ମହାରାଷ୍ଟ୍ରରେ ପ୍ରଳୟଙ୍କରୀ ବର୍ଷା: ୧୩ ଜଣଙ୍କର ମୃତ୍ୟୁ, ୧୦ ଆହତ, ଅନେକ ସ୍ଥାନରେ ରେଡ ଆଲର୍ଟ

ଦେଶର ଅନେକ ଅଂଶ ଏବେ ବି ବର୍ଷା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି, ଅପରପକ୍ଷେ ଏମିତି ଅନେକ ଅଂଶ ରହିଛି ଯେଉଁଠାରେ ପ୍ରବଳ ବର୍ଷା ହେଉଛି। ମହାରାଷ୍ଟ୍ରର ମୁମ୍ବାଇ ସହର ଏବେ ବର୍ଷାର ପ୍ରକୋପ ସହୁଛି। ଆଜି ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି।

Maharashtra Rain Update : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଗତ କିଛି ଦିନ ହେବ ପ୍ରବଳ ବର୍ଷାର ପ୍ରକୋପ ସହୁଛି ଏବଂ ସହରର ଅନେକ ଅଞ୍ଚଳରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏବେ ମହାରାଷ୍ଟ୍ର ସରକାର ଆଜି ମୁମ୍ବାଇରେ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପାଣିପାଗ ବିଭାଗ ଆଜି ମଧ୍ୟ ପ୍ରବଳ ବର୍ଷା ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି କରିଛି। ଏହା ସହିତ ଆଜି ମୁମ୍ବାଇରେ ପ୍ରବଳ ପବନ ବହିବା ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଛି।

ମହାରାଷ୍ଟ୍ରରେ ଗତ ଦୁଇ ଦିନ ହେବ ଲାଗି ରହିଥିବା ମୁସଳଧାରା ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ବଡ଼ ଧରଣର ବିପର୍ଯ୍ୟୟ ଘଟିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଅନୁଯାୟୀ, ପ୍ରାୟ ୧୦୦ଟି ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ଭୟଙ୍କର ବନ୍ୟା ଯୋଗୁଁ ଶତାଧିକ ଲୋକ ବେଘର ହୋଇଯାଇଛନ୍ତି। ଗତ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଏବଂ ପଶ୍ଚିମ ଭାଗରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଲୋନାଭଲାରେ ଗତ ୪୮ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ୬୨୫ ମିଲିମିଟର ବର୍ଷା ହୋଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ରେ ୨୩୬ ମିମି, ଠାଣେରେ ୧୬୧ ମିମି, ରତ୍ନଗିରିରେ ୧୫୨ ମିମି, ପାଲଘରରେ ହାରାହାରି ୧୩୨ ମିମି ଏବଂ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ୧୦୦ ରୁ ୧୬୧ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି।

ନଦୀଗୁଡ଼ିକ ବିପଦ ସଙ୍କେତ ପାର୍ କରିସାରିଛନ୍ତି

ଲଗାତାର ବର୍ଷା ଯୋଗୁଁ ରାଜ୍ୟର ଅନେକ ନଦୀ ଏବେ ଉଫାଣିଆ ଅବସ୍ଥାରେ ଅଛନ୍ତି। ଉଲ୍ଲାସ, କାଲୁ ଏବଂ ପିଞ୍ଜଲ ନଦୀ ଚେତାବନୀ ସ୍ତର ଅତିକ୍ରମ କରିସାରିଥିବା ବେଳେ ଅମ୍ବା, ସାବିତ୍ରୀ, କୁଣ୍ଡଳିକା, ପାତାଳଗଙ୍ଗା, ଜଗବୁଡି ଏବଂ ଉଲ୍ଲାସ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବଦଲାପୁର, ମୋହାନେ ଏବଂ ଜାମ୍ଭୁଲପାଡ଼ା ପାଇଁ ବନ୍ୟା ଆଲର୍ଟ ଜାରି କରାଯାଇଛି। ସୋମବାର ବର୍ଷା ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ଦୁର୍ଘଟଣା ମଧ୍ୟ ସାମ୍ନାକୁ ଆସିଛି। ମୁମ୍ବାଇର ମାନଖୁର୍ଦ୍ଦ ଅଞ୍ଚଳରେ ଏକ ବିଲ୍ଡିଂ ବସ୍ତି ଉପରେ ଭୁଶୁଡ଼ି ପଡ଼ିବାରୁ ଛଅ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।

ଏହା ବ୍ୟତୀତ ମୁମ୍ବାଇର ଉପକଣ୍ଠ ଅଞ୍ଚଳରେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଠାଣେରେ ଏକ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଆହତ ହୋଇଛନ୍ତି। ପାଲଘର ଏବଂ ସିନ୍ଧୁଦୁର୍ଗରେ ପାଣିରେ ବୁଡ଼ି ଜଣେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେହିପରି ସିନ୍ଧୁଦୁର୍ଗରେ ପ୍ରବଳ ପବନ ଯୋଗୁଁ ୩୦ଟି ଘର ଭୁଶୁଡ଼ି ପଡ଼ିଛି। ସାତାରା ଜିଲ୍ଲାରେ ଭୂସ୍ଖଳନ (ଲ୍ୟାଣ୍ଡସ୍ଲାଇଡ୍) ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ଲଗାତାର ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ମାଥେରାନ, ଲୋନାଭଲା, ଖୋପୋଲି ଏବଂ ଲୋହଗଡ଼ ଭଳି ପାର୍ବତ୍ୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ପାଇଁ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି।

ଏହି ଅଞ୍ଚଳଗୁଡ଼ିକରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (NDRF) ର ଦୁଇଟି ଟିମ୍ ମୁତୟନ କରାଯାଇଛି। ପୁଣେ ଜିଲ୍ଲାର ମାଭଲ ତହସିଲ ଅନ୍ତର୍ଗତ ପାଟନ ଗାଁରେ ଭୂସ୍ଖଳନ ଯୋଗୁଁ ଏକ ଘର ପ୍ରଭାବିତ ହୋଇଛି, ଯେଉଁଥିରେ ଚାରି ଜଣ ଫସି ରହିଥିଲେ। ଅନ୍ୟପକ୍ଷରେ, ତଲେଗାଓଁ-ଦାଭାଡେ ନିକଟରେ ବନ୍ୟା ପାଣିରେ ୨୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଫସିଯାଇଥିଲା। NDRF ଟିମ୍ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଉଦ୍ଧାର କରିଛି।

ଜଳବନ୍ଦୀ ଯୋଗୁଁ ଜନଜୀବନ ଠପ

ରାୟଗଡ଼ ଜିଲ୍ଲାର ସୁଧାଗଡ଼ ତହସିଲରେ ଗୋଟିଏ ପରିବାରର ଛଅ ଜଣ ସଦସ୍ୟ (ଯେଉଁଥିରେ ଛଅ ମାସର ଏକ ଶିଶୁ ମଧ୍ୟ ସାମିଲ ଥିଲା) ବନ୍ୟା ପାଣି ବଢ଼ିବା ଯୋଗୁଁ ଘର ଛାତ ଉପରେ ଫସି ରହିଥିଲେ। ଗାଁକୁ ଯାଉଥିବା ସମସ୍ତ ରାସ୍ତା ପାଣିରେ ବୁଡ଼ି ଯାଇଥିବାରୁ ଉଦ୍ଧାରକାରୀ ଦଳ ଡଙ୍ଗା ସାହାଯ୍ୟରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ଭୂସ୍ଖଳନ ଏବଂ ଜଳବନ୍ଦୀ ସମସ୍ୟା ଯୋଗୁଁ ରାଜ୍ୟର ଅନେକ ପ୍ରମୁଖ ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି। ମୁମ୍ବାଇ-ଗୋଆ ହାଇୱେର କଶେଡି ଘାଟିରେ ଭୂସ୍ଖଳନ ଯୋଗୁଁ ଦୀର୍ଘ ସମୟ ଧରି ଜାମ୍ ଲାଗି ରହିଥିଲା। ସେହିପରି ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଏବଂ ଖୋପୋଲି ହାଇୱେରେ ମଧ୍ୟ ଭୂସ୍ଖଳନ ଓ ଜଳବନ୍ଦୀ ଯୋଗୁଁ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ପ୍ରଶାସନ ଅପରାହ୍ନ ସୁଦ୍ଧା ଯାତାୟାତ ସ୍ୱାଭାବିକ କରିଥିଲା। ମାଭଲ ଏବଂ ତାମ୍ହିଣୀ ଘାଟିରେ ମଧ୍ୟ ଭୂସ୍ଖଳନ ଓ ବନ୍ୟାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି, ଯାହାଫଳରେ ଗାଡ଼ିଗୁଡ଼ିକୁ ବିକଳ୍ପ ରୁଟ୍ ଦେଇ ଗତି କରିବାକୁ ଡାଇଭର୍ଟ କରାଯାଇଛି।

ଏହି ସମୟରେ, ଯେଉଁଠି ରାଜ୍ୟର ଏକ ବଡ଼ ଭାଗ ମୁସଳଧାରା ବର୍ଷାର ସମ୍ମୁଖୀନ ହେଉଛି, ସେଠାରେ ବିଦର୍ଭ ଅଞ୍ଚଳ ଏବେ ବି ଭଲ ବର୍ଷାକୁ ଅପେକ୍ଷା କରିଛି। ୱାର୍ଦ୍ଧା, ଆକୋଲା, ଅମରାବତୀ, ୟବତମାଲ ଏବଂ ଚନ୍ଦ୍ରପୁର ସମେତ ଅନେକ ଜିଲ୍ଲାରେ ଏହି ସମୟ ମଧ୍ୟରେ ଆଦୌ ବର୍ଷା ରେକର୍ଡ କରାଯାଇ ନାହିଁ।

 

ଦକ୍ଷିଣ ଗୁଜରାଟରେ ପ୍ରବଳ ବର୍ଷା, ପାଣିପାଗ ବିଭାଗର ଚେତାବନୀ

ସୋମବାର ଦକ୍ଷିଣ ଗୁଜରାଟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ସୁରଟ ଜିଲ୍ଲାର କାମରେଜ ତାଲୁକାରେ ସକାଳ ୬ଟାରୁ ରାତି ୮ଟା ମଧ୍ୟରେ ରାଜ୍ୟର ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ମଙ୍ଗଳବାରଠାରୁ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଅନୁଯାୟୀ, କାମରେଜ ତାଲୁକାରେ ୧୫୪ ମିଲିମିଟର ବର୍ଷା ହୋଇଛି। ଏହା ପଛକୁ ସୁରଟ ସହର (୧୨୨ ମିମି), ବଲସାଡ୍‌ର ପାରଡି (୧୧୫ ମିମି), ବାପି (୧୧୧ ମିମି), ନାନାପୋନ୍ଧା (୧୧୦ ମିମି), ପାଟନର ରାଧନପୁର (୧୦୭ ମିମି) ଏବଂ ମହିସାଗର ଜିଲ୍ଲାର ଖାନପୁରରେ ୯୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ଜୁଲାଇ ୭ ତାରିଖରେ ଉତ୍ତର ଗୁଜରାଟ ଏବଂ ସୌରାଷ୍ଟ୍ରର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଜଣାଇଛି। ପାଣିପାଗ କାର୍ଯ୍ୟାଳୟ ମଙ୍ଗଳବାର ସୁରଟ, ତାପି, ଡାଙ୍ଗ, ନବସାରୀ, ବଲସାଡ୍, ଦାଦରା ଓ ନଗର ହାଭେଲୀ, ଦମନ ଏବଂ ଭାବନଗର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି। ନର୍ମଦା, ଭରୁଚ୍ ଏବଂ ଅମରେଲିରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି। ସେହିପରି ପଞ୍ଚମହଲ, ଦାହୋଦ, ବଦୋଦରା, ଛୋଟା ଉଦୟପୁର ଏବଂ ଗିର ସୋମନାଥରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। IMD ମଙ୍ଗଳବାର ଉତ୍ତର ଗୁଜରାଟ, ଦକ୍ଷିଣ ଗୁଜରାଟ, ସୌରାଷ୍ଟ୍ର ଏବଂ କଚ୍ଛରେ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହ ମଧ୍ୟମ ଧରଣର ବଜ୍ରପାତ ପାଇଁ ମଧ୍ୟ ଚେତାବନୀ ଦେଇଛି। ଜୁଲାଇ ୮ ତାରିଖରେ ଡାଙ୍ଗ, ନବସାରୀ, ବଲସାଡ୍, ଦାଦରା ଓ ନଗର ହାଭେଲୀ ଏବଂ ଦମନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାସହ ସୁରଟ, ତାପି, ଅମରେଲି ଏବଂ ଭାବନଗରରେ ପ୍ରବଳ ବର୍ଷା ହେବାର ଆଶା କରାଯାଉଛି।