fbpx

ମନୀଷ ସିସୋଦିଆଙ୍କୁ ସିବିଆଇର ସମନ: ଅବକାରୀ ମାମଲାରେ କରିବ ପଚରାଉଚରା

ନୂଆଦିଲ୍ଳୀ: ଦିଲ୍ଳୀର ତଥାକଥିତ ଅବକାରୀ ନୀତି ଘୋଟାଲା ମାମଲାରେ ସିବିଆଇ ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ ପଠାଇଛନ୍ତି । ସିବିଆଇ ମନୀଷ ସିସୋଦିଆଙ୍କୁ ଆସନ୍ତା କାଲି ସୋମବାର ସମନ ପାଇଁ ଡକାଇଛି । ମନୀଷ ସିସୋଦିଆଙ୍କୁ ଆସନ୍ତାକାଲି ସକାଳ ୧୧ ଟାରେ ଦିଲ୍ଲୀରେ ସିବିଆଇ ଅଫିସରେ ହାଜର ହେବାକୁ କୁହାଯାଇଛି । ଏପଟେ ସିବିଆଇର ଏହି ସମନକୁ ନେଇ ମନୀଷ ସିସୋଦିଆଙ୍କର ମଧ୍ୟ ପ୍ରତିକ୍ରିୟା ଆସିଛି । ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ ମୋ ଘରେ ୧୪ ଘଣ୍ଟା ସିବିଆଇ ରେଡ୍ କରାଯାଇଛି, କିନ୍ତୁ କିଛି ନଥିଲା । ବ୍ୟାଙ୍କ୍ ଲକର ଚେକ୍ କରିଥିଲେ । ମୋ ଗାଁରେ ମଧ୍ୟ ସେମାନଙ୍କୁ କିଛି ମିଳିନାହିଁ । ଏହାସହ ସେ ସିବିଆଇର ସାମ୍ନା କରିବେ ବୋଲି ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟୀର ରାଷ୍ଟ୍ରୀୟ ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତଥା ଦଳର କିଛି ଅନ୍ୟ ନେତା ଅନେକ ଥର ଏହି କଥା କହିସାରିଛନ୍ତି ଯେ ଯାଞ୍ଚ ଏଜେନ୍ସୀ କେବେବି ମନୀଷ ସିସୋଦିଆଙ୍କୁ ଗିରଫ କରିପାରେ । ଅବକାରୀ ଘୋଟାଲାରେ ମନୀଷଙ୍କ ଉପରେ ଗୁରୁତର ଅଭିଯୋଗ ଲାଗିଛି । ଦିଲ୍ଲୀର ଚର୍ଚ୍ଚିତ ଅବକାରୀ ଘୋଟାଲା ମାମଲାରେ ଏପର୍ଯ୍ୟନ୍ତ ତିନିଜଣକୁ ଗିରଫ କରାଯାଇଛି । ଗତ ୧୯ ଅଗଷ୍ଟରେ ଘୋଟଲା ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘର ସହ ଅନ୍ୟ ଠିକଣାରେ ରେଡ୍ କରିଥିଲେ । ମନୀଷ ସିସୋଦିଆଙ୍କ ଉପରେ ଯେଉଁ ୩ ଧାରାରେ ମାମଲା ରୁଜୁ ହୋଇଛି । ଏଥିରେ ୨ ଧାରା ପ୍ରିଭେନ୍ସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅନୂଯାୟୀ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ସିଧାଳସଳଖ ଭ୍ରଷ୍ଟାଚାରର ଅଭିଯୋଗ ଲାଗିଥିଲା ।

୨୨ ଜୁଲାଇରେ ନୂଆ ଅବକାରୀ ନୀତିକୁ ନେଇ ଦିଲ୍ଳୀ ଉପରାଜ୍ୟପାଳ ଭି କେ ସକ୍ସେନା ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ଯାଞ୍ଚର ଦାବି କରିଥିଳେ । ସକ୍ସେନା କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀ ସିସୋଦିଆଙ୍କ ଉପରେ ନିୟମକୁ ଅଣଦେଖା କରିବା ଅଭିଯୋଗ ଲଗାଇଥିଳେ । ସେପଟେ ବିଜେପି କେକ୍ରିୱାଲ ସରକାରଙ୍କ ଉପରେ ନୂଆ ଟେଣ୍ଡର ପରେ ଭୁଲ ଉପାୟରେ ମଦ ଠିକାଦାରଙ୍କ ୧୪୪ କୋଟି କ୍ଷମା କରିବାର ଅଭିଯୋଗ କରିଥିଲେ । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ, ମହାରାଷ୍ଟ୍ର, ସହ ୬ ରାଜ୍ୟରେ ରେଡ୍ କରିଥିଲା ।

ଦିଲ୍ଳୀରେ ହୋଇଥିବା ତଥାକଥିତ ମଦ ଘୋଟାଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମୁଖ୍ୟ ଅଭିଯୁକ୍ତ । ଅବକାରୀ ବିଭାଗ ମଧ୍ୟ ସିସୋଦିଆଙ୍କ ପାଖରେ ଅଛି ଏବଂ ତାଙ୍କ ନେତୃତ୍ୱରେ ହିଁ ଏହି ନୀତି ପ୍ରସ୍ତୁତ ହୋଇଥିଲା । ଯାହାଦ୍ୱାରା ସରକାରୀ ସମ୍ପତ୍ତିକୁ କ୍ଷତି ଏବଂ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ପହଞ୍ଚାଇବାର ଅଭିଯୋଗ ହୋଇଥିଲା । ଅବଶ୍ୟ ଆମ ଆଦମୀ ପାର୍ଟୀ ଅଭିଯୋଗକୁ ଭିତ୍ତିହୀନ କହିଥିଲା ।

Get real time updates directly on you device, subscribe now.