fbpx

ରାଜ୍ୟର ୧୧ଟି ସରକାରୀ ହସ୍ପିଟାଲରେ ଖୋଲିବ କ୍ୟାନସର ୱିଙ୍ଗ: କାର୍ଯ୍ୟକ୍ଷମ ହେବ ୩ ସ୍ପେଶାଲ ଘରୋଇ କ୍ୟାନସର ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର କ୍ୟାନସର ସ୍ୱାସ୍ଥ୍ୟସେବା ନେଇ ଭିତ୍ତିଭୂମି ସୁଦୃଢ଼ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ସ୍ୱାସ୍ଥ୍ୟସେବାର ଚିତ୍ର ବଦଳିବା ସହ ଆଗାମୀ ଦିନରେ ବଡ଼ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଆଉ ୨ ବର୍ଷ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ୟାନସର ରୋଗୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ।

ତେବେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟସେବା ବାବଦରେ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟର ୧୧ଟି ସରକାରୀ ହସ୍ପିଟାଲରେ କ୍ୟାନସର ୱିଙ୍ଗ ଖୋଲିବ । ଏଥିସହିତ ରାଜ୍ୟରେ ୩ଟି ସ୍କେଶାଲ ଘରୋଇ କ୍ୟାନସର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଏହି ମନ୍ତ୍ର ନେଇ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

କର୍କଟ ରୋଗୀମାନେ ଉନ୍ନତ ମାନର ଚିକିତ୍ସା ପାଇବା ଲକ୍ଷ୍ୟ ନେଇ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନକୁ ଆସିଥାନ୍ତି । ମାତ୍ର ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ କ୍ୟାନ୍ସର ୱିଙ୍ଗ ଖୋଲିବା ଫଳରେ ରୋଗୀଙ୍କୁ ଆଉ କଟକ ଆସିବାକୁ ପଡ଼ିବ ନାହିଁ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ ଶଯ୍ୟା, ବୁର୍ଲା ଭୀମସାରରେ ୧୦୦ ଶଯ୍ୟା, ବ୍ରହ୍ମପୁର ଏମକେସିଜିରେ ୧୦୦ ଶଯ୍ୟା, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୫୦ ଶଯ୍ୟା, ଭବାନିପାଟଣା ସରକାରୀ ମେଡିକାଲ କଲେଜରେ ୫୦ ଶଯ୍ୟା, ବଲାଙ୍ଗିର ଭୀମଭୋଇ ମେଡିକାଲରେ ୫୦ ଶଯ୍ୟା, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୫୦ ଶଯ୍ୟା, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ୫୦ ଶଯ୍ୟା, ବାଲେଶ୍ୱର ଫକିର ମୋହନ ମେଡିକାଲରେ ୫୦ ଶଯ୍ୟା, ତାରଚେର ମେଡିକାଲରେ ୫୦ ଶଯ୍ୟା, କେନ୍ଦୁଝର ମେଡିକାଲ କଲେଜରେ ୭୨ ଶଯ୍ୟା ଉପଲବ୍ଧ ରହିବ ।

Get real time updates directly on you device, subscribe now.