fbpx

କେନ୍ଦ୍ରର ନୂଆ କରୋନା ଗାଇଡ୍‌ଲାଇନ ଜାରି, ଅଗଷ୍ଟ ୩୧ ପର୍ଯ୍ୟନ୍ତ କଟକଣା ବୃଦ୍ଧି: ଆଗକୁ ପାର୍ବଣ ଋତୁ, ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍) : ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡ୍‌ଲାଇନ୍‌ ଅବଧିକୁ ଆସନ୍ତା ମାସ ଅର୍ଥାତ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିସହ କେନ୍ଦ୍ର ସରକାରର କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟ ଗୁଡ଼ିକୁ ପଜିଟିଭିଟି ହାର ଅଧିକ ଥିବା ଜିଲ୍ଲାଗୁଡ଼ିକରେ କଠୋର କଟକଣା ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ।

ସମୁଦାୟ କେତେ ଜଣଙ୍କ ଟେଷ୍ଟ କରାଗଲା ଏବଂ ସେଥିମଧ୍ୟରୁ କେତେ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଲା ତାହାକୁ ଆଧାର କରି ପଜିଟିଭିଟି ରେଟ୍‌ ସ୍ଥିର ହୋଇଥାଏ । ପଜିଟିଭିଟି ରେଟ୍‌ ଅଧିକ ମାନେ ସେହି ଅଞ୍ଚଳରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ଅଜୟ ଭଲ୍ଲା ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି ଯେ ସଂକ୍ରମଣ ହାର କମୁଥିଲେ ହେଁ କୋଭିଡ କଟକଣା କ୍ଷେତ୍ରରେ କୌଣସି ବୁଝାମଣାର ସୁଯୋଗ ଦିଆଯିବ ନାହିଁ । ବର୍ତ୍ତମାନ ସମସ୍ତେ ସତର୍କ ରହିବା ଦରକାର । ଆଗକୁ ପାର୍ବଣ ଋତୁ ଆସୁଛି । ଏଥିପାଇଁ ଭିଡ଼ ହେଉଥିବା ସ୍ଥାନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ଏହି ଚିଠିରେ ଦର୍ଶାଇଛନ୍ତି ।

ସେ କହିଛନ୍ତି ଯେ ସଂକ୍ରମଣ ହାର କମୁଥିବାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିୟମିତ ଭାବେ କଟକଣା କୋହଳ କରିବାରେ ଲାଗିଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ଏକ ଭଲ ଖବର ହୋଇଥିଲେ ମଧ୍ୟ କୌଣସି ପ୍ରକାରର ଅବହେଳା ଆଦୌ ଗ୍ରହଣୀୟ ନୁହେଁ । ସେହିପରି କଟକଣା କୋହଳ କରିବା ବେଳେ କୌଣସି ପ୍ରକାରର ତ୍ରୁଟି ଯେପରି ନ ହେବ, ତା’କୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । ସମସ୍ତ ବିଷୟ ସଠିକ୍‌ଭାବେ ତଦାରଖ କରିବା ପରେ ଅନ୍‌ଲକ୍‌ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଭଲ୍ଲା ଏହି ଚିଠିରେ ଦର୍ଶାଇଛନ୍ତି ।

ଦେଶରେ କରୋନାର ରିପ୍ରଡକ୍ସନ୍‌ ନମ୍ବର ଅର୍ଥାତ ଆର୍‌ ଫ୍ୟାକ୍ଟର ୧ ତଳେ ରହିଛି । ହେଲେ କିଛି ରାଜ୍ୟରେ ଏହା ବୃଦ୍ଧି ପାଇବା ଆରମ୍ଭ କରିଛି । ତେଣୁ ଆର୍‌ ଫ୍ୟାକ୍ଟର ନବଢ଼ିବା ଦିଗରେ ସମସ୍ତେ ଚେଷ୍ଟା କରିବା ଉଚିତ । ଯେଉଁ ସବୁ ଜିଲ୍ଲାରେ ଏବେ ବି ପିଜିଟିଭିଟି ରେଟ୍‌ ଅଧିକ ରହିଛି, ସେଠାରେ କଟକଣାକୁ ଆହୁରି କଡ଼ାକଡ଼ି କରାଯାଉ ବୋଲି ଚିଠିରେ ଦର୍ଶାଯାଇଛି । ସବୁବେଳେ ସମସ୍ତେ କୋଭିଡ ପ୍ରୋଟକଲ ମାନିବେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ୫ ସୂତ୍ରୀ ମନ୍ତ୍ରକୁ ପାଳନ କରିବେ । ସେଗୁଡ଼ିକ ହେଉଛି ଟେଷ୍ଟ, ଟ୍ରେସ୍‌, ଟ୍ରିଟ୍‌, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର ଯଥା ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜେସନ୍‌ ବୋଲି ମଧ୍ୟ ଶ୍ରୀ ଭାଲ୍ଲା ଚିଠିରେ ଦର୍ଶାଇଛନ୍ତି ।

କୋଭିଡ-୧୯ ମ୍ୟାନେଜମେଣ୍ଟ ପାଇଁ ରାଜ୍ୟ ସରକାର ମାନେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ କଡ଼ା ନିର୍ଦ୍ଦେଶନାମା ଜାରି କରନ୍ତୁ । ଯଦି କୌଣସି ଅଞ୍ଚଳରେ କଟକଣା କଡ଼ାକଡ଼ି ଭାବେ ପାଳନ କରାନଯାଏ ତେବେ ସେହି ଅଞ୍ଚଳ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀ ଏଥିପାଇଁ ଉତ୍ତରଦୀୟ ରହିବେ । ତେଣୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ଜିଲ୍ଲାସ୍ତରର ଅଧିକାରୀଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇ ହାଇ ପଜିଟିଭିଟି ଦେଖା ଦେଉଥିବା ଅଞ୍ଚଳରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରାଇବାକୁ ମାର୍ଗଦର୍ଶୀକା ଜାରି କରନ୍ତୁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ଶ୍ରୀ ଭଲ୍ଲା ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.