ସିବିଆଇ କବ୍ଜାରେ ଦୁଇ ଭାଇ: ଚନ୍ଦ୍ରନାଥଙ୍କୁ ହତ୍ୟା ପାଇଁ ଦେଇଥିଲେ ସୁପାରୀ!
ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସାଗର ସୋନକର ଓ ସାହିବ ସୋନକର। ଉଭୟ ସମ୍ପର୍କରେ ଭାଇ। ପୂର୍ବରୁ ଚନ୍ଦ୍ରନାଥ ରଥଙ୍କ ସହ କାମ କରୁଥିଲେ।
କୋଲକାତା: ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରିବା ପାଇଁ କିଏ ଦେଇଥିଲା ସୁପାରୀ?? କଣ ପାଇଁ ତାଙ୍କୁ ହତ୍ୟା କରାଯାଇଥିଲା? ଗତ ୪ ମାସ ଧରି ସାଧାରଣରେ ଏପରି ଆଲୋଚନା ଚାଲିଥିଲା ବେଳେ ଆଜି ଉଠିଛି ପର୍ଦ୍ଦା। ସିବିଆଇ କରିଛି ବଡ଼ ଖୋଲାସା। ହତ୍ୟା ପାଇଁ ସୁପାରୀ ଦେଇଥିବା ଅଭିଯୋଗରେ ସିବିଆଇ ଦୁଇ ଭାଇଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସାଗର ସୋନକର ଓ ସାହିବ ସୋନକର। ଉଭୟ ସମ୍ପର୍କରେ ଭାଇ। ପୂର୍ବରୁ ଚନ୍ଦ୍ରନାଥ ରଥଙ୍କ ସହ କାମ କରୁଥିଲେ।
ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳ ସହ ସମ୍ପର୍କର ତଦନ୍ତ: ସିବିଆଇ ତଦନ୍ତରେ ସାମ୍ନାକୁ ଆସିଛି, ଚାକିରି ସମୟରେ ସାଗର ସୋନକର ଏକ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳର ସ୍ଥାନୀୟ କାର୍ଯ୍ୟାଳୟ ସହ ଲ୍ୟାଣ୍ଡଲାଇନ ଫୋନରେ ନିୟମିତ ଯୋଗାଯୋଗରେ ଥିଲେ। ସେ କେଉଁ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଥିଲେ? ଏହି ହତ୍ୟାକାଣ୍ଡରେ ସେହି ବ୍ୟକ୍ତିଙ୍କର ଭୂମିକା କ’ଣ ଥିଲା? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ସିବିଆଇ ତାହା ଉପରେ ତଦନ୍ତ କରୁଛି।
Uttarakhand Govt.
୨୦୨୫ରୁ ଚାଲିଥିଲା ହତ୍ୟା ଷଡ଼ଯନ୍ତ୍ର: ସିବିଆଇ ଅନୁଯାୟୀ, ଚନ୍ଦ୍ରନାଥ ରଥଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର ଡିସେମ୍ବର ୨୦୨୫ରୁ ଚାଲିଥିଲା। ତେବେ ବିଭିନ୍ନ କାରଣରୁ ଏହି ଯୋଜନା ବାରମ୍ବାର ସ୍ଥଗିତ ହେଉଥିଲା। ତଦନ୍ତ ବେଳେ ସିବିଆଇକୁ ଏପରି ପ୍ରମାଣ ମିଳିଛି, ଯାହାରୁ ସାଗର ସୋନକରଙ୍କ ସହ କଥିତ ଶୁଟରଙ୍କ ସମ୍ପର୍କ ଥିବା ଜଣାପଡ଼ିଛି। ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁଯାୟୀ, ସାଗର ହିଁ ଶୁଟରମାନଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିଲେ। ଅପରାଧ ଘଟାଇବା ପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ଯୋଗାଇଥିଲେ।
କଲ ଡିଟେଲ ରେକର୍ଡରୁ ମିଳିଲା ସୁରାକ: କଲ ଡିଟେଲ ରେକର୍ଡ ଯାଞ୍ଚ ବେଳେ ସାଗର ସୋନକର ଓ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳର ସ୍ଥାନୀୟ କାର୍ଯ୍ୟାଳୟ ମଧ୍ୟରେ ଅନେକ ଥର କଥାବାର୍ତ୍ତା ହୋଇଥିବା ସିବିଆଇ ଜାଣିବାକୁ ପାଇଛି। ୨୦୨୦ ପର୍ଯ୍ୟନ୍ତ ସାଗର ସେହି ପ୍ରତିଦ୍ୱନ୍ଦ୍ୱୀ ଦଳର ଜଣେ ବିଧାୟକଙ୍କ ସହ କାମ କରୁଥିଲେ। ପରେ ବିଜେପିରେ ଯୋଗଦେଇଥିଲେ।
୬ ମେ’ରେ ହୋଇଥିଲା ହତ୍ୟା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣାର ଦୁଇ ଦିନ ପରେ ଅର୍ଥାତ ମେ’ ୬ ତାରିଖ ସନ୍ଧ୍ୟା ବେଳେ ଚନ୍ଦ୍ରନାଥ ରଥ ଘରକୁ ଯାଉଥିଲେ। ତେବେ ଉତ୍ତର ୨୪ ପରଗଣା ଜିଲ୍ଲା ମଧ୍ୟମଗ୍ରାମ ସ୍ଥିତ ଜେସୋର ରୋଡରେ ମୋଟରସାଇକେଲରେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି କରିଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏ ପର୍ଯ୍ୟନ୍ତ ୧୧ ଜଣ ଗିରଫ: ଏହି ମାମଲାରେ ସିବିଆଇ ଏ ପର୍ଯ୍ୟନ୍ତ ୬ ଜଣ ଶୁଟର, ୩ ଜଣ ମଧ୍ୟସ୍ଥଙ୍କ ସମେତ ମୋଟ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି।

