fbpx

PM Kisaan Yojnaରେ ସାମିଲ ହେବେ ଦମ୍ପତ୍ତି! ପତୀ-ପତ୍ନୀ ଉଭୟଙ୍କୁ ମିଳିପାରିବ କି ଫାଇଦା? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଦେଶର ଚାଷୀମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପିଏମ କିସାନ ଯୋଜନା ଆରମ୍ଭ ହୋଇଯାଇଛି । ଏହି ଯୋଜନାରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ବାର୍ଷିକ ୬,୦୦୦ ଟଙ୍କା ଡିପୋଜିଟ କରୁଛନ୍ତି ସରକାର । ତେବେ ଅନେକ ଥର ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ କିନ୍ତୁ ଆଉ ଏକ ବଡ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଗକୁ ଏହି ଯୋଜନାରେ ଉଭୟ ଦମ୍ପତ୍ତିଙ୍କୁ ସାମିଲ କରାଯିବା ନେଇ ଆଲୋଚନା ହେଉଛି । ଗୋଟିଏ ପରିବାରର ପତୀ-ପତ୍ନୀ ଉଭୟ ଏହି ଯୋଜନା ଅଧୀନରେ ଲାଭ ଉଠାଇ ପାରିବେ ବୋଲି କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଏହାର ସତ୍ୟତା ।

ଭାରତ ଏକ କୃଷି ପ୍ରଧାନ ଦେଶ । ତେଣୁ ଅନେକ ସ୍ଥାନରେ ଗୋଟିଏ ପରିବାରର ଉଭୟ ପତୀ-ପତ୍ନୀ ଚାଷ କାର୍ଯ୍ୟରେ ଲିପ୍ତ ଥାଆନ୍ତି । ତେବେ ଏମିତି କ୍ଷେତ୍ରରେ ମଧ୍ୟ ପରିବାରର ଜଣେ ବ୍ୟକ୍ତି ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ । ଏ ନେଇ ପିଏମ କିସାନ ପୋର୍ଟାଲରେ ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି । ଏହି ଯୋଜନାର ନିୟମ ଅନୁସାରେ, ପ୍ରତ୍ୟେକ ଚାଷୀ ପରିବାରର ଜଣେ ବ୍ୟକ୍ତି ହିଁ ଏହି ଯୋଜନାରେ ନାମ ରେଜିଷ୍ଟର କରିପାରିବେ । ତେବେ ଏକାଧିକ ବ୍ୟକ୍ତିଙ୍କ ନାଁ ଏଥିରେ ସାମିଲ ରହିଥଇଲେ ଏହାକୁ ରଦ୍ଦ କରି ଦିଆଯିବ ବୋଲି କୁହାଯାଇଛି । ଏହା ବ୍ୟତୀତ ଯଦି କୌଣସି ସ୍ଥାନରେ ଗୋଟିଏ ପରିବାରର ୨ ଜଣ ବ୍ୟକ୍ତି ଏହାର ଲାଭ ଉଠାଉଛନ୍ତି, ତେବେ ସରକାର ଏହାକୁ କୌଣସି ମୁହୂର୍ତ୍ତରେ ରିକଭର କରିପାରନ୍ତି ।

ପିଏମ କିସାନ ଯୋଜନାର ନିୟମ ଅନୁସାରେ, ଯଦି କେହି ଚାଷୀ ନିଜ ଜମିକୁ ଚାଷ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ତେବେ ସେମାନେ ଏହି ଯୋଜନାରେ ଲାଭ ଉଠାଇ ପାରିବେ ନାହିଁ । ସେହିଭଳି ବାପା କିମ୍ବା ପୂର୍ବପୁରୁଷଙ୍କ ନାମରେ ରହିଥିବା ଜମି ପାଇଁ ଏହି ଯୋଜନାର ଫାଇଦା ଉଠାଇ ପାରିବେ ନାହିଁ ଚାଷୀ । ଏହାବ୍ୟତୀତ ଉଭୟ ପତୀ-ପତ୍ନୀ ପିଏମ କିସାନ ଯୋଜନାରେ ଲାଭ ପାଇବା ନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.