fbpx

୧୦% ପଜିଟିଭିଟି ହାର ଥିବା ଜିଲ୍ଲାଙ୍କୁ କେନ୍ଦ୍ରର ନୋଟିସ, ନିୟମ ମାନିବାକୁ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ୧୦ ରାଜ୍ୟର କୋଭିଡ୍ ସ୍ଥିତିକୁ ସମୀକ୍ଷା କରିଛନ୍ତି । ଏହି ୧୦ ରାଜ୍ୟରେ କୋଭିଡ୍ ପଜିଟିଭିଟି ହାରରେ ବୃଦ୍ଧି ଦେଖିବାକୁ ମିଳିଛି । ଯେଉଁ ରାଜ୍ୟରେ ପଜିଟିଭିଟି ହାର ଦେଖବାକୁ ମିଳିଛି ସେହି ରାଜ୍ୟ ଗୁଡ଼ିକ ହେଲା କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ର ପ୍ରଦେଶ ଏବଂ ମଣିପୁର ।

କେନ୍ଦ୍ରର ସୂଚନା ଅନୁଯାୟୀ ଦେଶରେ ୪୬ ଜିଲ୍ଲାରେ ୧୦%ରୁ ଅଧିକ ପଜିଟିଭିଟି ହାର ରହିଛି, ଯେତେବେଳେକି ୫୩ ଜିଲ୍ଲା ଏମିତି ରହିଛି ଯେଉଁଠାରେ ପଜିଟିଭିଟି ହାର ୫% ରୁ ୧୦% ରହିଛି । ସରକାର କହିଛନ୍ତି ଯେଉଁ ୧୦ ରାଜ୍ୟରେ ପଜିଟିଭିଟି ହାରରେ ବୃଦ୍ଧି ଦେଖିବାକୁ ମିଳିଛି ସେଠାରେ ୮୦% ଅଧିକ ସକ୍ରିୟ ମାମଲା ହୋମ ଆଇସୋଲେସନ ରହିଛି । ଏହି ମାମଲା ଉପରେ କଡ଼ା ନଜର ରଖିବାକୁ ହେବ ଯାହାଦ୍ୱାରା ସେମାନେ ଅନ୍ୟମାନଙ୍କ ସହ ନ ମିଶନ୍ତି ।

ଏହା ଛଡ଼ା କେନ୍ଦ୍ର ତରଫରୁ ରାଜ୍ୟଙ୍କୁ କରୋନା ସହ ଲଢ଼ିବା ପାଇଁ କିଛି ଖାସ୍ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ ଜିଲ୍ଲାରେ କରୋନାରେ ସହଜରେ ପ୍ରଭାବିତ ହେଉଥିବା ଲୋକଙ୍କୁ ସଂପୂର୍ଣ୍ଣ ଭାବରେ ଟିକାକରଣ, ଭାକ୍ସିନର ଦ୍ୱିତୀୟ ଡୋଜକୁ ପ୍ରାଥମିକତା ଦେବା, ସଂକ୍ରମଣକୁ ବ୍ୟାପିବାଠାରୁ ରୋକିବା ପାଇଁ ହୋମ ଆଇସୋଲେସନରେ ଥିବା ଲୋକଙ୍କୁ ନିୟମିତ ଭାବରେ ନଜର ରଖିବା ସହ ପ୍ରାଇଭେଟ ହସ୍ପିଟାଲରେ ଅକ୍ସିଜେନ ପିଏସଏ ପ୍ଲାଣ୍ଟ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାରି ମଧ୍ୟରେ ଶନିବାର ଭାରତରେ ଗୋଟିଏ ଦିନରେ ୪୧,୬୪୯ କୋଭିଡ୍-୧୯ ମାମଲା ସାମ୍ନାକୁ ଆସିଛି । ଏହା ସହ ଶନିବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୧୩,୯୯୩ ହୋଇଛି । ଯେତେବେଳେକି ୫୯୩ ଜଣକର ମୃତ୍ୟୁ ହୋଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୪,୨୩,୮୧୦ କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.