରେ ଅରବ ଗୁଣ ଅଧିକ ବଢ଼ିଯିବ । ଯେତେବେଳେ ମାନବ ଚେତନା ମେସିନ୍ ସହିତ ଜଡ଼ିତ ହୋଇଯିବ, ସେତେବେଳେ ଜୈବିକ ଶରୀର ନଷ୍ଟ ହେବା ପରେ ମଧ୍ୟ ମଣିଷର ଅସ୍ତିତ୍ୱ ସବୁଦିନ ପାଇଁ ଅମର ହୋଇ ରହିବ ।