କାର୍ ଇଞ୍ଜିନରୁ ୭ ଫୁଟିଆ ଅଜଗର ଉଦ୍ଧାର

ମୁମ୍ବାଇର ଏକ ଆବାସିକ ଅଞ୍ଚଳରେ ପାର୍କ ହୋଇଥିବା ଏକ କାର୍‌ ଇଞ୍ଜିନ୍ ଭିତରୁ ପ୍ରାୟ ୭ ଫୁଟ୍‌ ଲମ୍ବା ଏକ ବିରାଟ ଅଜଗର ଉଦ୍ଧାର କରାଯାଇଛି।

ମୁମ୍ବାଇ: ମୁମ୍ବାଇର ପାର୍କ ହୋଇଥିବା କାର୍‌ର ଇଞ୍ଜିନ୍ ଭିତରେ ଲୁଚି ରହିଥିବା ପ୍ରାୟ ୭ ଫୁଟ୍‌ ଲମ୍ବା ଏକ ଅଜଗରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଲୋକେ ଚଳପ୍ରଚଳ କରୁଥିବା ଅଞ୍ଚଳରେ କାର୍‌ ଭିତରୁ ଏତେ ବଡ଼ ସାପ ବାହାରିବା ଦେଖି ସ୍ଥାନୀୟ ଲୋକେ ଚକିତ ହୋଇଯାଇଥିଲେ। ଘଟଣା ପରେ ଅଞ୍ଚଳରେ କିଛି ସମୟ ପାଇଁ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା।

NDTVର ରିପୋର୍ଟ ଅନୁସାରେ, ମୁମ୍ବାଇ କନ୍ଦରପଡ଼ା ଅଞ୍ଚଳର ବାପୁ ବାଗୱେ ରୋଡ୍‌ରେ ଥିବା ମହେଶ୍ୱର ବିଲ୍ଡିଂ ନିକଟରେ ଏହି ଘଟଣା ଘଟିଥିଲା। ଦାହିସର ଫ୍ଲାଏଓଭର ନିକଟସ୍ଥ ସର୍ଭିସ୍‌ ରୋଡ୍‌ କଡ଼ରେ ଥିବା ଏକ ଆବାସିକ ଅଞ୍ଚଳ ପରିସରରେ ସ୍ଥାନୀୟ ବାସିନ୍ଦା ସନି କାମ୍ବଲେଙ୍କ ଭଉଣୀଙ୍କ କାର୍‌ ପାର୍କ ହୋଇଥିଲା।

ସେଠାରେ ଥିବା କିଛି ଲୋକ କାର୍‌ର ତଳ ଭାଗରୁ ଏକ ବଡ଼ ସାପ ଧୀରେ ଧୀରେ କାର୍‌ର ବନେଟ୍‌ ଆଡ଼କୁ ଯାଉଥିବା ଦେଖିଥିଲେ। ପରେ ଏହା ସାଧାରଣ ସାପ ନୁହେଁ, ବରଂ ଏକ ବିରାଟ ଅଜଗର ବୋଲି ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଭୟ ସହ ଉତ୍ସୁକତା ମଧ୍ୟ ବଢ଼ିଥିଲା।

ଅଜଗରଟି କାର୍‌ର ଇଞ୍ଜିନ୍‌ର ମଝିରେ ଗୁଡ଼ାଇ ହୋଇ ରହିଥିଲା। ଏନେଇ କାର୍‌ ମାଲିକଙ୍କୁ ତୁରନ୍ତ ଜଣାଇବା ସହ ବିଳମ୍ବ ନକରି ସ୍ଥାନୀୟ ସାପଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା।

ପରିସ୍ଥିତି ସମ୍ଭାଳିବା ପାଇଁ ସ୍ଥାନୀୟ ସାପ ଉଦ୍ଧାରକାରୀ ସମୀର ଗୁପ୍ତାଙ୍କୁ ଘଟଣାସ୍ଥଳକୁ ଡକାଯାଇଥିଲା। ସମୀର ସାବଧାନତାର ସହ କାର୍‌ ଭିତରେ ଅଜଗରଟି ଲୁଚି ରହିଥିବା ସ୍ଥାନ ଚିହ୍ନଟ କରିଥିଲେ। ପରେ ସେ ଅଜଗରକୁ କୌଣସି କ୍ଷତି ନକରି ସୁରକ୍ଷିତ ଭାବେ କାର୍‌ରୁ ବାହାର କରିଥିଲେ। ଏହି ସମୟରେ ଉପସ୍ଥିତ ଲୋକଙ୍କର ମଧ୍ୟ କୌଣସି କ୍ଷତି ହୋଇନଥିଲା।

ଅଜଗରଟି ଉଦ୍ଧାର ହେବା ପରେ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଥିଲେ। କାର୍‌ ଭିତରୁ ଅଜଗର ମିଳିବା ପରେ ଏହା ନିକଟସ୍ଥ ଘରଗୁଡ଼ିକରେ ପଶିଯିବାର ଆଶଙ୍କାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ରହିଥିଲା।

ଏହି ଉଦ୍ଧାର କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଉଦ୍ଧାର ପରେ ଅଜଗରଟିର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଏହା ସୁସ୍ଥ ଥିବା ଜଣାପଡ଼ିଥିଲା। ପରେ ଅଜଗରଟିକୁ ସୁରକ୍ଷିତ ଭାବେ ସଞ୍ଜୟ ଗାନ୍ଧୀ ନ୍ୟାସନାଲ ପାର୍କରେ ଛାଡ଼ି ଦିଆଯାଇଛି।