ବଡ଼ ଖବର: ଅକ୍ଟୋବର ସୁଦ୍ଧା ହେବ SI ପରୀକ୍ଷା, ବୟସ ସୀମା ପାର୍ କରିଥିବା ପରୀକ୍ଷାର୍ଥୀଙ୍କୁ ମଧ୍ୟ ମିଳିବ ସୁଯୋଗ

ବଡ଼ ଖବର: ଅକ୍ଟୋବର ସୁଦ୍ଧା ହେବ SI ପରୀକ୍ଷା

SI Exam: ପ୍ରଶ୍ନପତ୍ର ଲିକ୍ ଯୋଗୁଁ ବାତିଲ ହୋଇଥିବା ସବ୍-ଇନ୍ସପେକ୍ଟର (SI) ପରୀକ୍ଷାକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଏହି ପରୀକ୍ଷା ପୁଣିଥରେ ଆୟୋଜନ କରାଯିବ ବୋଲି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ କମିଶନ (OUSSC) ର ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି । ପ୍ରଶ୍ନପତ୍ର ଲିକ୍ କାରଣରୁ ପରୀକ୍ଷାରୁ ବଞ୍ଚିତ ହୋଇଥିବା ସମସ୍ତ ଯୋଗ୍ୟ ପ୍ରାର୍ଥୀ ପୁଣିଥରେ ପରୀକ୍ଷା ଦେବାର ସୁଯୋଗ ପାଇବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଯେଉଁ ଆଶାୟୀମାନଙ୍କର ବୟସ ସୀମା ଅତିକ୍ରମ ହୋଇଯାଇଛି, ସେମାନଙ୍କୁ ମଧ୍ୟ ଏହି ପରୀକ୍ଷାରେ ବସିବାକୁ ଅନୁମତି ମିଳିବ । ଏହାସହ ପରୀକ୍ଷାର ସିଲାବସ୍ କିମ୍ବା ପାଟର୍ନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି । ଏଥର ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରୀକ୍ଷା ପରିଚାଳନା କରିବାକୁ କମିଶନ ପ୍ରତିଶ୍ରୁତି ଦେଇଛି ।

କାର୍ଯ୍ୟାଳୟ ଆଗରେ ଆଶାୟୀଙ୍କ ଅଭିନବ ପ୍ରତିବାଦ

ଅନ୍ୟପକ୍ଷରେ, ନିଯୁକ୍ତି ପ୍ରକ୍ରିୟାରେ ଅହେତୁକ ବିଳମ୍ବକୁ ନେଇ ଆଜି ଭୁବନେଶ୍ୱରସ୍ଥିତ OUSSC କାର୍ଯ୍ୟାଳୟ ସମ୍ମୁଖରେ SI ଆଶାୟୀମାନେ ଏକ ଅଭିନବ ଢଙ୍ଗରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରାୟ ତିନି ମାସ ହେଲାଣି କମିଶନଙ୍କ କାର୍ଯ୍ୟାଳୟ ଚାଲୁଥିଲେ ମଧ୍ୟ ସେଠାରେ କୌଣସି ସରକାରୀ ନାମଫଳକ ନଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି ।

ଏହାର ପ୍ରତିବାଦ ସ୍ୱରୂପ ଆଶାୟୀମାନେ ନିଜେ ଏକ ସାଙ୍କେତିକ ନାମଫଳକ ତିଆରି କରି କାର୍ଯ୍ୟାଳୟ ଭିତରକୁ ଯାଇଥିଲେ ଏବଂ କଳା ଫିତା କାଟି ପ୍ରତୀକାତ୍ମକ ଭାବେ ଏହି କାର୍ଯ୍ୟାଳୟର ଉଦ୍ଘାଟନ କରିଥିଲେ । ଏହି ପ୍ରତିବାଦ ମାଧ୍ୟମରେ ସେମାନେ କମିଶନଙ୍କ ଧୀମା କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ, ଭବିଷ୍ୟତରେ କୌଣସି ପ୍ରକାର ଦୁର୍ନୀତି ନକରି ଶୀଘ୍ର, ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରୀକ୍ଷା ଶେଷ କରିବାକୁ ଜୋରଦାର ଦାବି କରିଛନ୍ତି ।